Breaking News

ଜଳ ପ୍ରକଳ୍ପକୁ ନେଇ ଓମାର-ମୁଫ୍‌ତି ମୁହାଁମୁହିଁ

କେନ୍ଦ୍ର ସରକାର ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେବାପରେ କାଶ୍ମୀରରେ ଦୀର୍ଘଦିନ ଧରି ପଡ଼ି ରହିଥିବା ତୁଲବୁଲ୍‌ ନାଭିଗେସନ୍‌ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାପାଇଁ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା....

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେବାପରେ କାଶ୍ମୀରରେ ଦୀର୍ଘଦିନ ଧରି ପଡ଼ି ରହିଥିବା ତୁଲବୁଲ୍‌ ନାଭିଗେସନ୍‌ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାପାଇଁ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନେଇଥିବା ନିଷ୍ପତ୍ତି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ତୁଲବୁଲ୍‌ ନାଭିଗେସନ୍‌  ବ୍ୟାରେଜ୍‌ ପ୍ରୋଜେକ୍ଟ ପୁନର୍ବାର ଆରମ୍ଭ କରିବା ପ୍ରକ୍ରିୟାକୁ ବିରୋଧ କରୁଥିବାରୁ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିନ୍ଧୁ ଜଳ ଚୁକ୍ତି କିଭଳି ଐତିହାସିକ ଭାବେ ଜମ୍ମୁ କାଶ୍ମୀରର ସ୍ବାର୍ଥକୁ କ୍ଷତି ପହଞ୍ଚାଇଛି ସେଥିପ୍ରତି ମୁଫ୍‌ତି ଅଣଦେଖା କରିଛନ୍ତି ବୋଲି ଓମାର କହିଛନ୍ତି।

ସିନ୍ଧୁ ଜଳଚୁକ୍ତିକୁ ବିରୋଧ କରୁଥିବା ଓମାର ଅବଦୁଲ୍ଲା କହିଛନ୍ତି, ଉତ୍ତର କାଶ୍ମୀରର ଉଲାର ଲେକ୍‌ ଉପରେ ତୁଲବୁଲ୍‌ ନାଭିଗେସନ୍‌ ବ୍ୟାରେଜ୍‌ କାମ ଆରମ୍ଭ ହେଲେ ଏହାଦ୍ବାରା ଏକାଧିକ ଲାଭ ମିଳିବ। ନୌ-ପରିବହନ ପାଇଁ ଝେଲମ ନଦୀକୁ ବ୍ୟବହାର କରିବାପାଇଁ ଏହାଦ୍ବାରା ସୁବିଧା ହେବ ଏବଂ  ଏହାଦ୍ବାରା ତଳିଆ ଅଞ୍ଚଳରେ ବିଦ୍ୟୁତ୍‌ ଉତ୍ପାଦନ ଶକ୍ତି ବୃଦ୍ଧି ହେବ।  ତେବେ ଓମାର ଅବଦୁଲ୍ଲାଙ୍କୁ ଏଥିପାଇଁ କଡ଼ା ଜବାବ ଦେଇ ମେହବୁବା ମୁଫ୍‌ତି ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଓମାରଙ୍କ ପରାମର୍ଶ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ  ଉତ୍ତେଜନାପୂର୍ଣ୍ଣ ବୋଲି ସେ କହିଛନ୍ତି।   ମୁଫ୍‌ତି ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା‌ବେଳେ ଏଭଳି ସମୟରେ ତୁଲବୁଲ୍‌ ନାଭିଗେସନ୍‌ ପ୍ରକଳ୍ପକୁ ପୁଣିଥରେ ଆରମ୍ଭ କରିବା ଦୁର୍ଭାଗ୍ୟଜନକ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ପୁଣିଥରେ ଉତ୍ତେଜନା ମଧ୍ୟରେ ଜଳକୁ ଅସ୍ତ୍ର କରିବା ନେଇ ଚେତାବନୀ ଦେଇଛନ୍ତି।  ମୁଫ୍‌ତି କହିଛନ୍ତି,   ଜଳକୁ ଅସ୍ତ୍ର କରିବା ଅତ୍ୟନ୍ତ ଦାୟିତ୍ବହୀନ କାର୍ଯ୍ୟ। ମୁଫ୍‌ତିଙ୍କ ଏହି ଟିପ୍ପଣୀ ପାଇଁ ଓମାର ଅବଦୁଲ୍ଲା ତାଙ୍କ ଉପରେ ବର୍ଷିଛନ୍ତି। ଓମାର କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆପଣ  ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସୀମା ଆରପଟେ ବସିଥିବା କିଛି ଲୋକଙ୍କୁ ଖୁସି କରିବା ପାଇଁ ଚାହୁଛନ୍ତି।    ଜମ୍ମୁ-କଶ୍ମୀରର ଲୋକଙ୍କ ସ୍ୱାର୍ଥ ପ୍ରତି ଏହା ସବୁଠାରୁ ବଡ଼ ଐତିହାସିକ ବିଶ୍ୱାସଘାତକତା ବୋଲି ଓମାର କହିଛନ୍ତି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.