Breaking News

ଜାତୀୟ ମହିଳା ବକ୍ସିଂ ପ୍ରତିଯୋଗିତାକୁ ନେଇ ଦ୍ବନ୍ଦ୍ବ

ଉତ୍ତରପ୍ରଦେଶର ନୋଏଡାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଚଳିତମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍‌କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଭୁବନେଶ୍ବର: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଚଳିତମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍‌କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପ୍ରତିଯୋଗିତା ସ୍ଥଗିତ ରହିଥିବା ଓଡ଼ିଶା ଆମେଚର ବକ୍ସିଂ ସଂଘ (ଓଏବିଏ) ଦାବି କରୁଥିଲା ବେଳେ ଜାତୀୟ ମହାସଂଘ (ବିଏଫ୍‌ଆଇ) ଏହାକୁ ଖଣ୍ଡନ କରିଛି। ଫଳରେ ବିନା ଦୋଷରେ ରାଜ୍ୟର ପ୍ରତିଭାବାନ ଖେଳାଳିମାନେ ହଇରାଣ ହେଉଛନ୍ତି। ଏକ ବଡ଼ ପ୍ରତିଯୋଗିତାରେ ଖେଳିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଯାହା ଓଏବିଏର ବକ୍ସିଂ ପ୍ରତିଥିବା ଭଲପାଇବା ଓ ଆନ୍ତରିକତାକୁ ପଦାରେ ପକାଇଛି।

ପରୀକ୍ଷା ଋତୁ ଚାଲୁଥିବାରୁ ପ୍ରଶିକ୍ଷଣ ଓ ଚୟନ ଶିବିର ଆୟୋଜନ କରିବା ଏବଂ ଦଳ ବାଛିବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇ ପାରି ନଥିବା ଦର୍ଶାଇ ଓଏବିଏ ସମେତ ୧୬ଟି ରାଜ୍ୟ ସଂଘ ଏହି ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ବିଏଫ୍‌ଆଇକୁ ପତ୍ର ଲେଖିଥିବା ଓଏବିଏ ପକ୍ଷରୁ କୁହାଯାଇଛି। ହେଲେ ରବିବାର ସୁଦ୍ଧା ୩୮ଟି ରାଜ୍ୟ ସଂଘ ଓ ସଂସ୍ଥା ମଧ୍ୟରୁ ୩୧ଟି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସମ୍ମତି ଜଣାଇ ସାରିଥିବା ଏବଂ ମାତ୍ର ୧୦ ଦିନ ପରେ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହେବ ବୋଲି ବିଏଫ୍‌ଆଇ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଘୋଷଣା କରିଛି। ଓଏବିଏର ଦାବିକୁ ଖଣ୍ଡନ କରିବାକୁ ଯାଇ ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିବା ଖବରରେ କୌଣସି ସତ୍ୟତା ନଥିବା କହିଛି। ସେହିଭଳି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର କରି ଖେଳାଳିଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିବାରୁ ବିରତ ରହିବାକୁ ରାଜ୍ୟ ସଂଘକୁ ଏକପ୍ରକାର ତାଗିଦ କରିଛି।

ରାଜ୍ୟ ସଂଘ କହୁଛି ହେବନି, ଜାତୀୟ ସଂଘ କହୁଛି ହେବ: କ୍ରୀଡ଼ାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଖେଳାଳି

ଗୋଟିଏପଟେ ଏହି ସମ୍ମାନଜନକ ପ୍ରତିଯୋଗିତା ଉପର ବର୍ଣ୍ଣିତ ତାରିଖରେ ହେବନାହିଁ ବୋଲି ରାଜ୍ୟ ସଂଘ ଦାବି କରୁଥିଲା ବେଳେ ଅନ୍ୟପଟେ ଜାତୀୟ ମହାସଂଘ ଏହା ନିର୍ଦ୍ଧାରିତ ସମୟରେ ହେବ ବୋଲି କହିବା, ଓଡ଼ିଶାର ମହିଳା ବକ୍ସରଙ୍କୁ ଚିନ୍ତାରେ ପକାଇଛି। ତା’ ସହିତ ରାଜ୍ୟରେ ବକ୍ସିଂର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କ୍ରୀଡ଼ାପ୍ରେମୀମାନେ ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟକୁ ଆହ୍ବାନ କରିଛନ୍ତି। ଏହା ନହେଲେ ଓଡ଼ିଶା ବକ୍ସରମାନେ ଜାତୀୟ ପ୍ରତିଯୋଗିତାରେ ଖେଳିବାରୁ ବଞ୍ଚିତ ହେବେ ବୋଲି ସେମାନେ ଆଶଙ୍କା ଜାହିର କରିଛନ୍ତି। ଜଣେ ବକ୍ସିଂ ପ୍ରଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଆମ ଖେଳାଳିମାନେ ଏହି ପ୍ରତିଯୋଗିତା ଲାଗି କଠିନ ଅଭ୍ୟାସ କରିଆସୁଛନ୍ତି। ହେଲେ ରାଜ୍ୟ ସଂଘର ଅଜବ ନିଷ୍ପତ୍ତି ଓ ଦାବି ପାଇଁ ସେମାନେ ନିଜ ପ୍ରତିଭାର ପରିପ୍ରକାଶ କରିବାକୁ ଜାତୀୟ ପ୍ରତିଯୋଗିତା ଭଳି ଏକ ବଳିଷ୍ଠ ମଞ୍ଚ ହରାଇବାକୁ ଯାଉଛନ୍ତି। କ୍ରୀଡ଼ା ତାରକାଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆମେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଦାବି କରୁଛୁ। ଏଥିନେଇ ଓଏବିଏ ସଂପାଦକ ଅନିଲ ବହିଦାରଙ୍କ ସହ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରଥମେ ଫୋନ୍ ଉଠାଇ ନଥିଲେ ଏବଂ ପରେ ଏହା ସୁଇଚ୍ ଅଫ୍ ଥିଲା। ତେବେ ଜାତୀୟସ୍ତରୀୟ ରେଫରି ତଥା ଓଏବିଏ ସଦସ୍ୟ ଶିଶିର କୁମାର ପାଣିଗ୍ରାହୀ କହିଛନ୍ତି ଯେ ଆମର ସବୁ ପ୍ରସ୍ତୁତି ସରିଛି। କିନ୍ତୁ ଏହି ପ୍ରତିଯୋଗିତା ଫେବ୍ରୁଆରିରେ ହେବାର ଥିଲା। ଏବେ ପୁଣି ଥରେ ସ୍ଥଗିତ ହୋଇଛି। ଏବେ ଏପ୍ରିଲରେ ହେବ ବୋଲି ଭାବୁଛି। ଯଦି ମାର୍ଚ୍ଚ ୨୦ରୁ ୨୭ ପର୍ଯ୍ୟନ୍ତ ଖେଳାଯାଏ, ତାହେଲେ ଆମ ଦଳ ଏଥିରେ ଅଂଶଗ୍ରହଣ କରିବା ସମ୍ଭବ ହେବନି। ସୂଚୀକୁ ନେଇ ଅନେକ ସଂଘ ଏଥିନେଇ ପ୍ରତିବାଦ କରିଛନ୍ତି। ଅନ୍ୟାନ୍ୟ ସମସ୍ୟା ବି ରହିଛି। ଏକ ପରିବର୍ତ୍ତିତ ସୂଚୀରେ ଖେଳ ହେବ  ବୋଲି ଭାବୁଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.