ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହି ଦୁଇଟି ଅଲିମ୍ପିକ୍ସ ପଦକ ବିଜୟିନୀ ଗତ ପ୍ୟାରିସ୍ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ଦେଇ ନଥିଲେ। ଏପରି କି ସେଠାରୁ ଖାଲି ହାତରେ ଫେରିଥିଲେ ନିକଟରେ ବିବାହବନ୍ଧନରେ ଆବଦ୍ଧ ହୋଇଥିବା ୨୯ ବର୍ଷୀୟ ସିନ୍ଧୁ। ଏବେ ସେ କ୍ରୀଡ଼ା ‌ବ୍ରାଣ୍ଡ ‘ପୁମା’ର ଦୂତ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ‘ପୁମା’ ସମ୍ବର୍ଦ୍ଧନା କରିବା ଅବସରରେ ସେ କହିଛନ୍ତି ‌‌‌ଯେ ଏବେ ବି ମୁଁ ଜିତିବାକୁ ଭୋକିଲା ଅଛି ଏବଂ ଜିତି ପାରିବି। କେବେ ବି  ନିଜ ଉପରୁ ବିଶ୍ବାସ ହରାଇନି। ସର୍ବଦା ଖେଳ ଉପରେ ଧ୍ୟାନ ଦିଏ। ନିଜ ଉପରେ ସବୁବେଳେ ଭରସା ରଖେ। ୨୦୧୫ରେ ଯେତେବେଳେ ମୁଁ ଆହତ ହେଲି। ଜାଣି ନଥି‌ଲି ଫେରିବି ବୋଲି। ହେଲେ ୧୦୦ ପ୍ରତିଶତ ଦେଇ ଫେରିବା ସହ ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଲି।

ମୋ ଜୀବନ ବହୁତ ପରିବର୍ତ୍ତନ ହୋଇଛି। ଏବେ ମୋ ପାଖରେ ଅନେକ ପୁରସ୍କାର ଅଛି। ଯାହା ମୋତେ ଅଧିକ ଆତ୍ମବିଶ୍ବାସ ଦେଇଥାଏ। ଜୀବନରେ ଜୟ ଓ ପରାଜୟ ଲାଗି ରହିଛି। ଅସୁବିଧା ବେଳେ ଧୈର୍ଯ୍ୟ ରଖିବାକୁ ପଡ଼ିବ ଏବଂ ଭଲ ବେଳକୁ ‌ଅପେକ୍ଷା କରିବାକୁ ପଡ଼ିବ। କାରଣ ବେ‌‌ଳେବେଳେ ଏହା ଶିଖିବାର ବାଟ ଦେଖାଇଥାଏ। ଯେତେବଳେ ତୁମେ ଜିତି ନଥିବ କି ସଫଳତା ପାଉ ନଥିବ ସମାଲୋଚନାର ଶିକାର ହେବ। କିନ୍ତୁ ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହାକୁ ଖାତିର ନକରି ନିଜ ଉପରେ ବିଶ୍ବାସ ରଖିଲେ ହିଁ ସଫଳତା ପାଇବ। ମୁଁ ବହୁତ ଭାଗ୍ୟବାନ ଯେ ମୋ ନିକଟରେ ଧୈର୍ଯ୍ୟ ଅଛି। ଯେଉଁଥି ପାଇଁ ପ୍ରତ୍ୟାବର୍ତ୍ତନ କରି ପାରୁଛି। ଏବେ ମୋ ପାଖରେ ଅନେକ ସମୟ ଅଛି। ଯଦି ଆହତ ସମସ୍ୟା ନ ରୁହେ ତେବେ ଆହୁରି ଅନେକ ବର୍ଷ ଖେଳି ପାରିବି ଏବଂ ଅଧିକ ପ୍ରତିଯୋଗିତା ଜିତିପାରିବି। ଚଳିତ ବର୍ଷ ଯେପରି ଆହତ ନ ହେବି ସେଥିପାଇଁ ବାଛି ବାଛି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି। ଏହା ହେଉଛି ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଆହତ ସମସ୍ୟା ଟାଳିଲେ ହିଁ ୧୦୦ ପ୍ରତିଶତ ଦେଇପାରିବି।