Breaking News

ଜାତୀୟ ଦୃଷ୍ଟିବାଧିତ ଚେସ୍: ଦର୍ପଣ ବିଜେତା

ଚେସ୍ ବୋର୍ଡରେ ପୁଣି ଥରେ ଦୃଷ୍ଟିବାଧିତ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦର୍ପଣ ଈରାନୀଙ୍କ ଯାଦୁ ଦେଖିବାକୁ ମିଳିଛି। ଗୁଜରାଟର ଏହି ପ୍ରେରଣାଦାୟୀ ତଥା ଅସାଧାରଣ ପ୍ରତିଭାର ଅଧିକାରୀ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍‌ସିଆଲ୍ ସ୍କୁଲ୍‌ଠାରେ ଆୟୋଜିତ ଅଷ୍ଟାଦଶ ଜାତୀୟ ଦୃଷ୍ଟିବାଧିତ ଚେସ୍‌ରେ ବିଜେତା ହୋଇଛନ୍ତି।

ଭୁବନେଶ୍ବର: ଚେସ୍ ବୋର୍ଡରେ ପୁଣି ଥରେ ଦୃଷ୍ଟିବାଧିତ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦର୍ପଣ ଈରାନୀଙ୍କ ଯାଦୁ ଦେଖିବାକୁ ମିଳିଛି। ଗୁଜରାଟର ଏହି ପ୍ରେରଣାଦାୟୀ ତଥା ଅସାଧାରଣ ପ୍ରତିଭାର ଅଧିକାରୀ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍‌ସିଆଲ୍ ସ୍କୁଲ୍‌ଠାରେ ଆୟୋଜିତ ଅଷ୍ଟାଦଶ ଜାତୀୟ ଦୃଷ୍ଟିବାଧିତ ଚେସ୍‌ରେ ବିଜେତା ହୋଇଛନ୍ତି। ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ତଥା ୮ଥର ବିଜେତା କର୍ଣ୍ଣାଟକର କିଶନ ଗାଙ୍ଗୁଲି ସମାନ ୭.୫ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଟାଇବ୍ରେକ୍ ସ୍କୋର୍‌ରେ ପଛୁଆ ରହି ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ମହାରାଷ୍ଟ୍ରର ଆର୍ଯ୍ୟନ ବି ଯୋଶୀ ଏବଂ ଓଡ଼ିଶା ତାରକା ପ୍ରଚୁର୍ଯ୍ୟ କୁମାର ପ୍ରଧାନ ୭ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ସୌନ୍ଦର୍ଯ୍ୟଙ୍କ ଭାଇ ପ୍ରାଚୁର୍ଯ୍ୟ (୬) ସପ୍ତମ, ଶୁଭେନ୍ଦୁ କୁମାର ପାତ୍ର (୫.୫) ତ୍ରୟୋଦଶ ଏବଂ ଅନ୍ୟତମ ଓଡ଼ିଆ ତାରକା ଦୀପକ କୁମାର ଭୋଇ (୪) ୩୭ତମ ସ୍ଥାନରେ ରହିଛନ୍ତି। ବିଜେତା ଦର୍ପଣ ଏଥିସହ ୭୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ସହ ଆକର୍ଷଣୀୟ ଟ୍ରଫି ଜିତିଛନ୍ତି।

ଏହି ପ୍ରତିଯୋଗିତାର ଅଷ୍ଟମ ରାଉଣ୍ଡ ସୁଦ୍ଧା କିନ୍ତୁ ଆର୍ଯ୍ୟନ ବି ଯୋଶୀ ଏକକ ଆଗୁଆ ରହିଥିଲେ। ନବମ ତଥା ଶେଷ ରାଉଣ୍ଡ୍‌ରେ କିନ୍ତୁ ଓଡ଼ିଶାର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ତାଙ୍କୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତା’ ସହିତ ଆର୍ଯ୍ୟନଙ୍କ ବିଜେତା ହେବା ସ୍ବପ୍ନ ମଉଳି ଯାଇଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଖେଳାଳି ଶୁଭେନ୍ଦୁ ପାତ୍ରଙ୍କୁ ପରାସ୍ତ କରି ନାଟକୀୟ ଭାବେ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ ଦର୍ପଣ। ପ୍ରଥମ ୫ ସ୍ଥାନରେ ରହି ଦର୍ପଣ, କିଶନ, ଆର୍ଯ୍ୟନ, ସୌନ୍ଦର୍ଯ୍ୟ ଓ ମହାରାଷ୍ଟ୍ରର ମିଲିନ୍ଦ ସାମନ୍ତ (୬.୫) ଆସନ୍ତା ଜୁନ୍‌ ମାସରେ ସର୍ବିୟାରେ ହେବାକୁ ଥିବା ଦୃଷ୍ଟିବାଧିତ ଚେସ୍ ଅଲିମ୍ପିଆଡ୍ ଏବଂ ଅଗଷ୍ଟରେ ପୋଲାଣ୍ଡରେ ଖେଳାଯିବାକୁ ଥିବା ଆଇବିସିଏ ବିଶ୍ବ ବ୍ୟକ୍ତିଗତ ଚେସ୍ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ମୁଖ୍ୟ ଅତିଥି, ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍‌ସିଆଲ୍ ସ୍କୁଲ୍ ପ୍ରିନସିପାଲ୍‌ ଅମିତାଭ ଅଗ୍ନିହୋତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।  ଏମ ମଞ୍ଜୁନାଥ ମୁଖ୍ୟ ଆର୍ବିଟର୍ ଏବଂ କେଆର୍‌ ପ୍ରଧାନ ଓ ପିଙ୍କି ମହାପାତ୍ର ଆର୍ବିଟର୍ ଦାୟିତ୍ବ ତୁଲାଇଥିଲେ। ପ୍ରାଚୁର୍ଯ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.