Breaking News

ଜାତୀୟ ରାଜପଥ: ଇଷ୍ଟ ସୁମରି ଯାଅ, ଶହେ ଦିନରେ ଗଡ଼ିଲାଣି ୧୯ମୁଣ୍ଡ

ଜାତୀୟ ରାଜପଥ-୧୬ର ଗଙ୍ଗପଡ଼ାଠାରୁ ବରମୁଣ୍ଡା ମଧ୍ୟରେ ଗତ ଶହେ ଦିନରେ ୧୯ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିସାରିଲାଣି। ଦୁର୍ଘଟଣାରେ ଶତାଧିକ ଆହତ ବି ହୋଇଛନ୍ତି। ୫୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ଚଳାଚଳ ପାଇଁ ରାସ୍ତା ଚଉଡ଼ା ହେଲା।

ଦେବଦଳନ ରଥ

ଖଣ୍ଡଗିରି: ଜାତୀୟ ରାଜପଥ-୧୬ର ଗଙ୍ଗପଡ଼ାଠାରୁ ବରମୁଣ୍ଡା ମଧ୍ୟରେ ଗତ ଶହେ ଦିନରେ ୧୯ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିସାରିଲାଣି। ଦୁର୍ଘଟଣାରେ ଶତାଧିକ ଆହତ ବି ହୋଇଛନ୍ତି। ୫୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ଚଳାଚଳ ପାଇଁ ରାସ୍ତା ଚଉଡ଼ା ହେଲା। ଓଭର୍‌ବ୍ରିଜ୍‌ ମଧ୍ୟ ହେଲା। ତଥାପି ଦୁର୍ଘଟଣା ସଂଖ୍ୟା ହ୍ରାସ ପାଉନାହିଁ। ସ୍ଥିତି ଏମିତି ଯେ ଘରୁ ବାହାରିବା ସମୟରେ ‘ଇଷ୍ଟ ସୁମରି ଯାଅ’ ବୋଲି ଲୋକେ କହିଲେଣି। ଚଳିତବର୍ଷ ଜାନୁଆରି ୧ରୁ ଏପ୍ରିଲ ୧୦ ତାରିଖ ଶହେ ଦିନ ମଧ୍ୟରେ ଜାତୀୟ ରାଜପଥ ଦୁର୍ଘଟଣା ଚିନ୍ତା ବଢ଼ାଇଲାଣି। ଜାନୁଆରି ମାସରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। କିନ୍ତୁ ଦୁର୍ଘଟଣା ହ୍ରାସ ପାଉନାହିଁ କିମ୍ବା ମୁଣ୍ଡଗଡ଼ିବା କମୁନାହିଁ।   ଚଳିତ ବର୍ଷ ଜାନୁଆରିରୁ ଏପର୍ଯ୍ୟନ୍ତ ଖଣ୍ଡଗିରି ଥାନା ଅଧୀନ ଓଭର୍‌ବ୍ରିଜ୍‌ ଉପରେ ସଡ଼କ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଜଣେ ଶିଶୁଙ୍କ ସମେତ ୪ଜଣଙ୍କର ମୃତ୍ୟୁଘଟିଛି। ଅନୁରୂପ ଭାବେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ସଂଖ୍ୟା ୧୦ରେ ପହଞ୍ଚିଛି। ପ୍ରତିଦିନ ଘଟୁଥିବା ଛୋଟମୋଟ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ଶହେରୁ ଅଧିକ।

ଏତେ ଦୁର୍ଘଟଣା ସତ୍ତ୍ବେ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସୂଚନା ଫଳକଟିଏ ଲଗାଇବାକୁ ଏନ୍ଏଚ୍ଏଆଇ ମୁଣ୍ଡରେ ବୁଦ୍ଧି ପଶୁନି। ଏଣୁ ଦୁର୍ଘଟଣା ପରେ ଭାଙ୍ଗି ଯାଇଥିବା ବ୍ୟାରିକେଡ୍‌ଗୁଡ଼ିକୁ ସଜାଡ଼ି ଦେଇ ଏନ୍ଏଚ୍ଏଆଇ ହାତ ଝାଡ଼ି ଦେଉଛି। ବାଇକ୍‌ ଚାଳକମାନଙ୍କ କହିବା ମୁତାବକ, ଏନ୍ଏଚ୍-୧୬ରେ ବର୍ତ୍ତମାନ ଗାଡ଼ି ଚଳାଇବାକୁ ଡର ଲାଗୁଛି। ଭାରୀଯାନଗୁଡ଼ିକ ଅତି ଦ୍ରୁତଗତିରେ ଯାଉଥିବାରୁ ବାଇକ୍‌ଚାଳକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାତିଅଧରେ ହାଇୱାଗାଡ଼ି ଚାଳକମାନେ ଜାତୀୟ ରାଜପଥରେ ରେସ୍‌ ଲଗାଉଛନ୍ତି। ସେହିପରି ଦୁର୍ଘଟଣା ପାଇଁ ଅପବାଦ ମୁଣ୍ଡାଇଥିବା ଗଙ୍ଗପଡ଼ା ଛକ ନିକଟରେ ଏକ ବେଗସୂଚକ ମିଟର ରହିଛି। ତଥାପି ଚାଳକ ଏହାକୁ ମାନୁନାହାନ୍ତି। ରମ୍ବଲର୍ସ ଷ୍ଟ୍ରିପ୍‌କୁ ମଧ୍ୟ କେହି ଗୁରୁତ୍ବ ଦେଉନାହାନ୍ତି। ଓଗାଳପଡ଼ା ଓ ପାତ୍ରପଡ଼ା ନିକଟରେ ଫୁଟ୍ ଓଭର୍‌ବ୍ରିଜ୍‌ ଥିଲେ ମଧ୍ୟ ଏହାର ବ୍ୟବହାର ଅତି ନଗଣ୍ୟ। ମେଡିଆନ୍‌ରେ ବ୍ୟାରିକେଡିଂ ନଥିବାରୁ ଲୋକ ବିପଜ୍ଜନକ ଭାବେ ରାସ୍ତା ପାରିହେଉଛନ୍ତି। ଅନୁରୂପ ଅବ୍ୟବସ୍ଥା ଯାଁଳା ନିକଟରେ ମଧ୍ୟ ଦେଖିବାକୁ ମିଳିଛି। ଏଣୁ ଏନ୍ଏଚ୍ ମେଡିଆନ୍‌ ଉପରେ ବ୍ୟାରିକେଡିଂ କରିବାକୁ ଦାବିହୋଇଛି। ସେହିଭଳି ରାତିରେ ବିଭିନ୍ନ ଓଭର୍‌ବ୍ରିଜ୍ ଉପରେ ଅଧିକାଂଶ ସମୟରେ ଷ୍ଟ୍ରିଟ୍‌ଲାଇଟ୍‌ ଜଳୁନାହିଁ। ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ଅତି ଦୁର୍ବଳ ବୋଲି ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ବିଳମ୍ବିତ ରାତିରେ ବରମୁଣ୍ଡା ଓଭର୍‌ବ୍ରିଜ୍ ଉପରେ କୁକୁଡ଼ା ଚିଆଁ ବୋଝେଇ ମିନିଟ୍ରକ୍ ଓଲଟି  କଟକ ଜିଲ୍ଲା ଟାଙ୍ଗୀ ସଫା ଗ୍ରାମର ଅନନ୍ତ ସ୍ବାଇଁ(୩୪)ଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରୁ ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ସମୟରେ ଏକ ହାଇୱା ଧକ୍କାରେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେହିପରି  ଖଣ୍ଡଗିରି ଓଭର୍‌ବ୍ରିଜ୍‌ ଉପରେ ଏକ ସ୍ବିପିଂ ଟ୍ରକ୍‌କୁ ଏକ ଟ୍ୟାଙ୍କର ଧକ୍କା ଦେବାରେ ଉଭୟ ଗାଡ଼ିର ଚାଳକ ଆହତ ହୋଇଥିଲେ। ଫଳରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ଗୋଟିଏ ଦିନରେ ମାତ୍ର ଏକ କିମି ବ୍ୟବଧାନରେ ତିନିଟି ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥ ପ୍ରାଧିକରଣ ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.