Breaking News

ଜନ୍ମମାଟିରେ ଗଙ୍ଗାଧର ଜୟନ୍ତୀ: ‘ସାରସ୍ୱତ ଜଗତର ଅଜାତଶତ୍ରୁ ସ୍ୱଭାବ କବି’

ସ୍ୱଭାବ କବି ଗଙ୍ଗାଧର ମେହେର ବିନମ୍ରତାର ପ୍ରତୀକ ଥିଲେ। ତାଙ୍କ ସାହିତ୍ୟରେ ବିନମ୍ରତାର ଝଲକ ପ୍ରତିଫଳିତ ହୁଏ। କଳ୍ପନାର ସ୍ରୋତରେ କବି ଗଙ୍ଗାଧର ଭାସିଯାଇ ନଥିଲେ। ଭାରତର ଦ୍ୱିତୀୟ କାଳିଦାସ ଥିଲେ ଗଙ୍ଗାଧର।

 ଜନ୍ମମାଟିରେ ଗଙ୍ଗାଧର ଜୟନ୍ତୀ: ‘ସାରସ୍ୱତ ଜଗତର ଅଜାତଶତ୍ରୁ ସ୍ୱଭାବ କବି’

 

ବରପାଲି/ବରଗଡ଼: ସ୍ୱଭାବ କବି ଗଙ୍ଗାଧର ମେହେର ବିନମ୍ରତାର ପ୍ରତୀକ ଥିଲେ। ତାଙ୍କ ସାହିତ୍ୟରେ ବିନମ୍ରତାର ଝଲକ ପ୍ରତିଫଳିତ ହୁଏ। କଳ୍ପନାର ସ୍ରୋତରେ କବି ଗଙ୍ଗାଧର ଭାସିଯାଇ ନଥିଲେ। ଭାରତର ଦ୍ୱିତୀୟ କାଳିଦାସ ଥିଲେ ଗଙ୍ଗାଧର। ସମସାମୟିକ ସମାଜ ଓ ସାମାଜିକ ନୀତିଶିକ୍ଷା ଗଙ୍ଗାଧର ସାହିତ୍ୟରେ ପ୍ରତିଫଳିତ ହୁଏ। ଓଡ଼ିଆ ଭାଷା ଆନ୍ଦୋଳନକୁ ତେଜିବାରେ ସେ କର୍ଣ୍ଣଧାର ସାଜିଥିଲେ। ସାରସ୍ୱତ ଜଗତର ଅଜାତଶତ୍ରୁ ଥିଲେ ସ୍ୱଭାବ କବି। ରବିବାର ‘ସମ୍ବାଦ’ ପକ୍ଷରୁ ଆୟୋଜିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ‘ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିଗଣ ଏଭଳି ମତବ୍ୟକ୍ତ କରିଛନ୍ତି।
କବିଙ୍କ ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପରେ ଆୟୋଜିତ ଜୟନ୍ତୀ ସମାରୋହରେ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଯେତେବେଳେ ସାହିତ୍ୟରେ ଧର୍ମଯୁଦ୍ଧ ଚାଲିଥିଲା, ସେ ସମୟରେ ବରପାଲି ମାଟିରେ କବି ଜନ୍ମ ନେଇଥିଲେ। ଭାଷା ସାହିତ୍ୟରେ ଅନେକ ସମସ୍ୟା ଥିଲା। କିନ୍ତୁ ସବୁରୁ ଊର୍ଦ୍ଧ୍ୱରେ ଥିଲା ଗଙ୍ଗାଧର ସାହିତ୍ୟ। ଭାଷା ଆନ୍ଦୋଳନ ପାଇଁ ଆସିଥିବା ବିଭିନ୍ନ ସମସ୍ୟାକୁ ନମ୍ରତାର ସହ ମୁକାବିଲା କରିବାରେ ସେ ସଫଳ ହୋଇଥିଲେ। ନମ୍ରତାର କବି ଗଙ୍ଗାଧରଙ୍କ ଆଚରଣ ଓ ଉଚ୍ଚାରଣ ହିଁ ତାଙ୍କୁ କାଳଜୟୀ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ ଡ. କୃଷ୍ଣକେଶବ ଷଡ଼ଙ୍ଗୀ କହିଲେ, ଗଙ୍ଗାଧର ଶୁଦ୍ଧ ମଣିଷ। ଅପ୍ରମତ୍ତ, ଗଭୀରାତ୍ମା, ଧ୍ରୁତିମାନ, ଷଡ଼ଦୋଷ ରହିତ, ଅମାନୀ, ମାନଦଃ, କଲ୍ୟହ, ମୈତ୍ରହଃ, କାରୁଣିକଃ। ସେଥିପାଇଁ ଗଙ୍ଗାଧର ସ୍ୱତନ୍ତ୍ର। ସାରସ୍ୱତ ଜଗତର ଅଜାତଶତ୍ରୁ। ଗଙ୍ଗାଧରଙ୍କ ପଟାନ୍ତର ନାହିଁ। ସମସାମୟିକ ନୀତିଶିକ୍ଷା ଓ ସାଂପ୍ରତିକ ସମସ୍ୟା ପ୍ରତି କଲମ ଶାଣିତ। ଚନ୍ଦ୍ରର ଅମୃତରେ ଦୃଷ୍ଟି ରହିତ ପାଇଁ କଳଙ୍କର ପରିକଳ୍ପନା ସଦୃଶ ‘ତପସ୍ୱିନୀ’ ଭଳି ଅନେକ ଚରିତ୍ରରେ ଅମୃତ ଭରିଛନ୍ତି ଗଙ୍ଗାଧର। ତ୍ୟାଗନିଷ୍ଠ, ତର୍ପଣପୁଣ୍ୟ, ସ୍ୱୀକାରୋକ୍ତି, ନିରାଜନା ଆଦିର ପରିକଳ୍ପନାରେ ସୀତା ତପସ୍ୱିନୀ ପାଲଟିଛନ୍ତି। ସେହିଭଳି ପରିବର୍ତ୍ତନର ଶୁଦ୍ଧ ସ୍ୱର ଓ ଆଲୋକର କବି ଥିଲେ ସ୍ୱଭାବ କବି ଗଙ୍ଗାଧର ବୋଲି ଶ୍ରୀ ଷଡ଼ଙ୍ଗୀ ମତ ରଖିଥିଲେ।
ସଭାପତିତ୍ବ ଅଭିଭାଷଣରେ ‘ସମ୍ବାଦ’ ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ, ଗଙ୍ଗାଧର ମେହେର ଥିଲେ ଅନନ୍ୟ ଅସ୍ମିତା ପୁରୁଷ। ଅସ୍ମିତାର ବିଜୟ ପାଇଁ ଆହୁରି ଅନେକ କିଛି ଅପେକ୍ଷା ରହିଛି। ଭାଷା ଓ ଭୂଗୋଳକୁ ଯୋଡ଼ିବା ପାଇଁ ଫକୀରମୋହନ, ରାଧାନାଥ, ଗଙ୍ଗାଧର ଆନ୍ଦୋଳନ କରିଥିଲେ। ଏବେ ଆଧୁନିକ ଜ୍ଞାନକୌଶଳ ସୁଯୋଗ ଦେଇଛି। ଯିଏ ଯେଉଁଠି ଥିଲେ ବି ଆବେଗ ଓ ଭାବରେ ଏକତ୍ର ହୋଇପାରିବା। ଜୀବନର ଅଳ୍ପ ସମୟ ଅବଧିରେ ଅଧିକରୁ ଅଧିକ କାମ କରି ସମାଜର ହିତ ପ୍ରତି ସମର୍ପିତ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ସ୍ୱାଗତ ବକ୍ତବ୍ୟ ରଖିଥିବାବେଳେ ଏଜିଏମ୍‌ ଗଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଅତିଥିଙ୍କ ଦ୍ବାରା ଗଙ୍ଗାଧରଙ୍କ ଉପରେ ଆଧାରିତ ସାପ୍ତାହିକ ପତ୍ରିକା ‘ଜୁଗାର୍‌’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସଭା ପରିଚାଳନାରେ ବରଗଡ଼ ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ, ବରପାଲି ବ୍ଲକ୍‌ ପ୍ରତିନିଧି ପଦ୍ମଲୋଚନ ସାହୁ ସହାୟତା କରିଥିଲେ। ସଭା ପୂର୍ବରୁ ସ୍ୱାମୀ ବିବେକାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 

 

 

ସୌଜନ୍ୟ – ସମ୍ବାଦ

Comments are closed.