ବିରାଟଙ୍କ ବିଫଳତା ଜାରି
ଭାରତୀୟ ପାଳିର ସପ୍ତଦଶ ଓଭରରେ ଯୁବ ତାରକା ଶୁବମନ୍ ଗିଲ୍ ଆଉଟ୍ ହେବା ପରେ କିଂବଦନ୍ତି କୋହଲି ପଡ଼ିଆ ଭିତରକୁ ପଶିବା କ୍ଷଣି ବାରବାଟୀରେ ପାଖାପାଖି ୫୦,୦୦୦ ଦର୍ଶକ ତାଙ୍କୁ ବଡ଼ ପାଟି କରି ସ୍ବାଗତ କରିଥିଲେ। କୋହଲି ନିଜ ଚତୁର୍ଥ ବଲ୍‌କୁ ଚୌକା ମାରି ଖାତା ଖୋଲିବା ସହ ତାଙ୍କ ଜୟଗାନରେ ବାରବାଟୀ ଉଚ୍ଛୁଳି ପଡ଼ିଥିଲା। ହେଲେ ମାତ୍ର ୧ ରନ୍ ପରେ ଆଦିଲ ରସିଦଙ୍କ ବଲ୍‌ରେ ଇଂଲଣ୍ଡ ୱିକେଟ୍‌ରକ୍ଷକ ଫିଲ୍ ସଲ୍ଟ ତାଙ୍କୁ କ୍ୟାଚ୍ କରିବା ପରେ ପୂରା ଷ୍ଟାଡିୟମ୍ ସ୍ତବ୍ଧ ହୋଇଯାଇଥିଲା। ଦର୍ଶକ ଏହାକୁ ଆଦୌ ବିଶ୍ବାସ କରି ନପାରି ନଥିଲେ। ଢେର୍‌ ସମୟ ପର୍ଯ୍ୟନ୍ତ ଷ୍ଟାଡିୟମ୍ ଦୁଃଖରେ ନିରବ ହୋଇଯାଇଥିଲା। ଟେଲିଭିଜନ୍ ରିପ୍ଲେରୁ ସେ ଆଉଟ୍ ହୋଇଥିବା ସ୍ପଷ୍ଟ ହେବା ପରେ ହତାଶ କୋହଲି ମଧ୍ୟ ମୁହଁ ତଳକୁ କରି ପ୍ୟାଭିଲିୟନ ଫେରି ଯାଇଥିଲେ। ବଲ୍ ଆଶାଠାରୁ ଅଧିକ ଟର୍ଣ୍ଣ ହେବା ପରେ କୋହଲିଙ୍କ ବ୍ୟାଟ୍ ଧାର ଛୁଇଁ ସଲ୍ଟଙ୍କ  ଗ୍ଲୋଭ୍‌ସକୁ ଚାଲି ଯାଇଥିଲା। ରସିଦ ନିଜ କ୍ୟାରିୟର୍‌ରେ ତାଙ୍କୁ ତୃତୀୟ ଥର ପାଇଁ ଶିକାର କରି ନେଇ ନିଆରା ଆନନ୍ଦ ଉତ୍ସବ ପାଳିଥିଲେ। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଆଣ୍ଠୁ ଯନ୍ତ୍ରଣା ପାଇଁ କୋହଲି ଖେଳି ନଥିଲେ। ତା ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ସଂଘର୍ଷ କରିଥିଲେ।

ଜମିଲେ ଡକେଟ୍, ରୁଟ୍
୧୦୨ ରନ୍‌ର ଦଳୀୟ ସ୍କୋର୍‌ରେ ଡକେଟ୍ ପ୍ୟାଭିଲିୟନ ଫେରିବା ପରେ ଜୋ ରୁଟ୍ ଓ ହ୍ୟାରି ବ୍ରୁକ୍ ତୃତୀୟ ୱିକେଟ୍‌ରେ ଆଉ ଏକ ଉପଯୋଗୀ ଭାଗୀଦାରି ଖେଳିଥିଲେ। ଉଭୟ ୬୬ ରନ୍ ଯୋଡ଼ି ଇଂଲଣ୍ଡ ପାଳିକୁ ସଫଳତାର ସହ ଆଗେଇ ନେଇଥିଲେ। ବ୍ରୁକ୍ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ହର୍ଷିତ ରାଣା ଏକ ଅଫ୍‌କଟର୍‌ରେ ତାଙ୍କୁ ଚକ୍‌ମା ଦେଇଥିଲେ। ଶୁବମନ୍ ଗିଲ୍ ପଛକୁ ଦୌଡ଼ି ଲଙ୍ଗ ଅନ୍‌ ଅଞ୍ଚଳରେ ସୁନ୍ଦର ଭାବେ କ୍ୟାଚ୍ ପୂରଣ କରିବା ସହ ଭାରତ ଠିକଣା ସମୟରେ ବ୍ରେକ୍ ଥ୍ରୁ ପାଇଥିଲା। ଏହା ପରେ ରୁଟ୍ ଅଧିନାୟକ ଜୋସ୍ ବଟଲରଙ୍କୁ ସାଥୀ କରି ଚତୁର୍ଥ ୱିକେଟ୍‌ରେ ୪୧ ରନ୍‌ର ଆଉ ଏକ ମୂଲ୍ୟବାନ ଭାଗୀଦାରି କରିଥିଲେ। ଏହି ଯୋଡ଼ି ଆହୁରି ବିପଜ୍ଜନକ ହେବା ପୂର୍ବରୁ ବଟଲର୍‌ଙ୍କୁ ହାର୍ଦିକ ପାଣ୍ଡ୍ୟା ୩୪ ରନ୍‌ରେ ଆଉଟ୍ କରି ଭାରତୀୟ ଶିବିରକୁ ଆଶ୍ବସ୍ତ କରିଥିଲେ। ତା’ ଭିତରେ କିନ୍ତୁ ଇଂଲଣ୍ଡ ୩୫ ଓଭରରେ ୨୦୦ ରନ୍ ଛୁଇଁ ନେଇଥିଲା। ପୁଣି ରୁଟ୍ ୬୦ ବଲ୍‌ରୁ ୪ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୪୦ ଏବଂ ଇଂଲଣ୍ଡ ପାଳିର ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ୬୯ ରନ୍‌ରେ ଥିଲା ବେଳେ କିନ୍ତୁ ଜାଡ଼େଜାଙ୍କୁ ବଡ଼ ସଟ୍ ଖେଳିବା ଲୋଭରେ ଏକ୍ସଟ୍ରା କଭର ଅଞ୍ଚଳକୁ ଏକ ସହଜ କ୍ୟାଚ୍ ଦେଇଥିଲେ ରୁଟ୍। ଏହାକୁ କୋହଲି ଅନାୟସରେ କରାୟତ୍ତ କରିଥିଲେ, ଆଉ ଇଂଲଣ୍ଡ ୨୪୮ ରନ୍‌ରେ ପଞ୍ଚମ ୱିକେଟ୍ ହରାଇଥିଲା। ୧୦ ରନ୍ ପରେ ଜାମି ଓଭରଟନ୍‌ଙ୍କ ରୂପରେ ଇଂଲଣ୍ଡକୁ ଜାଡ଼େଜା ଆଉ ଏକ ଝଟ୍‌କା ଦେଇଥିଲେ। ଗସ୍ ଆଟକିନସନ୍ ଇଂଲଣ୍ଡ ଶେଷ ଓଭରଗୁଡ଼ିକରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରି ନଥିଲା। ତଥାପି ଲିଆମ ଲିଭିଂଷ୍ଟୋନ୍ ଓ ଆଦିଲ ରସିଦଙ୍କ ବିଳମ୍ବିତ ବିସ୍ଫୋରଣ ପାଇଁ  ୩୦୦ ରନ୍ ଟପି ଯାଇଥିଲା।