Breaking News

ଜଳ ପ୍ରଳୟ ରଚିବ ପୋଲାଭରମ୍‌: ଜଳମଗ୍ନ ହେବ ୭୬୫୬ ହେକ୍ଟର୍‌ ଜମି

ଚିତ୍ରକୋଣ୍ଡା ଜଳଭଣ୍ଡାର ଦ୍ବାରା ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଏଯାଏଁ ଶୁଖିନି। ଅନେକ ଭିଟାମାଟି ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି ଆନ୍ଧ୍ରର ପୋଲାଭରମ୍‌ ପ୍ରକଳ୍ପ।

ପ୍ରେମେନ୍ଦ୍ର ପରିଚ୍ଛା 

ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାର ଦ୍ବାରା ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଏଯାଏଁ ଶୁଖିନି। ଅନେକ ଭିଟାମାଟି ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି ଆନ୍ଧ୍ରର ପୋଲାଭରମ୍‌ ପ୍ରକଳ୍ପ। ଏହି ପ୍ରକଳ୍ପ ଆଗାମୀ ଦିନରେ ଜିଲ୍ଲାରେ ଜଳ ପ୍ରଳୟ ରଚିବ। ପ୍ରକଳ୍ପ ଦ୍ବାରା ୭୬୫୬ ହେକ୍ଟର ଜମି, ୯୫୦୦ ହେକ୍ଟର ଜଙ୍ଗଲ ଜଳମଗ୍ନ ହେବା ସହ ମୋଟୁ ଅଞ୍ଚଳର ୪୨୮୭ ଆଦିବାସୀ ପରିବାର ବିସ୍ଥାପିତ ହେବେ। ଏହି ବିବାଦୀୟ ପ୍ରକଳ୍ପକୁ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ବିରୋଧ କରୁଥିବା ବେଳେ ଏକତରଫା ଭାବେ ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ ତରାନ୍ବିତ କରି ଚାଲିଛନ୍ତି। ଇନ୍ଦିରା ସାଗର ଡ୍ୟାମ୍‌ ନାମରେ ପରିଚିତ ଏହି ପ୍ରକଳ୍ପ ଗୋଦାବରୀ ନଦୀରେ ନିର୍ମାଣ ହେଉଛି। ନିର୍ମାଣ ଆରମ୍ଭ ଦିନରୁ ଗୋଦାବରୀର ପଛୁଆ ପାଣି ମାଲକାନଗିରି ଜିଲ୍ଲା ପାଇଁ ବିପଦ ଆଣୁଛି। ବିଶେଷ କରି ମୋଟୁ ଅଞ୍ଚଳରେ ପ୍ରତି ବର୍ଷ ମୌସୁମୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହେଉଛି। ସେହିପରି ସିଲେରୁ ଓ ସାବେରୀ ନଦୀରେ ବନ୍ୟାଜଳ ନିଷ୍କାସନ ହୋଇ ପାରୁନଥିବାରୁ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି ମାଲକାନଗିରି।

ଜଳମଗ୍ନ ହେବ ୭୬୫୬ ହେକ୍ଟର୍‌ ଜମି
ବୁଡ଼ିଯିବ ୯୫୦୦ ହେକ୍ଟର୍‌ ଜଙ୍ଗଲ
ବିସ୍ଥାପିତ ହେବେ ୪୨୮୭ ପରିବାର
ଏଯାଏ ଶୁଖିନି ଚିତ୍ର‌କୋଣ୍ଡା କ୍ଷତ

୧୯୭୮ରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ୍‌ ପ୍ରକଳ୍ପର ପରିକଳ୍ପନା କରିଥିଲେ। ଚୁକ୍ତିରେ ଡ୍ୟାମ୍‌ର ଉଚ୍ଚତା ୧୫୦ ଫୁଟ କରିବାକୁ ଡିଜାଇନ ପ୍ରସ୍ତୁତ  ହୋଇଥିଲା। କିନ୍ତୁ ୧୯୯୭ରେ ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରାଯାଇ ଡ୍ୟାମ୍‌ ଉଚ୍ଚତା ୧୮୨ ଫୁଟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ପ୍ରକଳ୍ପକୁ ନେଇ ବିରୋଧ ଆରମ୍ଭ ହୋଇଥିଲା। ଡିଜାଇନକୁ ନେଇ ଖ୍ୟାତିସଂପନ୍ନ ଇଞ୍ଜିନିୟର ଓ ପ୍ରତିଷ୍ଠିତ ପରିବେଶବିତ୍ ଅନେକ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ପ୍ରାୟ ୮୦ ପ୍ରତିଶତ କାମ ସରିଲାଣି। କିନ୍ତୁ ଏଯାଏଁ ବାସ୍ତବ କ୍ଷୟକ୍ଷତିର ଆକଳନ କରାଯାଉନି। ଏ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ସେପଟେ କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି, ପୋଲାଭରମ୍‌ ଯୋଗୁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ପାଇଁ କୌଣସି କ୍ଷତିପୂରଣର ଆବଶ୍ୟକତା ନାହିଁ। କେନ୍ଦ୍ର ସରକାରଙ୍କର ଯୁକ୍ତି ହେଲା ସିଲେରୁ ଓ ସାବେରୀ ନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ କରାଯିବ। ଯାହା ଫଳରେ ଓଡ଼ିଶା କିମ୍ବା ଛତିଶଗଡ଼କୁ କୌଣସି ବନ୍ୟାଜଳ ପ୍ରବେଶ କରିବ ନାହିଁ। ଏହି ପ୍ରକଳ୍ପ ହେଲେ ମୋଟୁ, ପୁଶୁଗୁଡ଼ା, ତାଣ୍ଡବାଇ, ମାରାଭରମ, ଟେଟରାଇ, ଲୋକନଗୁଡା, ମୁରଲୀଗୁଡ଼ା, କୋତାଗୁଡ଼ା, କମଳାପୁରମ, ବିନାୟକପୁର, ଆଲମା, ଇଛାପୁରମ, ପରସନପାଲୀ, ମାକନପାଲୀ, ଗାରସାପାଲୀ, ରାମଭରମ, ସୁନାବେଡ଼ା, ପେଟା, ସିମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ, ପୁଟମପାଲୀ, ଏମ୍‌ଭି-୬୦, ଏମ୍‌ଭି-୬୧, ଏମ୍‌ଭି-୬୯, ଏମ୍‌ଭି୧୧୦, ଏମ୍‌ଭି-୧୧୬, ଏମ୍‌ଭି-୬୨, କାଲଦାପାଲୀ, ମାଲାଭରମ, ପଡ଼ିଆ ସହ କାଲିମେଳା ବ୍ଲକ୍‌ର ଅନେକ ଗାଁ ବୁଡ଼ିଯିବ। ୩ ରାଜ୍ୟର କ୍ଷୟକ୍ଷତିକୁ ଆକଳନ କଲେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଭବିଷ୍ୟତରେ ପ୍ରକଳ୍ପ ଭୁଶୁଡ଼ିଲେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହେବେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.