Breaking News

ଜାଲ୍‌ ରାସନ୍‌କାର୍ଡଧାରୀ ଧରାପଡ଼ିଲେନି: ନୂଆ ରାସନ୍ କାର୍ଡ ଅପେକ୍ଷାରେ ୬.୧୯ଲକ୍ଷ

ଗତ ଜୁଲାଇ, ଅଗଷ୍ଟ ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ୨୫ଲକ୍ଷ ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଅଛନ୍ତି। ଏଥିରେ ବହୁ ଅଯୋଗ୍ୟ ରାସନ୍‌ କାର୍ଡ ହାତେଇଥିବା ବେଳେ...

ଭୁବନେଶ୍ବର: ଗତ ଜୁଲାଇ, ଅଗଷ୍ଟ ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ୨୫ଲକ୍ଷ ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଅଛନ୍ତି। ଏଥିରେ ବହୁ ଅଯୋଗ୍ୟ ରାସନ୍‌ କାର୍ଡ ହାତେଇଥିବା ବେଳେ ବହୁ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଛି। ବିଜେଡି ସରକାର ହିତାଧିକାରୀ ଚୟନରେ ପାତରଅନ୍ତର କରିଥିବାରୁ ଇ-କେୱାଇସି ପ୍ରକ୍ରିୟାରେ ଏହି ଜାଲ୍ ରାସନକାର୍ଡଧାରୀଙ୍କ ସଂଖ୍ୟା ଆହୁରି ବଢ଼ିବ। ହେଲେ ଆଜି ବିଧାନସଭାରେ ବିଭିନ୍ନ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୨, ୨୦୨୪ରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୋଟେ ବି ଜାଲ୍ ରାସନ୍ କାର୍ଡ ହିତାଧିକାରୀ ଚିହ୍ନଟ ହୋଇନାହାନ୍ତି। ୧,୭୭,୦୬୮ ମୃତକ ଚିହ୍ନଟ ହୋଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମୃତ ହିତାଧିକାରୀଙ୍କ ବଦଳରେ ପ୍ରବାସୀ ଶ୍ରମିକମାନଙ୍କୁ ହିତାଧିକାରୀ ଭାବେ ସାମିଲ କରାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ମନ୍ତ୍ରୀ କେଉଁ ଆଧାରରେ ୨୫ଲକ୍ଷ ଜାଲ୍ ରାସନ୍‌କାର୍ଡଧାରୀ ଅଛନ୍ତି ବୋଲି କହୁଥିଲେ? ଯଦି ଜାଲ୍ ରାସନ୍‌କାର୍ଡ ଥିଲେ ତେବେ ଏବେ ସୁଦ୍ଧା କିପରି ଧରାପଡ଼ିଲେନି? କେବଳ ଏତିକି ନୁହେଁ। ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଲାଗୁ ହେବା ଦିନଠାରୁ ଅଦ୍ୟାବଧି ସମୁଦାୟ ୧୦,୮୦,୯୧୮ ପରିବାରର ୩୧,୦୮,୩୩୩ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ କଟାଯାଇ ତାଙ୍କ ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ସାମିଲ କରାଯାଇଛି। ଅର୍ଥାତ୍ ଅଗଷ୍ଟ ମାସରେ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଗତ ୧୧ବର୍ଷରେ ଏତିକି ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି।

କାର୍ଡ କୋଟା ବଢ଼ାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ରାଜ୍ୟ
୧୧ବର୍ଷରେ ଧରାପଡ଼ିଛନ୍ତି ୩୧.୦୮ଲକ୍ଷ ଅଯୋଗ୍ୟ
୧,୭୭,୦୬୮ ମୃତକଙ୍କ ବଦଳରେ ସାମିଲ ହେଲେ ପ୍ରବାସୀ ଶ୍ରମିକ
ନୂଆ ରାସନ୍ କାର୍ଡ ଅପେକ୍ଷାରେ ୬.୧୯ଲକ୍ଷ

ଏକାଧିକ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୩,୩୬,୩୫,୯୧୮ଜଣ ପିଡିଏସ୍‌ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୨,୬୯,୨୩,୮୩୦ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ସରିଛି। ବାକି ୬୭ଲକ୍ଷ ୧୨ହଜାର ୮୮ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି ଯାଞ୍ଚ କରିନାହାନ୍ତି। ଆଗକୁ ଯେତେ ମୃତକ ହିତାଧିକାରୀ ଚିହ୍ନଟ ହେବେ ସେହି ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନକାର୍ଡ ଯୋଗାଇ ଦିଆଯିବ। ଏବେ ସୁଦ୍ଧା ରାସନକାର୍ଡ ପାଇଁ ୬,୧୯,୮୩୬ଜଣ ଆବେଦନ କରିଛନ୍ତି। ଏହି ତାଲିକାରୁ ହିତାଧିକାରୀଙ୍କା କାର୍ଡ ମିଳିବ। ସେହିପରି ରାଜ୍ୟରେ ହିତାଧିକାରୀଙ୍କ ଅନୁଯାୟୀ ରାସନ୍‌ କାର୍ଡ ମିଳୁ ନଥିବାବେଳେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା କୋଟା ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛୁ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ଜନସଂଖ୍ୟା ୪,୧୯,୭୪,୨୧୮ ଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,୨୦୧୩ ଅନୁଯାୟୀ ଆମ ରାଜ୍ୟର ମୋଟ୍ ଜନସଂଖ୍ୟାର ୭୮% ଲୋକଙ୍କୁ ଏଥିରେ ସାମିଲ୍ କରାଯିବ। ଅର୍ଥାତ୍ ୩,୨୬,୪୧,୮୦୦ ଲୋକ ସାମିଲ୍ ହୋଇଛନ୍ତି। ଏମାନେ ୯୩,୨୩,୦୭୯ଟି ପରିବାରର ସଦସ୍ୟ। ହେଲେ ଏବେ ଜନଗଣନା ହୋଇ ନଥିବାବେଳେ ରାଜ୍ୟରେ ଜନସଂଖ୍ୟା ବହୁତ ବଢ଼ିଗଲାଣି। ତେଣୁ ରାଜ୍ୟର ଏନ୍‌ଏଫ୍‌ଏସ୍‌ଏ କୋଟା ବଢ଼ାଇବାକୁ କେନ୍ଦ୍ରକୁ ଜଣାଇଛୁ। ଏହି କୋଟା ବଢ଼ିଲେ ରାଜ୍ୟରେ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ। ଏବେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩,୧୫,୦୨୪ ପରିବାରର ୧୦,୦୩,୭୧୯ ସଦସ୍ୟଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି।
ସୌଜନ୍ୟ- ସମ୍ୱାଦ

Comments are closed.