ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ୮ଟା ବେଳେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ନିକଟ ଡମଣା-ନାଲ୍‌କୋ ରାସ୍ତାରୁ ଧୂଳି ସଫା କରୁଥିବା ବିଏମ୍‌ସିର ଏକ ଭ୍ୟାନ୍ ପୂରା ଜଳିଯାଇଛି। ସୌଭାଗ୍ୟକୁ ଗାଡ଼ି ଚାଳକ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଗାଡ଼ିଟି ରାସ୍ତାକଡ଼ରେ ଧୂଳି ଓଳାଉଥିଲା ବେଳେ ହଠାତ୍‌ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିଥିଲା। ବିକଳରେ ଚାଳକଜଣଙ୍କ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଚାହୁଁଚାହୁଁ ପୂରା ଗାଡ଼ିଟି ଜଳି ଉଠିଥିଲା। ଉପସ୍ଥିତ ଲୋକେ ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଜଣାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଓ ଚନ୍ଦ୍ରଶେଖରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଟ୍ରାଫିକ୍‌ ନିୟନ୍ତ୍ରଣରେ ଲାଗିପଡ଼ିଥିଲା ଏବଂ ଦମକଳ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ପାଣି ପକାଇଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ଘଣ୍ଟାଏ ଲାଗିଥିଲା। ଏହି ସମୟରେ ଉକ୍ତ ରାସ୍ତାକୁ ୱାନ୍‌ ୱେ କରାଯାଇଥିଲା। ତେଣୁ ସ୍ବାଭାବିକ ଭାବେ ଟ୍ରାଫିକ୍‌ ଭିଡ଼ରେ ଲୋକେମାନେ ଫସି ହଇରାଣ ହୋଇଥିଲେ।