Breaking News

ଜମିବ ଖଣ୍ଡଗିରି ଯାତ୍ରା: ମନମୋହିବ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’

ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ୪ତାରିଖରୁ ମେଳା ଆରମ୍ଭ ହେଉଥିବାରୁ ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ।

ଖଣ୍ଡଗିରି: ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ୪ତାରିଖରୁ ମେଳା ଆରମ୍ଭ ହେଉଥିବାରୁ ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ସେମାନେ ପ୍ରସ୍ତୁତ ହେଲେଣି। ପୂର୍ଣ୍ଣ କୁମ୍ଭ ମଧ୍ୟ ସ୍ଥାପନ କରିଲେଣି। ଆଉ ୬ ଦିନ ପରେ ହେବ ମାଘ ମେଳା। ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ ସାଧୁ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହୋଇଥିବା ବେଳେ ଅଖଣ୍ଡ ଧୁନି ଜଳିବ। ଅପରପକ୍ଷରେ ୬ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରା ପାର୍ଟି ପ୍ରସ୍ତୁତ ହୋଇଗଲେଣି। କିଛି ଯାତ୍ରା କମିଟି ପ୍ରଚାର ବ୍ୟାନର୍‌ ଲଗାଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଲାଣି। ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ, ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ଯାତ୍ରା କମିଟି ପକ୍ଷରୁ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ୧୬ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୧୨ରାତି କମ୍ପିବ ଖଣ୍ଡଗିରି ଯାତ୍ରା ପଡ଼ିଆ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବଦରବାର, ଯାତ୍ରା ଯାଜ୍ଞସେନୀ ଆସିବେ। ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ।

ମନମୋହିବ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’
ମା’ ମଙ୍ଗଳା ସାସ୍କୃତିକ ଯୁବ ପରିଷଦ ପକ୍ଷରୁ ଅପେରା ଦୁର୍ଗା ମନ୍ଦିର ୭ ତାରିଖରୁ ୧୧ ତାରିଖ ଯାଏ ଓ ସ୍ବର୍ଣ୍ଣ ମହଲ ୧୨ରୁ ୧୭ ତାରିଖ ଯାଏ କେସିସି ପଡ଼ିଆରେ ଜଲ୍‌ୱା ଦେଖାଇବେ। ଦୁର୍ଗା ମନ୍ଦିର ‘ଡିଏ୍‌ପି ଦୂର୍ଗା’ ନ‌ାଟକରେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ଯୋଜନା କରିଥିବା ବେଳେ ସ୍ବର୍ଣ୍ଣ ମହଲ ‌‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି ମଞ୍ଚସ୍ଥ କରିବ ବୋଲି ପରି‌ଷଦର ସଭାପତି ରଘୁନ‌ାଥ ମହାନ୍ତି ଓ ସମ୍ପାଦକ ପ୍ରମୋଦ କୁମାର ଜେନା କହିଛନ୍ତି। ସେହିପରି ବରମୁଣ୍ଡା ନୀଳକଣ୍ଠେଣଶ୍ବର ଯାତ୍ରା କମିଟି ପକ୍ଷରୁ ଯାତ୍ରା ଯାଜ୍ଞସେନୀ ୭ରୁ ୧୧ ତାରିଖ ଯାଏ ‘ପାଞ୍ଚ ପତିରେ ମୁଁ ସତୀ’ ମଞ୍ଚସ୍ଥ କରିବ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଯାତ୍ରା ବିଶ୍ବଦରବାର ଆସିବାକୁ ଥିବା ବେଳେ ଘାଟିକିଆ ସନାତନ ସେବା ସଦନରେ ସୂର୍ଯ୍ୟ ମନ୍ଦିର, କୋଣାର୍କ, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ ପକ୍ଷରୁ ଶିବାନୀ, ସିଂହବାହିନୀ ଆସିବାକୁ ଯୋଜନା ହୋଇଛି।

କୁମ୍ଭ‌ମେଳା ପାଇଁ ପ୍ରସ୍ତୁତି

ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଖଣ୍ଡଗିରି କୁମ୍ଭମେଳା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏଥି‌ରେ ବାବା ଚନ୍ଦନ ଦାସ, ଆଲୋକ ଦାସ, ପରିଷଦର ସମ୍ପାଦକ ଅଖଣ୍ଡାନନ୍ଦ ବ୍ରହ୍ମଚାରୀ, କଲ୍ୟାଣ ଦାସ, ଦେବସଭାର କୃଷ୍ଣ ମହାରାଜ ଯୋଗ ଦେଇଥିଲେ। ସେମାନେ କହିଛନ୍ତି, ଭାରତର ଅନ୍ୟ ରାଜ୍ୟମାନଙ୍କରେ ହେଉଥ‌ିବା କୁମ୍ଭମେଳାରେ ସାଧୁସନ୍ଥମାନଙ୍କର ରହିବା, ଖାଇବା, ବସ୍ତ୍ରଦାନ, ଦକ୍ଷିଣା, ହୋମଯଜ୍ଞ ଇତ୍ୟାଦି ସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବା ସହ ଅନ୍ୟାନ୍ୟ ମୌଳିକ ସେବା ଯୋଗାଉଛନ୍ତି। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳାକୁ ସରକାର ଦୃଷ୍ଟି ଦେଇ ସମସ୍ତ ସହଯୋଗ ଯୋଗାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ପ୍ରୟାଗରାଜ କୁମ୍ଭମେଳାରୁ ସାଧୁସନ୍ଥଙ୍କ ଦ୍ବାରା ଆସିଥିବା ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା।

ମହତାବ ପେଣ୍ଡାଲ‌ରେ ରାଣୀ ପଣ୍ଡା
ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ସୂଚନା ଅନୁସାରେ କମିଟି ପକ୍ଷରୁ ୨ଟି ଅପରା ପାର୍ଟି ଆସିବେ। ଅପେରା ପୃ୍ଥ୍ବୀରାଜ ପ୍ରଥମେ ଫେବୁଆରିରୁ ୬ ତାରିଖରୁ ୫ ରାତି ନାଟକ ମଞ୍ଚସ୍ଥ କରିବ। ତୁଳସୀ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ମହତାବ ପେଣ୍ଡାଲରେ ଯାତ୍ରା ପରିବେଷଣ କରି‌ବ। ଏଥର ପୃଥ୍ବୀରାଜ ‘ରାଜଧାନୀର ରଜନିଗନ୍ଧା’ ନାଟକ ମଞ୍ଚସ୍ଥ କରିବ। ତୁଳସୀ ‘ଜହ୍ନରାତିର ଝଡ’ ମଞ୍ଚସ୍ଥ କରି ଦର୍ଶକଙ୍କ ମନକିଣିବାକୁ ଆଶା ରଖିଛି। ଏଥର ପୃଥ୍ବୀରାଜ ପ୍ରଥମ କରି ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଥିବା ବେଳେ ନାଟକରେ ମୁଖ୍ୟ ଅଭିନେତ୍ରୀ ଭାବେ ରାଣୀ ପଣ୍ଡା ଅଭିନୟ କରିବାକୁ ଥିବାରୁ ଏହି ପେଣ୍ଡାଲ୍‌ ଏଥର ଚର୍ଚ୍ଚାରେ ରହିବ ବୋଲି ଆଶା କରାଯାଉଛି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.