Breaking News

ଜାନୁଆରୀ ୨୮ରୁ ଜାତୀୟ କ୍ରୀଡ଼ା, ୩୬ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବେ ୧୦୦୦ରୁ ଅଧିକ ଆଥଲେଟ୍

ନୂଆଦିଲ୍ଲୀ,୦୩/୧୨: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ପକ୍ଷରୁ ୩୮ତମ ଜାତୀୟ କ୍ରୀଡ଼ା ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଏଥର ଉତ୍ତରାଖଣ୍ଡ ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ଆୟୋଜନ କରିବ । ଆସନ୍ତା ବର୍ଷ ଜାନୁଆରୀ ୨୮ରୁ କ୍ରୀଡ଼ା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ତାରିଖରେ ଶେଷ ହେବ । ଦେଶର ବିଭିନ୍ନ ରାଜ୍ୟର ଜଣାଶୁଣା ଆଥଲେଟଙ୍କ ସମେତ ଯୁବ ପ୍ରତିଭାବାନ ଆଥଲେଟ୍‌ ଏହି କ୍ରୀଡ଼ାରେ ନିଜ ଦକ୍ଷତା ପ୍ରତିପାଦିତ କରିବେ । ଆଗାମୀ କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୩୬ଟି କ୍ରୀଡ଼ା ଇଭେଣ୍ଟରେ ୧୦୦୦ରୁ ଊଦ୍ଧ୍ୱର୍ ଆଥଲେଟ୍‌ ଭାଗ ନେବେ । ନିକଟରେ ଆଇଓସି ବୈଠକରେ ୩୨ଟି କ୍ରୀଡ଼ା ଇଭେଣ୍ଟ ସମେତ ୪ଟି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟକୁ ଅନୁମତି ମିଳିଥିଲା ।

ଆଇଓସି ସଭାପତି ପିଟି ଉଷା କହିଛନ୍ତି ଯେ, ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ ଆୟୋଜିତ ହେବ । ଏଥର ନୂଆ କରି କିଛି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟ ଯଥା କଲାରିପୟାଟୁ, ଯୋଗାସନ, ମଲ୍ଲଖମ୍ବ ଏବଂ ରାଫ୍ଟିଂ ରିଫ୍ଲେକ୍ଟ୍‌ସ କ୍ରୀଡ଼ା ଅନୁଷ୍ଠିତ ହେବ । କ୍ରୀଡ଼ା ଆୟୋଜନ ପାଇଁ ଉତ୍ତରାଖଣ୍ଡ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦେଇଛି । କ୍ରୀଡ଼ା ଆୟୋଜନକୁ ସଫଳ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।’

ସୂଚନାଯୋଗ୍ୟ, ଗତ ବର୍ଷ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥିରେ ୪୩ଟି କ୍ରୀଡ଼ା ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ମହାରାଷ୍ଟ୍ର ସର୍ବାଧିକ ୨୨୮ (୮୦ ସ୍ୱର୍ଣ୍ଣ, ୬୯ରୌପ୍ୟ, ୭୯ବ୍ରୋଞ୍ଜ) ପଦକ ସହ ଦଳଗତ ଚାମ୍ପିଅନ୍‌ ହୋଇଥିଲା । ଓଡ଼ିଶା ମୋଟ ୫୮ଟି (୧୦ସ୍ୱର୍ଣ୍ଣ, ୧୮ରୌପ୍ୟ, ୩୦ବ୍ରୋଞ୍ଜ) ପଦକ ସହ ତାଲିକାରେ ୧୬ତମ ସ୍ଥାନରେ ରହିଥିଲା।

ସୌଜନ୍ୟ-ପ୍ରମେୟ

Comments are closed.