Breaking News

ଜାତୀୟ ଶିକ୍ଷା ନୀତିରେ ବିଦ୍ୟାଳୟ ଶିକ୍ଷା

ଶିକ୍ଷା ହେଉଛି ସାମାଜିକ ବିକାଶ ଓ ଅର୍ଥନୈତିକ ପ୍ରଗତିର ଏକ ସଫଳ ମାଧ୍ୟମ। ଗରିବ ଓ ସମାଜର ଅବହେଳିତ ଓ ପଛୁଆ ବର୍ଗଙ୍କୁ ମୁଖ୍ୟସ୍ରୋତରେ ପହଞ୍ଚାଇବାରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଜ୍ଞାନରଞ୍ଜନ ପଣ୍ଡା

ଶିକ୍ଷା ହେଉଛି ସାମାଜିକ ବିକାଶ ଓ ଅର୍ଥନୈତିକ ପ୍ରଗତିର ଏକ ସଫଳ ମାଧ୍ୟମ। ଗରିବ ଓ ସମାଜର ଅବହେଳିତ ଓ ପଛୁଆ ବର୍ଗଙ୍କୁ ମୁଖ୍ୟସ୍ରୋତରେ ପହଞ୍ଚାଇବାରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି ଏକ ବ୍ୟକ୍ତିର ଗୁଣାତ୍ମକ ମାନ ସେହି ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଅନେକାଂଶରେ ନିର୍ଭର କରିଥାଏ। ସ୍ୱାମୀ ବିବେକାନନ୍ଦଙ୍କ ମତରେ ଶିକ୍ଷାର ଅର୍ଥ ହେଉଛି ଏକ ବ୍ୟକ୍ତି ମଧ୍ୟରେ ରହିଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ପୂର୍ଣ୍ଣତାର ପରିପ୍ରକାଶ। ଆମ ଦେଶର ପ୍ରାଚୀନ ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ଯଥା ଶାରୀରିକ, ମାନସିକ, ନୈତିକ ଓ ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିଲା। ଏହି ଦୃଷ୍ଟିରୁ ଏକ ଦେଶର ଶିକ୍ଷା ବ୍ୟବସ୍ଥା ଯେତିକି ବ୍ୟବସ୍ଥିତ, ଶୃଙ୍ଖଳିତ ଓ ସୃଜନଶୀଳ ହୁଏ ସେହି ଦେଶ ସେତିକି ଉନ୍ନତ ଓ ପ୍ରଗତିଶୀଳ ହୁଏ ବୋଲି ଅନେକ ମନୀଷୀ ମତପୋଷଣ କରିଛନ୍ତି।
ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା ଭଳି ବିଭିନ୍ନ ସ୍ତର ରହିଅଛି ଏବଂ ସମସ୍ତେ ପରସ୍ପରର ପରିପୂରକ। ଅର୍ଥାତ୍‌ ଯଦି ପ୍ରାଥମିକ ସ୍ତରରେ ଶିକ୍ଷାର ସ୍ଥିତି ଦୁର୍ବଳ ହୁଏ ତେବେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସମ୍ଭବପର ହୋଇପାରେ ନାହିଁ। ଭାରତ ସ୍ୱାଧୀନ ହେବା ପରେ ଅନେକ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ସହିତ ଅନେକ ଶିକ୍ଷା ଆୟୋଗ ଗଠନ କରାଯାଇଅଛି।
ଏହି ଦୃଷ୍ଟିରୁ ୧୯୬୮ ମସିହାରେ ତତ୍‌କାଳୀନ ଇନ୍ଦିରା ଗାନ୍ଧୀ ସରକାର କୋଠାରୀ ଆୟୋଗଙ୍କ ତଥ୍ୟର ସୁପାରିସ ଭିତ୍ତିରେ ପ୍ରଥମ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରିଥିଲେ। ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ହାସଲ କରିବା ପାଇଁ ସମସ୍ତଙ୍କୁ ସମାନ ଶିକ୍ଷାଗତ ସୁଯୋଗ ଯୋଗାଇଦେବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର କାର୍ଯ୍ୟକାରୀ କରିବାପାଇଁ ମଧ୍ୟ କୁହାଯାଇଥିଲା। ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ସହିତ ଶିକ୍ଷକମାନଙ୍କର ଯୋଗ୍ୟତା ଓ ତାଲିମ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ୧୯୮୬ ମସିହାରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାର ଆମ ଦେଶରେ ଦ୍ୱିତୀୟ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରିଥିଲେ। ଏହି ନୀତିରେ ନାରୀ, ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷାରେ ବିକାଶ ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଦେଶରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସ୍ଥିତିର ଉନ୍ନତି ପାଇଁ ‘ଅପରେସନ୍ ବ୍ଲାକ୍‌ବୋର୍ଡ’ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିଲା। ଦେଶରେ ଅର୍ଥନୈତିକ ତଥା ସାମାଜିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଆଧାରିତ ‘ଗ୍ରାମୀଣ ବିଶ୍ୱବିଦ୍ୟାଳୟ’ର ମଡେଲ୍ ସୃଷ୍ଟି କରିବାକୁ କୁହାଯାଇଥିଲା। ଦେଶରେ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରଚଳନର ତତ୍ତ୍ୱ ସହିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ମଧ୍ୟ କରାଯାଇଥିଲା। ଏହି ଶିକ୍ଷା ନୀତି ଦେଶର ମୋଟ ଜିଡିପିର ୬% ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦେଇଥିଲା। ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ପି. ଭି. ନରସିଂହ ରାଓଙ୍କ ସରକାର ଶିକ୍ଷା ନୀତିରେ କିଛି ସଂଶୋଧନ କରି, ପୂର୍ବ ଶିକ୍ଷା ନୀତିରେ ଥିବା ଅସମାପ୍ତ କାର୍ଯ୍ୟକୁ ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ବୈଷୟିକ ଶିକ୍ଷାକୁ ପ୍ରଭାବୀ କରିବା ଏହାର ଲକ୍ଷ୍ୟ ଥିଲା। ସେହିପରି ୨୦୨୦ ମସିହାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆମ ଦେଶରେ ତୃତୀୟ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରିଛନ୍ତି, ଯାହାକି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ନୀତିରେ ଭାରତର ପରମ୍ପରା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବିସ୍ତୃତ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ନିୟମାବଳୀର ସଂଶୋଧନ ଓ ନବୀକରଣ ପାଇଁ ପ୍ରସ୍ତାବ ଦିଆଯାଇଅଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଅର୍ଥନୈତିକ ଅନଗ୍ରସରତା କାରଣରୁ ଯେମିତି କୌଣସି ଶିଶୁ ସାର୍ବଜନୀନ ଗୁଣାତ୍ମକ ଶିକ୍ଷା ପ୍ରାପ୍ତିରୁ ବଂଚିତ ନ ହୁଅନ୍ତି କିମ୍ବା ବିଦ୍ୟାଳୟ ପରିତ୍ୟାଗ ନ କରନ୍ତି ତାହା ସୁନିଶ୍ଚିତ କରିବା ଏହି ଶିକ୍ଷା ନୀତିର ଏକ ମୌଳିକ ଲକ୍ଷ୍ୟ। ପ୍ରାଚୀନ ଭାରତର ସମୃଦ୍ଧଶାଳୀ ଜ୍ଞାନ ପରମ୍ପରା ହେଉଛି ଏହି ଶିକ୍ଷା ନୀତିର ମାର୍ଗଦର୍ଶିକା। ଏହି ଶିକ୍ଷା ନୀତି ବିକଶିତ ଭାରତ ନିର୍ମାଣରେ ସହାୟକ ହେବା ସହିତ ଏକବିଂଶ ଶତାବ୍ଦୀ ପାଇଁ ଆବଶ୍ୟକ ଉନ୍ନତ ଜ୍ଞାନ କୌଶଳରେ ଦକ୍ଷତା ହାସଲ କରିବାର ଆକାଂକ୍ଷା ରଖୁଥିବା ଛାତ୍ର ସମାଜକୁ ପ୍ରତିଫଳିତ କରିପାରିବ ବୋଲି ବିଶ୍ୱାସ।
କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶିକ୍ଷା ନୀତି ଅନେକ ରାଜ୍ୟ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଆମ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ୨୦୨୫-୨୦୨୬ ଶିକ୍ଷା ବର୍ଷରୁ ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହେବା ସହିତ ୬ ଗୋଟି ବିଷୟଗତ ସବ୍-କମିଟି ଗଠନ କରାଯାଇଅଛି। ଏହି ସବ୍-କମିଟିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ୍‌ମାନଙ୍କୁ ସାମିଲ କରାଯାଇଅଛି। ଏହି ସବ୍-କମିଟି ଡିସେମ୍ବର ୧୫ ତାରିଖ ସୁଦ୍ଧା ଟାସ୍କ ଫୋର୍ସଙ୍କୁ ତାଙ୍କର ସୁପାରିସ ପ୍ରଦାନ କରିବେ। ଜାନୁଆରି ୧୫ ତାରିଖ ସୁଦ୍ଧା ଟାସ୍କ ଫୋର୍ସ ଏହି ସୁପାରିସକୁ ମୋହର ମାରିବା ପରେ ଶିକ୍ଷକ, ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମାର୍ଚ୍ଚ ମାସ ସୁଦ୍ଧା ଚିଠା ନୀତି ପ୍ରସ୍ତୁତ କରିବେ ଏବଂ ସରକାର ଏହି ନୀତିକୁ ଅନୁମୋଦନ କରିବା ପରେ ଆମ ରାଜ୍ୟରେ ଏହି ନୀତି କାର୍ଯ୍ୟକାରୀ ହୋଇପାରିବ। ଏହି ପ୍ରବନ୍ଧରେ ଗଣଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର କିଛି ବ୍ୟବସ୍ଥା ଉପରେ ଆଲୋକପାତ କରିବା।
ଏହି ନୀତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷାରେ ପ୍ରଚଳିତ ୧୦+୨ ବ୍ୟବସ୍ଥାର ଅବସାନ ଘଟିବ। ଅର୍ଥାତ୍‌ ବର୍ତ୍ତମାନର ବ୍ୟବସ୍ଥାରେ ଜଣେ ଛାତ୍ର ପ୍ରଥମ ୮ ବର୍ଷ ପ୍ରାଥମିକ, ୨ ବର୍ଷ ମାଧ୍ୟମିକ ଓ ଆଉ ୨ ବର୍ଷ ଉଚ୍ଚମାଧ୍ୟମିକ ଶ୍ରେଣୀରେ ଅଧ୍ୟୟନ କରୁଅଛି। ମାତ୍ର ନୂତନ ବ୍ୟବସ୍ଥାରେ ଏହାକୁ ପରିବର୍ତ୍ତିତ କରାଯାଇ ଛାତ୍ରମାନଙ୍କ ପାଇଁ ଶିକ୍ଷଣକୁ ସୁଗମ କରିବା ପ୍ରୟାସରେ ୫+୩+୩+୪ ବ୍ୟବସ୍ଥାର ପ୍ରଚଳନ କରାଯାଇଅଛି। ଏଥିରେ ପ୍ରଥମ ପାଞ୍ଚ ବର୍ଷର ଶିକ୍ଷାକୁ ପ୍ରାରମ୍ଭ ଶ୍ରେଣୀ ବା ଭିତ୍ତିଭୂମି ପର୍ଯ୍ୟାୟ, ପରବର୍ତ୍ତୀ ୩ ବର୍ଷକୁ ପ୍ରସ୍ତୁତି ଶ୍ରେଣୀ, ତତ୍‌ପରେ ଆଉ ତିନି ବର୍ଷକୁ ମଧ୍ୟ ଶ୍ରେଣୀ ଓ ଶେଷ ଚାରି ବର୍ଷକୁ ମାଧ୍ୟମିକ ଶ୍ରେଣୀ ବୋଲି କୁହାଯାଇଅଛି। ସମସ୍ତ ପର୍ଯ୍ୟାୟରେ ପାଠ୍ୟକ୍ରମ ଓ ଶିକ୍ଷାଗତ ସଂସ୍କାରର ମୁଖ୍ୟ ସାମଗ୍ରିକ ବିଷୟ ହେଉଛି ଶିକ୍ଷା ଗ୍ରହଣକୁ ପ୍ରକୃତ ଅର୍ଥରେ ବୁଝିବା। ପାଠ୍ୟକ୍ରମ ଓ ଶିକ୍ଷା ଗ୍ରହଣର ଲକ୍ଷ୍ୟ କେବଳ ଜ୍ଞାନଗତ ବିକାଶର ବୃଦ୍ଧି ନୁହେଁ ବରଂ ଉତ୍ତମ ଚରିତ୍ର ଗଠନ ସହିତ ଏକବିଂଶ ଶତାବ୍ଦୀର ଉନ୍ନତ ଜ୍ଞାନକୌଶଳ ହାସଲ ସହିତ ଏକ ସୁଦୃଢ଼ ବ୍ୟକ୍ତିବିଶେଷ ତିଆରି କରିବା ଏହି ନୀତିର ଲକ୍ଷ୍ୟ। ଏହି ବ୍ୟବସ୍ଥାରେ ଘୋଷାଘୋଷି କରି ଅଧିକ ନମ୍ବର ହାସଲ କରିବାର ପ୍ରକ୍ରିୟାକୁ ସଂପୂର୍ଣ୍ଣ ହ୍ରାସ କରିବା ସହିତ ଅତ୍ୟାବଶ୍ୟକ ଶିକ୍ଷଣ, ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା, ଆଲୋଚନା ଓ ବିଶ୍ଳେଷଣ ଆଧାରିତ ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରାଯାଇଅଛି। ସମସ୍ତ ପର୍ଯ୍ୟାୟରେ ଅଭିଜ୍ଞତାମୂଳକ ଶିକ୍ଷାକୁ ପ୍ରାଧ୍ୟାନ ଦିଆଯିବା ସହିତ ହ୍ୟାଣ୍ଡ-ଅନ୍ ଲର୍ଣ୍ଣିଂ, କଳା ଓ କ୍ରୀଡ଼ା-ଏକୀକୃତ ଶିକ୍ଷା, କାହାଣୀ-ଆଧାରିତ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଅଛି। ନୂତନ ଜ୍ଞାନକୌଶଳ ହାସଲ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରୋଦ୍ୟୋଗିକ ବିଦ୍ୟାର ବ୍ୟାପକ ବ୍ୟବହାରକୁ ଏହି ନୀତିରେ ପ୍ରୋତ୍ସାହିତ କରାଯାଇଅଛି। ବିଶେଷକରି ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ ଓ ଗଣିତ ବ୍ୟତୀତ ଶାରୀରିକ ଶିକ୍ଷା, କଳା, ହସ୍ତଶିଳ୍ପ ଓ ଧନ୍ଦାମୂଳକ ଶିକ୍ଷା ଭଳି ବିଷୟଗୁଡ଼ିକ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହି ସବୁ ବିଷୟଗୁଡ଼ିକୁ ମୁକ୍ତ ଭାବେ ଚୟନ କରିବାରେ ସୁଯୋଗ ଦିଆଯିବ, ଯାହା ଦ୍ୱାରା ସେମାନେ ଅଧ୍ୟୟନ ଓ ଜୀବନ ପରିକଳ୍ପନାର ନିଜସ୍ୱ ଯୋଜନା ପ୍ରସ୍ତୁତ କରିପାରିବେ।
ଏହି ନୀତିରେ ମାତୃଭାଷା ଓ ଆଞ୍ଚଳିକ ଭାଷାରେ ଶିକ୍ଷା ଗ୍ରହଣ କରିବାର ପଦ୍ଧତିକୁ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରାଯାଇଅଛି। ଏହା ସତ୍ୟ ଯେ ଛୋଟ ପିଲାମାନେ ଅଣ-ଗୁରୁତ୍ୱପୂର୍ଣ୍ଣ ଧାରଣାଗୁଡ଼ିକୁ ସେମାନଙ୍କ ମାତୃଭାଷାରେ ଶୀଘ୍ର ଶିଖିପାରନ୍ତି। ଜଣେ ଛାତ୍ରକୁ ତା’ର ମାତୃଭାଷା କେବଳ ଭାବର ବିକାଶରେ ସାହାଯ୍ୟ କରି ନଥାଏ ବରଂ ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରିବା ପାଇଁ ପରାମର୍ଶ ଦିଆଯାଇଅଛି। ଏହା ନିଶ୍ଚିତ ଭାବରେ ପିଲାମାନଙ୍କର ଜ୍ଞାନଗତ ଅଭିବୃଦ୍ଧିକୁ ସାହାଯ୍ୟ କରିବ ଏବଂ ସେମାନଙ୍କ ପାଇଁ ଶିକ୍ଷାକୁ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଓ ଆନନ୍ଦଦାୟକ କରିବ।
ଏହି ଶିକ୍ଷା ନୀତିରେ ସାର୍ବଜନୀନ ଶିକ୍ଷା ସହିତ ଧନ୍ଦାମୂଳକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଅଛି। ବିଶେଷ କରି ପୂର୍ବ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅନେକ ଛାତ୍ର ଅଷ୍ଟମ ଶ୍ରେଣୀ ପରେ ବିଦ୍ୟାଳୟ ଶିକ୍ଷା ଛାଡ଼ି ଦେଇଥାନ୍ତି। ତଥ୍ୟ ଅନୁଯାୟୀ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟରେ ଛାତ୍ର ପ୍ରତିଶତ ୯୦.୯ ଥିବା ବେଳେ, ନବମରୁ ଦଶମ ପର୍ଯ୍ୟନ୍ତ ଏହି ପ୍ରତିଶତ କମିଯାଇ ୭୯.୫ରେ ସୀମିତ ରହିଥାଏ ଏବଂ ଏକାଦଶ-ଦ୍ୱାଦଶ ଶ୍ରେଣୀରେ ଏହି ପ୍ରତିଶତ ଆହୁରି କମିଯାଇ ୫୬.୫ ପ୍ରତିଶତକୁ ଖସି ଆସିଥାଏ। ତେଣୁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ୧୦୦ ପ୍ରତିଶତ ନାମଲେଖା ଅନୁପାତ ହାସଲ କରିବା ପାଇଁ ଅନେକ ସଂସ୍କରମୂଳକ ପଦକ୍ଷେପ ଗ୍ରହଣ କରାଯାଇଅଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୭୮୯୦୫୬୧୭୯୮

ସୌଜନ୍ୟ-ସମ୍ୱାଦ

Comments are closed.