ଜାତୀୟ

Adani Group’s: ଆଦାନୀ ଗ୍ରୁପ୍‌ର ହୋଟେଲ ପ୍ରବେଶ ଯୋଜନା

ବନ୍ଦର, ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସାୟ ପରେ ଆଦାନୀ ଗ୍ରୁପ୍ ଆତିଥେୟତା ଶିଳ୍ପରେ ପ୍ରବେଶ କରିବାକୁ ଯାଉଛି। ସାରା ଦେଶରେ ୬୦ରୁ ଅଧିକ ହୋଟେଲ ଖୋଲିବା ଯୋଜନା ରଖିଛି।

ନୂଆଦିଲ୍ଲୀ: ବନ୍ଦର, ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସାୟ ପରେ ଆଦାନୀ ଗ୍ରୁପ୍ ଆତିଥେୟତା ଶିଳ୍ପରେ ପ୍ରବେଶ କରିବାକୁ ଯାଉଛି। ସାରା ଦେଶରେ ୬୦ରୁ ଅଧିକ ହୋଟେଲ ଖୋଲିବା ଯୋଜନା ରଖିଛି। ବିଶେଷକରି କମ୍ପାନି ଅଧୀନରେ ପରିଚାଳିତ ହେଉଥିବା ବିମାନବନ୍ଦର ଏବଂ ରିଅଲ ଇଷ୍ଟେଟ ପ୍ରକଳ୍ପ ଅଞ୍ଚଳରେ ଏହି ହୋଟେଲ ଗୁଡ଼ିକ ସ୍ଥାପନ ହେବ। ସାରା ଦେଶରେ କମ୍ପାନି ୬୦ରୁ ଅଧିକ ହୋଟେଲ ଖୋଲିବା ଯୋଜନା ରଖିଛି। ହୋଟେଲ ସ୍ଥାପନ କରି କମ୍ପାନି ଦେଶର ଏକ ପ୍ରମୁଖ ହୋଟେଲ ଗ୍ରୁପ୍‌ରେ ପରିଣତ ହେବା ଲକ୍ଷ୍ୟ ରଖିଛି।

ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ବିକାଶ ଆଦାନୀ ଗ୍ରୁପ୍ ସଂପ୍ରତି କରୁଛି। ତେଣୁ ଏଠାରେ କମ୍ପାନି ପାଖାପାଖି ୧୫ଟି ହୋଟେଲ କରିବା ଯୋଜନା ରଖିଛି। ‌‌ତେବେ କମ୍ପାନି ସବୁ ହୋଟେଲ ନିଜସ୍ବ ବ୍ରାଣ୍ଡ୍‌ ଅଧୀନରେ ନ ଚଳାଇ ଅନ୍ତର୍ଜାତୀୟ ହୋଟେଲ ‌ଅପରେଟରଙ୍କ ସହ ସହବନ୍ଧିତ ହୋଇ ସେଗୁଡ଼ିକୁ ପରିଚାଳନା କରିବା ଯୋଜନା ରଖିଛି। ବିମାନବନ୍ଦର ନିକଟରେ ହୋଟେଲ ସ୍ଥାପନ ପଛରେ ଏକାଧିକ ଲକ୍ଷ୍ୟ ରହିଛି। ବହୁବିଧ ସୁବିଧା ସୁଯୋଗ ଯଥା ରିଟେଲ କାଉଣ୍ଟର, ଖାଦ୍ୟ ଓ ପାନୀୟ କାଉଣ୍ଟର ଆଦି ଏଠାରେ ଉପଲବ୍ଧ ହେବ। ବିମାନବନ୍ଦରର ପରିଚାଳନା ଖର୍ଚ୍ଚ ଉଠାଇବା ପାଇଁ ଏୟାରଲାଇନ୍ସଗୁଡ଼ିକଠାରୁ ପାର୍କିଂ ଓ ଲ୍ୟାଣ୍ଡିଂ ଫି ଆଦି ଆଦାୟ କରାଯାଉଛି। କିନ୍ତୁ ହୋଟେଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବସ୍ଥା ବିକଶିତ ହେବା ପରେ ବିମାନବନ୍ଦରଗୁଡ଼ିକୁ ପାର୍କିଂ ଓ ଲ୍ୟାଣ୍ଡିଂ ଫି ଉପରେ ଏତେ ମାତ୍ରାରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସଂପ୍ରତି ବିମାନବନ୍ଦର ରାଜସ୍ବର ପାଖାପାଖି ଅଧା ରାଜସ୍ବ ପାର୍କିଂ ଓ ଲ୍ୟାଣ୍ଡିଂ ଫି ଆଦିରୁ ଆଦାୟ ହେଉଛି।

ହୋଟେଲ, ଲାଉଞ୍ଜ ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ ହେବା ପରେ ପାର୍କିଂ ଓ ଲ୍ୟାଣ୍ଡିଂ ଫି ବାବଦ ରାଜସ୍ବ ଅଂଶ ୧୦ ପ୍ରତିଶତ ସ୍ତରକୁ ହ୍ରାସ ପାଇବ। ଏହାଦ୍ବାରା ବିମାନବନ୍ଦରଗୁଡ଼ିକ ଯାତ୍ରୀ ଓ ସାମଗ୍ରୀ ପରିବହନ ସ୍ଥଳୀ ନହୋଇ ଏକ ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇପାରିବ। ନବୀ ମୁମ୍ବାଇରେ କମ୍ପାନି ୨୫ ହଜାର ସିଟ୍‌ କ୍ଷମତା ଥିବା ଏକ କନଭେନସନ ସେଣ୍ଟର ଯୋଜନା ରଖିଛି। ଏଠାରେ ପ୍ରଦର୍ଶନୀ, ବଡ଼ ବଡ଼ କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ସଭାସମିତି ଆଦି କରାଯାଇ ପାରିବ। ଏଥିଯୋଗୁ ନିକଟବର୍ତ୍ତୀ ସ୍ଥାନରେ ହୋଟେଲ, ରେସ୍ତୋରାଁ ଏବଂ ଟ୍ୟାକ୍ସି ସେବାର ଚାହିଦା ବଢ଼ିବ। ଦେଶର ଏକ ପ୍ରମୁଖ ହୋଟେଲ ଗ୍ରୁପ୍‌ରେ ପରିଣତ ହେବା ଆଶା ରହିଛି ବୋଲି ଆଦାନୀ ଗ୍ରୁପ୍ ନିର୍ଦ୍ଦେଶକ ଜିତ ଆଦାନୀ କହିଛନ୍ତି।

ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ରିଲାଏନ୍ସ ପକ୍ଷରୁ ସ୍ଥାପନ ହୋଇଥିବା ଜିଓ ୱାର୍ଲଡ କନଭେନସନ ସେଣ୍ଟର ପରି ଆଦାନୀ ଗ୍ରୁପ୍‌ ଏହାର ଭିତ୍ତିଭୂମିଗୁଡ଼ିକୁ ସ୍ଥାପନ କରିବ। କିନ୍ତୁ ଏଗୁଡ଼ିକ ବିମାନବନ୍ଦର ନିକଟରେ ହେବ। ଆଦାନୀ ଗ୍ରୁପ୍‌ର ଆତିଥେୟତା ବା ହୋଟେଲ ସ୍ଥାପନ ଯୋଜନାରେ ଅଧିଗ୍ରହଣ ବି ଅନ୍ତର୍ଭୁକ୍ତ  ରହିଛି। ସାହାରା ଗ୍ରୁପର ୮୮ଟି ସଂପତ୍ତି ଅଧିଗ୍ରହଣ ପାଇଁ ଆଦାନୀ ଗ୍ରୁପ୍ ଆଗ୍ରହ ରଖିଛି। ସେଥିରେ ମୁମ୍ବାଇର ସାହାରା ‌ଷ୍ଟାର ହୋଟେଲ ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button