Breaking News

ଜମୁଛି ଖଣ୍ଡଗିରି ମେଳା: ଉପରେ ଭଜନ-କୀର୍ତ୍ତନ ‌ ତଳେ ମନୋରଞ୍ଜନ

ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି।

ଖଣ୍ଡଗିରି: ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। କେଉଁଠି ଖଞ୍ଜଣି ମାଡ଼ ଚାଲିଛି ତ କେଉଁଠି ମୃଦଙ୍ଗ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏଣେ ପାହାଡ଼ ପାଦଦେଶରେ ବସିଥିବା ମେଳା ବି ବେଶ୍‌ ଲୋକାରଣ୍ୟ ହେଉଛି। ଦିନରେ ଲୋକେ ମେଳା ବୁଲିବାରୁ ମଜା ଉଠାଉଥିବା ବେଳେ ସଂଧ୍ୟାରେ ଐର ଖାରବେଳ ମହୋତ୍ସବ ଦର୍ଶକଙ୍କ ମନୋରଞ୍ଜନ କରୁଛି।

ମନୋହରି ସାମଗ୍ରୀ ପାଇଁ ଗହଳି 
ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ବିକ୍ରି ହେଉଛି। ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ବିକ୍ରି ହେଉଛି। ଚୁଡ଼ିବାଲାଙ୍କ ଠେଲା ଗାଡ଼ି ଲାଇନ୍‌ ହୋଇ ରହୁଛି ଓ ସେଠାରେ ମହିଳାମାନଙ୍କ ନାହିଁ ନଥିବା ଭିଡ଼ ହେଉଛି। ତେବେ ଘରକରଣା ଜିନିଷ ଦୋକାନ ଆଗରେ ରହୁଛି ଅଧିକ ଗହଳି। ବାଉଁଶ ତିଆରି ଜିନିଷ ସାଙ୍ଗକୁ ଖଜୁରି ଝାଡ଼ୁ ବେପାର ବଢ଼ୁଥିବା ଦେଖିବାକୁ ମିଳୁଛି। ମେଳାରେ ଜିନିଷ କିଣିବାର ମଜା ନିଆରା ବୋଲି କିଛି ଗ୍ରାହକ କୁହନ୍ତି।

୫ଟଙ୍କିଆ ହରେକମାଲ୍‌ରେ ମନ
ଏଥର ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ହେଲେ ହରେକମାଲ୍‌ ସାମଗ୍ରୀ ପାଖରେ ଅଧିକ ଗହଳି ହେଉଛି। ୫ଟଙ୍କିଆ ହରେକମାଲ୍‌ ରବର୍‌ ବ୍ୟାଣ୍ଡ୍‌, କ୍ଲିପ୍‌, ଛୁରି, ଟିକିଲି ଓ ରାଜସ୍ଥାନୀ ଚୁଡ଼ି କିଣିବାକୁ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଦୋକାନରେ ଏତେ ଗହଳି ହେଉଛି ଯେ, ଗ୍ରାହକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି।

ଟାଟୁ କ୍ରେଜ୍‌
ମେଳାକୁ ବହୁ ଅଣଓଡ଼ିଆ ଟାଟୁବାଲା ଆସିଛନ୍ତି। ବଙ୍ଗୀୟ ଟାଟୁ ବ୍ୟବସାୟୀମାନେ ଭଲ ରୋଜଗାର କରୁଛନ୍ତି। ସେମାନେ ଇଞ୍ଚକୁ ୨୦୦ ଟଙ୍କା ହିସାବରେ ବିଭିନ୍ନ ପ୍ରକ‌ାର ଟାଟୁ କରୁଛନ୍ତି। ଗୋଟିଏ ଅକ୍ଷରକୁ ୩୦ ଟଙ୍କା ଲେଖାଏ ହିସାବରେ ନେଉଛନ୍ତି। ଉଦୟଗିରି ସମ୍ମୁଖରେ ଧାଡ଼ି ବାନ୍ଧି ଟାଟୁ କରୁଥିବା ବଙ୍ଗୀୟ କାରିଗରମାନଙ୍କୁ ଫୁର୍‌ସତ୍‌ ମିଳୁନି।

ଆଜିଠୁ ଯାତ୍ରା ମହାସମର, ପ୍ରଥମ ପର୍ଯ୍ୟାୟରେ ପୃଥ୍ବୀରାଜ, ସୂର୍ଯ୍ୟମନ୍ଦିର, ଶିବାନୀ, ବିଶ୍ବଦରବାର

ଖଣ୍ଡଗିରି: ଉଜାଗର ହୋଇଛି ଖଣ୍ଡଗିରି। ଯାତ୍ରା ସଂଳାପରେ ଲହଡ଼ି ଭାଙ୍ଗିବ ଖଣ୍ଡଗିରି ପାଦଦେଶ। ଖଳନାୟକଙ୍କ କର୍କଶ ସଂଳାପ ସାଙ୍ଗକୁ ନାୟକ ନାୟିକାଙ୍କ ରୋମାଣ୍ଟିକ ଦୃଶ୍ୟରେ ବିଭୋର ହେବେ ଯାତ୍ରାପ୍ରେମୀ। ଗୁରୁବାର ପ୍ରଥମ ରାତିରେ ହେଭିୱେଟ୍‌ ପାର୍ଟି ପୃଥ୍ବୀରାଜ, ସୂର୍ଯ୍ୟମନ୍ଦିର, ଶିବାନୀ, ବିଶ୍ବଦରବାର କଳାକାରମାନେ ସେମାନଙ୍କ କଳାର ପ୍ରଦର୍ଶନ କରିବେ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ଟିକେଟ୍‌ ବିକ୍ରି ହେବ। ଚଳିତ ବର୍ଷ ଟିକେଟ୍‌ ଦର ବୃଦ୍ଧି ପାଇଛି। ପ୍ରତି କମିଟିରେ ପ୍ରଥମ ଶ୍ରେଣୀଙ୍କ ପାଇଁ ୨୫୦ ଟଙ୍କା, ଦ୍ବିତୀୟ ଶ୍ରେଣୀଙ୍କ ପାଇଁ ୨୦୦ ଟଙ୍କା ‌ଓ ସ୍ବତନ୍ତ୍ର ଶ୍ରେଣୀଙ୍କ ପାଇଁ ୩୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ ହୋଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.