Breaking News

ଜଳ ଚେତନା

ଶୌଚାଳୟ ବ୍ୟବହାର କରିବା ପରେ ଅନ୍ୟମନସ୍କ ଓ ସ୍ବତଃସ୍ଫୂର୍ତ୍ତ ଭାବେ ‘ଫ୍ଲସ୍‌’ କରି ଆମେମାନେ ଥରକେ ଯେଉଁ ୬ରୁ ୯ ଲିଟର ପର୍ଯ୍ୟନ୍ତ ପରିମାଣର ସ୍ବଚ୍ଛ ଜଳରାଶି ସ୍ବେରେଜ ଗର୍ତ୍ତକୁ ନିକ୍ଷେପ କରିଦେଉ, ତହିଁରେ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳର ଗୋଟିଏ ପରିବାର ହୁଏତ ଦିନକ ଲାଗି ଚଳିଯାଇପାରେ!

ଶୌଚାଳୟ ବ୍ୟବହାର କରିବା ପରେ ଅନ୍ୟମନସ୍କ ଓ ସ୍ବତଃସ୍ଫୂର୍ତ୍ତ ଭାବେ ‘ଫ୍ଲସ୍‌’ କରି ଆମେମାନେ ଥରକେ ଯେଉଁ ୬ରୁ ୯ ଲିଟର ପର୍ଯ୍ୟନ୍ତ ପରିମାଣର ସ୍ବଚ୍ଛ ଜଳରାଶି ସ୍ବେରେଜ ଗର୍ତ୍ତକୁ ନିକ୍ଷେପ କରିଦେଉ, ତହିଁରେ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳର ଗୋଟିଏ ପରିବାର ହୁଏତ ଦିନକ ଲାଗି ଚଳିଯାଇପାରେ! ଏହି ଅସାମାନ୍ୟ ଭାବେ ସାମାନ୍ୟ ବୋଧଟି ହେଉଛି ଜଳ ଚେତନା।

ଗଲା ୨୨ ତାରିଖ ଦିନ ଜାତିସଂଘ ଆନୁକୂଲ୍ୟରେ ତମାମ ପୃଥିବୀରେ ପ୍ରତି ବର୍ଷ ଭଳି ପାଳିତ ହେଉଥିବା ‘ବିଶ୍ବ ଜଳ ଦିବସ’ ପରିପ୍ରେକ୍ଷୀରେ ଜଳାଭାବ ଓ ତଜ୍ଜନିତ ସମସ୍ୟାଗୁଡ଼ିକୁ ନେଇ ବିଭିନ୍ନ ମଞ୍ଚରେ ଭାବଗମ୍ଭୀର ଆଲୋଚନା ଏବଂ ସ‌େଚତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜତ ହୋଇ ଯାଇଥିବା ବେଳେ ଏକ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ଏହି ସବୁ ଉଦ୍ୟମମାନ‌ ଅନେକ ସମୟରେ ଲୋକ ଦେଖାଣିଆ କପଟାଚାର ଭଳି ଦିଶି ନ ଥାଏ କି? କାରଣ, ଜାତିସଂଘର ପୂର୍ବତନ ସେକ୍ରେଟାରି ଜେନେରାଲ କୋଫି ଆନ୍ନନଙ୍କ ଏକ ଆପ୍ତବାକ୍ୟସୁଲଭ ମନ୍ତବ୍ୟକୁ ବାରମ୍ବାର ଉଦ୍ଧାର କରି ‘ଭବିଷ୍ୟତ୍‌ରେ ଜଳ (ଅଭାବ)କୁ କେନ୍ଦ୍ର କରି ତୃତୀୟ ବିଶ୍ବଯୁଦ୍ଧ ସଂଘଟିତ ହେବ’ ବୋଲି ବାରମ୍ବାର ଚେତାଇ ଦେଉଥିବା ଏହି ପ୍ରଭାବଶାଳୀ ନୀତି ନିର୍ଦ୍ଧାରକମାନଙ୍କ ଏକ ବୃହତ୍‌ ଅଂଶ ସେମାନଙ୍କ ଦୈନନ୍ଦିନ ଜୀବନରେ ଅଜସ୍ର ଜଳ ଅପଚୟ କରନ୍ତି; ସେମାନଙ୍କ ସକାଶେ ଉପଲବ୍‌ଧ ଜଳର ପ୍ରାଚୁର୍ଯ୍ୟ ହେତୁ ହୁଏତ ସେମାନେ ଜଳାଭାବକୁ ‘ଅନ୍ୟର ସମସ୍ୟା’ ବୋଲି ବିବେଚନା କରି ଉପଦେଶ ଓ ପରାମର୍ଶମାନ ଦିଅନ୍ତି! ଏଣେ ଏକ କର୍କଶ ବାସ୍ତବତା ହେଲା ବୁନ୍ଦାଏ ଜଳକୁ ‘ମୋତି’ଟିଏ ଭଳି ବିଚାର କରୁଥିବା ଏକ ବିଶାଳ ଜନସଂଖ୍ୟା ଶୁଷ୍କତାର ହାହାକାରକୁ ନିରବରେ ସହନ କରି ଚାଲିଥିବା ବେଳେ ସେମାନଙ୍କ ସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ଘଟି ନ ଥାଏ। ସୁତରାଂ, ଅନେକ ଆଲୋଚକଙ୍କ ଦୃଷ୍ଟିରେ ‘ବିଶ୍ବ ଜଳ ଦିବସ’ ପାଳନ ଏକ ବହ୍ବାଡ଼ମ୍ବରୀ ଔପଚାରିକତା ମାତ୍ର!
ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ‌େର ଜଳ ଉପଲବ୍‌ଧତା ଉପରେ ଏକ ବିହଙ୍ଗାବଲୋକନ କରାଯାଉ। କାଗଜପତ୍ରର ବିବରଣୀ ଓ ପରିସଂଖ୍ୟାନ ଦୃଷ୍ଟିରୁ ଏ ସଂଦର୍ଭରେ ଆମ ରାଜ୍ୟର ସ୍ଥିତି ସନ୍ତୋଷଜନକ; ଆମ ରାଜ୍ୟରେ ବାର୍ଷିକ ହାରାହାରି ବୃଷ୍ଟିପାତ ୨୩୧ ବିଲିଅନ କ୍ୟୁବିକ ମିଟର, ଯାହା ମୋଟାମୋଟି ଭାବେ ସ୍ବାଭାବିକ; ‘ୱାଟର ରିସୋର୍ସେସ ଏଣ୍ଡ ସେନସସ୍‌’ ପକ୍ଷରୁ ହୋଇଥିବା ଗଣନା ଅନୁସାରେ ଆମ ରାଜ୍ୟରେ ଆର୍ଦ୍ରଭୂମି ଭାବେ ବିଦ୍ୟମାନ ବନ୍ଧ ବା ଜଳାଶୟର ସଂଖ୍ୟା ହେଉଛି ୭୮, ୫୦୬ (ଦେଶରେ ଦ୍ବିତୀୟ ସର୍ବାଧିକ) ଏବଂ ପୋଖରୀ ସଂଖ୍ୟା ହେଉଛି ୯୨,୬୧୨ (ଦେଶରେ ଚତୁର୍ଥ) ଏବଂ ଏହା ଭାରତର ସମୁଦାୟ ଆର୍ଦ୍ରଭୂମିର ୭.୫ ପ୍ରତିଶତ। ପ୍ରକାଶ ଥାଉ କି ଭୂପୃଷ୍ଠ ଜଳ ଧାରଣ ଏବଂ ଭୂଗର୍ଭସ୍ଥିତ ଜଳ ଭଣ୍ଡାରର ପରିପୋଷଣ ଦିଗରେ ଆର୍ଦ୍ରଭୂମିଗୁଡ଼ିକର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। କେବଳ ସେତିକି ନୁହେଁ, ଓଡ଼ିଶା ମଧ୍ୟ ଏକ ନଦୀମାତୃକା ରାଜ୍ୟ‌, ଯହିଁରେ ୧୨ଟି ବୃହତ୍‌ ନଦୀ ସହିତ ଶତାଧିକ କ୍ଷୁଦ୍ର ଓ ନାତିକ୍ଷୁୁଦ୍ର ନଦୀ ପ୍ରବାହିତ, ଯେଉଁଗୁଡ଼ିକ ଅନେକ ତଟବର୍ତ୍ତୀ ଗ୍ରାମ ଓ ସହରର ଜୀବନ ରେଖା ଭାବେ ବିବେଚିତ। କିନ୍ତୁ, ବିଡ଼ମ୍ବନାଟି ହେଲା ବାସ୍ତବ କ୍ଷେତ୍ରରେ ପରିସଂଖ୍ୟାନର ଏଭଳି ଶୀତଳ ସାନ୍ତ୍ବନା ନିଦାଘର ଶୂଷ୍କତାକୁ ପ୍ରଶମିତ କରି ନଥାଏ, ଯେଉଁ କାରଣରୁ ମାର୍ଚ୍ଚ ମାସ ପ୍ରାରମ୍ଭ ନ ହେଉଣୁ ରାଜ୍ୟର ଗଣମାଧ୍ୟମଗୁଡ଼ିକ ଜଳାଭାବଜନିତ ସମସ୍ୟା ନେଇ ଉଚ୍ଚାଟ ସୃଷ୍ଟି କରନ୍ତି। କାରଣ ପରିସଂଖ୍ୟାନରେ ପ୍ରଦର୍ଶିତ ପ୍ରାଣବନ୍ତ ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରୁ ଅନେକ ମୁମୂର୍ଷୁ, ମୃତପ୍ରାୟ, ପ୍ରଦୂଷିତ, ଏପରିକି ବିଷାକ୍ତ; ପ୍ରଦୂଷଣ ହେତୁ ଅନେକ ପୁଷ୍କରିଣୀ, ବନ୍ଧ, ଜୋର ଏବଂ ନଦୀ ବସତି ନିକଟରେ ହିଁ ବ୍ୟବହାର ଲାଗି ସଂପୂର୍ଣ୍ଣ ଅଯୋଗ୍ୟ। ରାଜ୍ୟର ଅନେକ ଅଞ୍ଚଳରେ, ବିଶେଷତଃ ପଶ୍ଚିମ ଓଡ଼ିଶାରେ, ନଳକୂପରୁ ନିର୍ଗତ ଜଳ ଆର୍ସେନିକ ଓ ଫ୍ଲୋରାଇଡ୍‌ ଭଳି ଅତ୍ୟନ୍ତ ହାନିକାରକ ରାସାୟନିକ ଦ୍ରବ୍ୟ ଦ୍ବାରା ବିଷାକ୍ତ ହୋଇ ପରିତ୍ୟାଜ୍ୟ। ବିଭିନ୍ନ କାରଣରୁ ରାଜ୍ୟ‌େର ଗ୍ରାମାଞ୍ଚଳରେ ଥିବା ନଳକୂପ ମଧ୍ୟରୁ ପ୍ରାୟ ୪୦% ଅଚଳ। ଏଭଳି ସ୍ଥଳେ ଦୈନନ୍ଦିନ ବ୍ୟବହାର ସକାଶେ ଜଳ ସଂଗ୍ରହ କରିବା ଲାଗି ଦଶରୁ ପନ୍ଦର କିଲୋମିଟର ପର୍ଯ୍ୟନ୍ତ ଅତ୍ୟନ୍ତ କ୍ଳାନ୍ତିକର ପଦଯାତ୍ରା କରିବାକୁ ପଡ଼ିଥାଏ। କହିବା ଅନାବଶ୍ୟକ ଯେ ଜଳର ପ୍ରାଚୁର୍ଯ୍ୟରେ ବାସ କରୁଥିବା ଲୋକେ ଏହି କଷଣକୁ ହୃଦୟଙ୍ଗମ କରିବା କଷ୍ଟକର, ଯେଉଁ କାରଣରୁ ସହରମାନଙ୍କରେ ଅଧା ଖୋଲା ପାଣି କଳ ବା ଲିକ୍‌ ଥିବା ନଳରୁ ଅବିରତ ଜଳ ଧାର ଛୁଟୁଥିଲେ ହେଁ ତାହା କାହାର ଦୃଷ୍ଟି ଆକର୍ଷଣ କରି ନ ଥାଏ। ଅଥଚ ସହରର ସେହି ଅସଚେତନ ଅଥଚ ପ୍ରଭାବଶାଳୀ ବର୍ଗ ‘ବିଶ୍ବ ଜଳ ଦିବସ’ରେ ସକ୍ରିୟ ହୋଇ ଉଠନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜଳକ୍ଳିଷ୍ଟ ଅଞ୍ଚଳରେ ଜଳଭାବର ତାଡ଼ନା ବିଭିନ୍ନ ପ୍ରକାର ବୈଷମ୍ୟକୁ ମଧ୍ୟ ଜାତ କରିଥାଏ, ଯାହା ଅଲକ୍ଷ୍ୟରେ ସମାଜ ଉପରେ ସୁଦୂରପ୍ରସାରୀ ପ୍ରଭାବ ମଧ୍ୟ ପକାଏ। ୨୦୧୯ ମସିହାରେ ୟୁନିସେଫ ଦ୍ବାରା ପ୍ରଦତ୍ତ ଏକ ହିସାବ କହିଥିଲା ଯେ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳମାନଙ୍କ‌େର ସମଗ୍ର ପରିବାରର ଜଳ ଚାହିଦା ପୂରଣ କରିବା ସକାଶେ ଜଣେ ଗୃହିଣୀଙ୍କୁ ପ୍ରାୟ ୧୦ରୁ ୧୫ କିଲୋଗ୍ରାମ ଓଜନ ବିଶିଷ୍ଟ ଜଳପୂର୍ଣ୍ଣ ପାତ୍ର (ଗରା) ବହନ କରି ହାରାହାରି ଚାର ଘଣ୍ଟା କାଳ ପାଦରେ ଚାଲିବାକୁ ହୋଇଥାଏ, ଯହିଁରେ ଗର୍ଭବତୀ ଏବଂ ଅତିରିକ୍ତ ସାହାଯ୍ୟ ଲାଗି କିଶୋରୀ କନ୍ୟାମାନେ ମଧ୍ୟ ଅନ୍ତର୍ଭୁକ୍ତ ହୁଅନ୍ତି। କହିବା ବାହୁଲ୍ୟ ଯେ ଏଭଳି ଶ୍ରମ ଦ୍ବ‌ାରା ସେମାନେ ବ୍ୟୟ କରୁଥିବା ଶକ୍ତିର ଭରଣା ସେମାନଙ୍କ ଆହାରରୁ ହୋଇ ନ ଥାଏ। ଏଣେ, ଏହି ପାଣିର ବ୍ୟବହାର ଉପରେ ପରିବାରର ପୁରୁଷମାନଙ୍କ ଅଗ୍ରାଧିକାର ପରେ ପାକଶାଳାରେ ଏହି ଜଳର ସିଂହଭାଗ ଖର୍ଚ୍ଚ ହେବା ଉପରାନ୍ତ ମହିଳାମାନଙ୍କ ସକାଶେ ଯେଉଁ ସ୍ବଳ୍ପ ଉଦ୍‌ବୃତ୍ତ ଜଳ ରହେ, ସେଥିରେ ସେମାନଙ୍କ ବ୍ୟକ୍ତିଗତ ପରିଚ୍ଛନ୍ନତା (ବିଶେଷ କରି ଋତୁସ୍ରାବ କାଳରେ) ରକ୍ଷା କରିବା ମଧ୍ୟ ସମ୍ଭବ ହୋଇ ନ ଥାଏ। ଏହି ସବୁ କାରଣରୁ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳର ଅନେକ ଦରିଦ୍ର ମହିଳା ବିଭିନ୍ନ ପ୍ରକାର ବ୍ୟାଧିର ଶିକାର ହୁଅନ୍ତି। କେବଳ ସେତିକି ନୁହେଁ, ଗ୍ରୀଷ୍ମ କାଳରେ ଜଳ ସଂଗ୍ରହ ଶିକ୍ଷାଲାଭ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚିତ ହେଉଥିବାରୁ ସେହି ସବୁ ଅଞ୍ଚଳରେ ଅନେକ କିଶୋରୀ ଓ ତରୁଣୀ ସାମୟିକ ଭାବେ ସ୍କୁଲ ଶିକ୍ଷାରୁ ବିରତି ମଧ୍ୟ ନିଅନ୍ତି। ଜଳକ୍ଳିଷ୍ଟ ଗ୍ରାମାଞ୍ଚଳରେ ଲିଙ୍ଗୀୟ ବୈଷମ୍ୟର ଏହି କାରୁଣ୍ୟକୁ ଅତିକ୍ରମ କରିଥାଏ ଜାତିଗତ ବିଭେଦ, ଯେଉଁ କ୍ଷେତ୍ରରେ ନିକଟରେ ବ୍ୟବହାରଯୋଗ୍ୟ ଜଳ ଉପଲବ୍‌ଧ ଥିଲେ ମଧ୍ୟ ତାହା ଦଳିତ ଏବଂ ତଥାକଥିତ ଅସବର୍ଣ୍ଣ ଜାତିମାନଙ୍କ ସକାଶେ ସ୍ପର୍ଶାତୀତ ହୋଇ ପହଞ୍ଚରୁ ବାହାରେ ରହେ। ଏହା ସହିତ ଜଳର ବ୍ୟବହାର ସକ୍ଷମତା ଆଧାରରେ ଧନୀ ଓ ଦରିଦ୍ରମାନଙ୍କ ଭିତ‌େର ପାର୍ଥକ୍ୟ ମଧ୍ୟ ପ୍ରଗାଢ଼ ହୋଇଥାଏ। ଏଥିରୁ ପ୍ରମାଣିତ ହୋଇଥାଏ କିଭଳି ଜଳାଭାବଜନିତ ସମସ୍ୟାରେ ଲିଙ୍ଗଗତ, ଜାତିଗତ ଓ ସମ୍ବଳଗତ ବୈଷମ୍ୟ ଅବିମୋଚନୀୟ ଅସହାୟତାକୁ ମଧ୍ୟ ଜନ୍ମ ଦେଇଥାଏ। ଅବଶ୍ୟ, ଏହା ସତ ଯେ ସରକାର ବିଭିନ୍ନ ‌େଯାଜନା ମାଧ୍ୟମରେ ଜଳ କଷ୍ଟ ଦୂର କରିବାରେ ପ୍ରୟାସୀ, କିନ୍ତୁ ଅପରିଣାମଦର୍ଶୀ ଯୋଜନା, ଦୁର୍ନୀତି ଓ ଉଦାସୀନତା କାରଣରୁ ଈପ୍‌ସିତ ଫଳ ମିଳି ନ ଥାଏ। ଜଳ ଉପଲବ୍‌ଧତା କ୍ଷେତ୍ରରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପଥିକୃତ୍‌ ଉଦ୍ୟମ କରିଥିବା ‘ସ୍ବଦେଶ ଫାଉଣ୍ଡେସନ’ର ମ୍ୟାନେଜିଂ ଟ୍ରଷ୍ଟି ଜରିନା ସ୍କ୍ରିଉୱାଲାଙ୍କ ମତରେ ଜଳଭାବର ଜ୍ବଳନରେ ଦଗ୍‌ଧ ହେଉଥିବା ବର୍ଗଙ୍କୁ ସମସ୍ୟା ଦୂରୀକରଣ ଯୋଜନାରେ ଅନ୍ତର୍ଭକ୍ତ କରା ନ ଗଲେ ସଫଳତା ମିଳିବା କଷ୍ଟକର। ତାଙ୍କ ପ୍ରେରଣାରେ ମହିଳାମାନଙ୍କ ନେତୃତ୍ବରେ ଗଠିତ ‘ଗ୍ରାମ୍ୟ କମିଟି’ମାନ ନିଜ ଆଖପାଖର ଜଳ ସଂସାଧନକୁ ଉପଯୋଗ କରି ଓ ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦେଇ ଆପଣା ଅଞ୍ଚଳର ଜଳାଭାବ ସମସ୍ୟାକୁ ପ୍ରତିହତ କରି ପାରିଛନ୍ତି।
କହିବା ବାହୁଲ୍ୟ ଯେ ‘ବିଶ୍ବ ଜଳ ଦିବସ’ ସମ୍ବନ୍ଧରେ ପ୍ରାୟତଃ ଅଜ୍ଞ ଥିବା ଦରିଦ୍ର ଓ ସ୍ବଳ୍ପ ଶିକ୍ଷିତ ବା ଅଶିକ୍ଷିତ ଗ୍ରାମବାସୀ (ଜଳକ୍ଳିଷ୍ଟ ଅଞ୍ଚଳର)ମାନେ ବୁନ୍ଦାଏ ପାଣିର ମୂଲ୍ୟକୁ ଯେଭଳି ବୁଝନ୍ତି, ତାହା ହୁଏତ ଜଳାଭାବ ସମସ୍ୟା ସଂପର୍କିତ ସଂପାନରେ ବିଦଗ୍‌ଧ ମତାମତ ପ୍ରଦାନ କରୁଥିବା ଓ ତର୍କରେ ମଗ୍ନ ହେଉଥିବା ବିଦ୍ବାନ ଓ ବିଶେଷଜ୍ଞମାନେ ନିଶ୍ଚିତ ଭାବେ ହୃଦ୍‌ବୋଧ କରିପାରିବେ ନାହିଁ। ଜରିନା ସ୍କ୍ରିଉଵାଲା କହିଥାଆନ୍ତି ଯେ ଶୌଚାଳୟ ବ୍ୟବହାର କରିବା ପରେ ଅନ୍ୟମନସ୍କ ଓ ସ୍ବତଃସ୍ଫୂର୍ତ୍ତ ଭାବେ ‘ଫ୍ଲସ୍‌’ କରି ଆମେମାନେ ଥରକେ ଯେଉଁ ୬ରୁ ୯ ଲିଟର ପର୍ଯ୍ୟନ୍ତ ପରିମାଣର ସ୍ବଚ୍ଛ ଜଳରାଶି ସ୍ବେରେଜ ଗର୍ତ୍ତକୁ ନିକ୍ଷେପ କରିଦେଉ, ତହିଁରେ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳର ଗୋଟିଏ ପରିବାର ହୁଏତ ଦିନକ ଲାଗି ଚଳିଯାଇପାରେ! ଏହି ଅସାମାନ୍ୟ ଭାବେ ସାମାନ୍ୟ ବୋଧଟି ହେଉଛି ଜଳ ଚେତନା।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.