ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଜାତୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି ବୈଠକ ଡେରାଡୁନ୍‌ରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଡ଼ିଶା ଦଳର ସେଫ୍‌-ଡି-ମିସନ୍‌ ଅଶୋକ ସାହୁ ଯୋଗ ଦେଇଥିଲେ। ଜାତୀୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଅନେକ ଭିଭିଆଇପିଙ୍କ ଆଗମନ ମଧ୍ୟ ହେବ। ତେଣୁ ଖେଳାଳିଙ୍କ ସହିତ ଅତିଥିମାନଙ୍କର ରହଣି ଓ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଜାତୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଓଡ଼ିଶାର ମହିଳା ଜିମ୍ନାଷ୍ଟିକ୍ସ ଦଳ ‌ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛି। ଗତ ଡିସେମ୍ବରରେ ଶେଷ ହୋଇଥିବା ଜାତୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ତୃତୀୟ ସ୍ଥାନରେ ରହିଥିଲା।

ଏହି ଦଳରେ ଖେଳିଥିବା ତନୁ, କରିସ୍ମା, ଅଦିତି, ଲକ୍ଷ୍ମୀପ୍ରିୟା ସୁନ୍ଦରାୟ, ରିତିକା ଦାସ, ପ୍ରୀତି ରେଡ୍ଡୀ ପ୍ରଥମ ଥର ଜାତୀୟ କ୍ରୀଡ଼ାରେ ଖେଳିବାର ଅଭିଜ୍ଞତା ପାଇବେ। ଫେବ୍ରୁଆରି ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସର ବିଭିନ୍ନ ଇଭେଣ୍ଟ୍‌ଗୁଡ଼ିକ ଅନୁଷ୍ଠିତ ହେବ। ଏଥିସହିତ ପୁରୁଷ ଜିମ୍ନାଷ୍ଟିକ୍‌ ଦଳ ମଧ୍ୟ ଅଂଶଗ୍ରହଣ କରିବ। ଜିମ୍ନାଷ୍ଟିକ୍ସ ବ୍ୟତୀତ ଭାରୋତ୍ତୋଳନ, ଉଷୁ, ଦୌଡ଼କୁଦ, ଟାଏକୋଣ୍ଡୋ, ଟ୍ରାଏଥଲନ୍‌, ସାଇକେଲ୍‌ ଚାଳନା, ତୀରନ୍ଦାଜି, ରୋଇଂ, ଜୁଡ଼ୋ, ପେଣ୍ଟାଥଲନ୍‌, କୁସ୍ତି, ଯୋଗ, କାୟାକିଂ ଓ କାନୋଇଂ, ସନ୍ତରଣ, ବିଚ୍‌ ଭଲିବଲ୍‌, ୱାଟର୍‌ ପୋଲୋ, ମୁଷ୍ଟିଯୁଦ୍ଧ, ଫୁଟ୍‌ବଲ୍‌, ବ୍ୟାଡ୍‌ମିଣ୍ଟନ୍‌, ହକି, ଖୋଖୋ, ଲନ୍‌ବଲ୍‌, ଲନ୍‌ ଟେନିସ୍‌, ରଗ୍‌ବି ଇଭେଣ୍ଟ୍‌ରେ ଓଡ଼ିଶା ଅଂଶଗ୍ରହଣ କରୁଛି। ମୋଟ୍‌ ୧୧ଟି ସ୍ଥାନ ଡେରାଡୁନ୍‌, ଋଷିକେଶ, ହରିଦ୍ବାର, ତେହରି, ରୁଦ୍ରପୁର, ଖାତିମା, ସଟଲ୍‌, ହଲ୍‌ଦିୱାନି, ଅଲ୍‌ମୋରା, ପିତୋରଗଡ଼, ତାମ୍‌କାପୁରରେ ଇଭେଣ୍ଟ୍‌ଗୁଡ଼ିକ ଅନୁଷ୍ଠିତ ହେବ।