Breaking News

ଜୀବନ-ମନ୍ତ୍ର: କନ୍ଦରାସୁର କଥା

ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀବଳଦେବଜିଉଙ୍କର କନ୍ଦରାସୁରବଧ ବେଶ। ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁରବଧ ବେଶ ହେବାପରି...

ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀବଳଦେବଜିଉଙ୍କର କନ୍ଦରାସୁରବଧ ବେଶ। ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁରବଧ ବେଶ ହେବାପରି, କେନ୍ଦ୍ରାପଡ଼ାର ଶ୍ରୀବଳଦେବଜିଉ ମନ୍ଦିରରେ ମଧ୍ୟ ମାଘ ପୂର୍ଣ୍ଣିମାରେ ଶ୍ରୀବଳଦେବଙ୍କର ପ୍ରଳମ୍ବାସୁର ବଧ ବେଶ ହୋଇଥାଏ। ତାଙ୍କର ଏହି ବେଶର ବିଶେଷ ତାତ୍ପର୍ଯ୍ୟ ରହିଛି। ‘କନ୍ଦରାସୁର’ ନାମଟି ‘କନ୍ଦର’ ସହିତ ସଂପୃକ୍ତ। ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ରେ ଏ ସଂପର୍କରେ ବର୍ଣ୍ଣନା ରହିଛି।

କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜିଉଙ୍କର ନାମ ‘କନ୍ଦରାରି’, ‘କନ୍ଦର ଦଳନ’ ଓ ‘କନ୍ଦର ମର୍ଦ୍ଦନ’ ଆଦି ହୋଇଛି। କନ୍ଦରାସୁରର ନିପାତ ସ୍ଥାନ ବା କନ୍ଦରାସୁରର ଦହନ (ପୋଡ଼ା) ସ୍ଥାନ ହେତୁ ସେହି ସ୍ଥାନର ନାମ ‘କନ୍ଦରପଡ଼ା’ ବା ‘କନ୍ଦରପୋଡ଼ା’ ହୋଇ ଏବେ କେନ୍ଦ୍ରାପଡ଼ା ହୋଇଛି।

ଷୋଡ଼ଶ ଶତାବ୍ଦୀର ବୈଷ୍ଣବ କବି ବିପ୍ରଶ୍ରୀ ମାଧୁରୀ ଦାସ ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ର ରଚୟିତା। ତାଙ୍କର ନିବାସସ୍ଥାନ ଥିଲା ତୁଳସୀକ୍ଷେତ୍ରର ଛେଦରା ରାଜାଙ୍କ ଉଆସ। ସେଠାରେ ଅବସ୍ଥାନ କାଳରେ ସେ ଏହି ଗ୍ରନ୍ଥ ରଚନା କରିଥିଲେ। ଶ୍ରୀଶ୍ରୀ ରାଧାରମଣ ଦେବଙ୍କର ଚରଣାଶ୍ରିତ ଶ୍ରୀ ରାଧାକୃଷ୍ଣ ବସୁଙ୍କ ଦ୍ବାରା କଟକର ଶ୍ରୀ ରାସବିହାରୀ ମଠରୁ ୧୯୨୭ରେ ଏହା ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା। ପ୍ରକାଶକ ଶ୍ରୀ ବସୁଙ୍କର ପିତାମାତା ଦୀର୍ଘକାଳ ତୁଳସୀ କ୍ଷେତ୍ରରେ ଅବସ୍ଥାନ କରିଥିଲେ। ଶ୍ରୀ ବସୁଙ୍କର ଶୈଶବ ଓ କୈଶୋର ମଧ୍ୟ ସେଠାରେ ବିତିଥିଲା। ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ ଏକ ଗୁପ୍ତଗ୍ରନ୍ଥ ଏବଂ ତାହାକୁ ପ୍ରକାଶ କଲେ ଅପରାଧ ହେବ ବୋଲି ବିଶ୍ବାସ ଥିବାରୁ, ସେ ଯାଏ ତାହା ପ୍ରକାଶ ପାଇ ନ ଥିଲା। ସେହି ଗ୍ରନ୍ଥରେ ଥିବା ଉଲ୍ଲେଖ ଅନୁସାରେ, ତାହା ‘ପଦ୍ମ ପୁରାଣ’ ଆଧାରିତ। ମାତ୍ର ତାହାର ବର୍ଣ୍ଣନା ‘ପଦ୍ମପୁରାଣ’ଠାରୁ ଭିନ୍ନ ବୋଲି ଜଣାଯାଏ।

‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ ଅନୁସାରେ, ଦ୍ବାପର ଯୁଗରେ କନ୍ଦର ନାମରେ ଏକ ଅସୁର ଲଳିତଗିରି କନ୍ଦରରେ ଲୁଚି ରହି ବହୁ ଉପଦ୍ରବ କରୁଥିଲା। ସେଠାରେ ଧ୍ୟାନ, ତପସ୍ୟା ଓ ଯଜ୍ଞ ଆଦି କରୁଥିବା ଯୋଗୀ, ମୁନି, ଋଷି ଆଦିଙ୍କ ଉପରେ ସେ ଅତ୍ୟାଚାର କରୁଥିଲା। ଏକଦା ବଳରାମ ତୀର୍ଥାଟନ କରିବାବେଳେ, ଲୋକମୁଖରୁ ତାହାର ଉତ୍ପାତ କଥା ଶୁଣିଲେ ଏବଂ ନିଜର ହଳ ଓ ମୂଷଳ ଆୟୁଧ ଦ୍ବାରା ତାହାକୁ ବଧ କଲେ। ସେହି କାରଣରୁ କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜିଉଙ୍କର ନାମ ‘କନ୍ଦରାରି’, ‘କନ୍ଦର ଦଳନ’ ଓ ‘କନ୍ଦର ମର୍ଦ୍ଦନ’ ଆଦି ହୋଇଛି। କନ୍ଦରାସୁରର ନିପାତ ସ୍ଥାନ ବା କନ୍ଦରାସୁରର ଦହନ (ପୋଡ଼ା) ସ୍ଥାନ ହେତୁ ସେହି ସ୍ଥାନର ନାମ ‘କନ୍ଦରପଡ଼ା’ ବା ‘କନ୍ଦରପୋଡ଼ା’ ହୋଇ ଏବେ କେନ୍ଦ୍ରାପଡ଼ା ହୋଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.