ବାଣିଜ୍ୟ

Gold Rate calculation: ସୁନା ଦାମ୍‌ କେମିତି ହିସାବ କରନ୍ତି ବ୍ୟବସାୟୀ?

ଏବେ ସୁନାର ବଜାର ଦାମ୍‌ ଯେତିକି ହେଲାଣି ତାହାକୁ କିଣିବା ସାଧାରଣବର୍ଗର ଲୋକଙ୍କ ପାଇଁ ଏକପ୍ରକାର ବୋଝ କହିଲେ ‌ଭୁଲ୍‌ ‌ହେବନି। ହେଲେ ଯେତେ ଦର ବଢ଼ିଲେ ବି ଭାରତୀୟମାନେ ସୁନା କିଣିବାକୁ କେବେ ପଛଘୁଞ୍ଚା ଦେବେନାହିଁ।

ଏବେ ସୁନାର ବଜାର ଦାମ୍‌ ଯେତିକି ହେଲାଣି ତାହାକୁ କିଣିବା ସାଧାରଣ ବର୍ଗର ଲୋକଙ୍କ ପାଇଁ ଏକପ୍ରକ‌ାର ବୋଝ କହିଲେ ‌ଭୁଲ୍‌ ‌ହେବନି। ହେଲେ ଯେତେ ଦର ବଢ଼ିଲେ ବି ଭାରତୀୟମାନେ ସୁନା କିଣିବାକୁ କେବେ ପଛଘୁଞ୍ଚା ଦେବେନାହିଁ। କାରଣ ସୁନା କିଣିବା ପ୍ରତ୍ୟେକ ଭାରତୀୟଙ୍କ ପରମ୍ପରା ବୋଲି କୁହାଯାଏ। ତେବେ ସୁନା ଅଳଙ୍କାର ମୂଲ୍ୟ କେମିତି ନିର୍ଦ୍ଧାରଣ ହୁଏ ଆସନ୍ତୁ ଜାଣିବା…

ସୁନା ମୂଲ୍ୟ ହିସାବ ହୁଏ କେମିତି:

ମୁଖ୍ୟତଃ ସୁନା ଅଳଙ୍କାର ମୂଲ୍ୟ କେତେ ହେବ ତାହା ଅଳଙ୍କାର ଦୋକାନୀଙ୍କ ଉପରେ ନିର୍ଭର କରିଥାଏ। ଅର୍ଥାତ୍‌ ସୁନାର କ୍ବାଲିଟି, ରିଫାଇନିଂ, ପରିବହନ ଓ ଟ୍ୟାକ୍ସ ଉପରେ ଜଣେ ଦୋକାନୀଙ୍କ ସୁନାଦର ନିର୍ଭର କରିଥାଏ। ହୁଏତ ଏହାର ମୂଲ୍ୟ ଅନ୍ୟଜଣେ ଦୋକାନୀଙ୍କ ଠାରୁ ଭିନ୍ନ ହୋଇଥାଏ। ଏହାସହିତ ସୁନାର ଗଢ଼ାମଜୁରି ୧୦%ରୁ ୨୫% ପର୍ଯ୍ୟନ୍ତ ମଧ୍ୟ ସୁନାରି ନିର୍ଦ୍ଧାରଣ କରିଥାଏ। ଦରରେ ଭିନ୍ନତା ସୁନାର ସୁଦ୍ଧତା ତଥା କ୍ୟାରେଟ୍‌ ଉପରେ ନିର୍ଭର ମଧ୍ୟ କରିଥାଏ।

ଭାରତରେ ସୁନା ମୂଲ୍ୟ କିପରି ହିସାବ କରାଯାଏ?

 

ପ୍ରତ୍ୟେକ ସହରରେ ଏକ ସୁନା ସଂଘ (ଗୋଲ୍‌ଡ ଆସୋସିଏସନ୍‌) ଅଛି ଯାହା ଯୋଗାଣ, ଚାହିଦା, ପରିବହନ କିମ୍ବା ପରିବହନ ଖର୍ଚ୍ଚ ଓ ସୁନାର ସାମଗ୍ରିକ ବଜାର କାର୍ଯ୍ୟଦକ୍ଷତାକୁ ବିଚାର କରିବା ପରେ ପ୍ରତିଦିନ ସୁନାର ନିର୍ଦ୍ଧାରିତ ମୂଲ୍ୟ ଘୋଷଣା କରେ। ଏହି କାରଣରୁ ସହରଗୁଡ଼ିକରେ ସୁନାର ମୂଲ୍ୟ ସାମଗ୍ରୀର ସଠିକ୍‌ ଓଜନ ପାଇଁ ମଧ୍ୟ ଭିନ୍ନ ହୋଇଥାଏ।

ସୁନା ଅଳଙ୍କାରର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଅଳଙ୍କାର ବ୍ୟବସାୟୀ ନିମ୍ନଲିଖିତ ସୁତ୍ର ପ୍ରୟୋଗ କରନ୍ତି:

ସୂତ୍ର:

ଗହଣାର ପ୍ରକୃତ ମୂଲ୍ୟ=  ଅଳଙ୍କାରର ଦାମ୍‌ X ସୁନାର ଓଜନ+ ୩% ଜିଏସ୍‌ଟି ମୂଲ୍ୟ+ ଗଢ଼ାମଜୁରି ମୂଲ୍ୟ+ ହଲ୍‌ମାର୍କିଂ ଚାର୍ଜେସ୍‌
ମନେକରନ୍ତୁ, ଜଣେ ଅଳଙ୍କାର ବ୍ୟବସାୟୀ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ (ଆମଦାନୀ ଶୁଳ୍କ ଏବଂ ଏଗ୍ରିକଲ୍‌ଚର୍‌ ଓ ଡେଭେଲପ୍‌ମେଣ୍ଟ ସେସ୍‌ କର ସହିତ) ୩୦,୦୦୦ ଟଙ୍କା ସ୍ଥିର କରିଛନ୍ତି ଏବଂ ୩୦୦ ଟଙ୍କା ଶୁଳ୍କ ରଖିଛନ୍ତି। ଜଣେ କ୍ରେତା ୨୦ ଗ୍ରାମ୍‌ ୨୨ କ୍ୟାରେଟ୍‌ ସୁନା ମୁଦି କିଣିବାକୁ ଚାହୁଛନ୍ତି, ତେବେ

୧୦ ଗ୍ରାମ୍‌ ୨୨ କେଜି ସୁନାର ମୂଲ୍ୟ = ୩୦,୦୦୦ ଟଙ୍କା
୧ ଗ୍ରାମ୍‌ ୨୨ କେଜି ସୁନାର ମୂଲ୍ୟ = ୩,୦୦୦ ଟଙ୍କା
ଅଳଙ୍କାରର ଓଜନ = ୨୦ ଗ୍ରାମ୍‌
ଗଢ଼ା ମଜୁରି ଦାମ୍‌ = ପ୍ରତି ଗ୍ରାମ୍‌ ପାଇଁ ୩୦୦ ଟଙ୍କା
ଜିଏସ୍‌ଟି = ୩% (ଫ୍ଲାଟ୍‌-ରେଟ୍‌)
ଅର୍ଥାତ୍‌, ୨୨ କେଜି ସୁନା ମୁଦିର ୨୦ ଗ୍ରାମ୍‌ ମୋଟ୍‌ ମୂଲ୍ୟ ୩,୦୦୦ ଟଙ୍କା x ୨୦ ଗ୍ରାମ୍‌ + (୨୦ ଗ୍ରାମ୍‌ x ୩୦୦ ଟଙ୍କା) + ୩% ଜିଏସ୍‌ଟି = ୬୭,୯୮୦ ଟଙ୍କା
ଅତଏବ୍‌ ଆପଣଙ୍କୁ ସୁନାମୁଦି ପାଇଁ ୬୭,୯୮୦ ଟଙ୍କା ଦେବାକୁ ପଡ଼ିବ।

ବିଭିନ୍ନ କ୍ୟାରେଟ୍‌ ସୁନା:

ସୁନାର ମୂଲ୍ୟ କ୍ୟାରେଟ୍‌ ଉପରେ ନିର୍ଭର କରିଥାଏ। ଅର୍ଥାତ୍‌ ୨୪ କ୍ୟାରେଟ୍‌, ୨୨ କ୍ୟାରେଟ୍‌, ୧୮ କ୍ୟାରେଟ୍‌ ବା ୧୪ କ୍ୟାରେଟ୍‌ର ଦାମ୍‌ ଅଲଗା। ୨୪ କ୍ୟାରେଟ୍‌ ପରି ଅଧିକ କ୍ୟାରେଟ୍‌ର ସୁନା ଗହଣା ଦାମ୍‌ କମ୍‌ କ୍ୟାରେଟ୍‌ର ଗହଣା ମୂଲ୍ୟଠାରୁ ଅଧିକ ଥାଏ। କାରଣ ଅଧିକ କ୍ୟାରେଟ୍‌ ସୁନା‌ର ଶୁଦ୍ଧତା ପରିମାଣ ଅଧିକ। ସେହିପରି ପରିବହନ ଅନୁସାରେ ସୁନାର ଗହଣାର ଦାମ୍‌ ମଧ୍ୟ ନିର୍ଭର କରିଥାଏ। ଗହଣା ଦୋକାନୀ ନିଜ ପରିଶ୍ରମ ଅନୁସାରେ ଗଢ଼ାମଜୁରି ମୂଲ୍ୟକୁ ବଢ଼ାଇ ଥା’ନ୍ତି କିମ୍ବା କମ୍‌ କରିଥା’ନ୍ତି। କିଛି କିଛି ଗହଣା ବ୍ୟବସାୟୀ ଅନେକ ପୂଜାପର୍ବରେ ଗହଣା ଉପରେ ଅଫର୍‌ ଦେଇଥାନ୍ତି, ସେମାନଙ୍କ ଗଢ଼ାମଜୁରୀ କମ୍‌ କରିଥାନ୍ତି। ଏହି ସମୟରେ ଗହଣା କିଣି ଅଫର୍‌ର ଲାଭ ଉଠାଇବା ଜରୁରି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button