Breaking News

ଜୀବନ-ମନ୍ତ୍ର: ପ୍ରୟାଗରାଜ

‘ପ୍ରୟାଗରାଜ’ ହେଉଛି ‘ଆଲ୍ଲାହବାଦ’ର ପରିବର୍ତ୍ତିତ ନାମ। କିନ୍ତୁ ପ୍ରକୃତରେ ଆଲ୍ଲାହବାଦ ଥିଲା ପ୍ରାଚୀନ ପ୍ରୟାଗର ଏକ ପରିବର୍ତ୍ତିତ ନାମ। କାରଣ, ‘ପ୍ରୟାଗ’ ଏକ ପ୍ରାଚୀନ ଓ ପୁରାଣପ୍ରସିଦ୍ଧ ନାମ।

‘ପ୍ରୟାଗରାଜ’ ହେଉଛି ‘ଆଲ୍ଲାହବାଦ’ର ପରିବର୍ତ୍ତିତ ନାମ। କିନ୍ତୁ ପ୍ରକୃତରେ ଆଲ୍ଲାହବାଦ ଥିଲା ପ୍ରାଚୀନ ପ୍ରୟାଗର ଏକ ପରିବର୍ତ୍ତିତ ନାମ। କାରଣ, ‘ପ୍ରୟାଗ’ ଏକ ପ୍ରାଚୀନ ଓ ପୁରାଣପ୍ରସିଦ୍ଧ ନାମ। ଭାରତରେ ମୁସଲମାନ ଶାସନ ସମୟରେ ସେହି ନାମକୁ ପରିବର୍ତ୍ତନ କରି ‘ଆଲ୍ଲାହବାଦ’ ବା ‘ଇଲ୍ଲାହାବାଦ’ କରାଯାଇଥିଲା। ଏହାର ଅର୍ଥ- ‘ଈଶ୍ବରଙ୍କ ନଗର’। ଏବେ ସେ ନାମକୁ ବଦଳାଯାଇ ପ୍ରୟାଗରାଜ କରାହୋଇଛି।

‘ପ୍ରୟାଗ’ର ଅନେକ ଅର୍ଥ। ଏହାର ଗୋଟିଏ ଅର୍ଥ- ଶତକ୍ରତୁ ବା ଇନ୍ଦ୍ର। କିନ୍ତୁ ଅନ୍ୟ ଅର୍ଥଗୁଡ଼ିକ ଏକ ପବିତ୍ର ସ୍ଥାନ ଭାବରେ ଏହାର ବିଶେଷତ୍ବ ଓ ମହତ୍ତ୍ବ ସୂଚାଏ। ସବୁଠୁ ବିଶେଷତ୍ବ ପୂର୍ଣ୍ଣ ନାମ ହେଉଛି ‘ପ୍ରଯାଗ’। ‘ଯାଗ’ ସହ ‘ପ୍ର’ ଉପସର୍ଗ ମିଶି ‘ପ୍ରଯାଗ’ ଶବ୍ଦ ସୃଷ୍ଟି ହୋଇଛି। ‘ଯାଗ’ର ଅର୍ଥ ଯଜ୍ଞ। ଏଥିରୁ ସୂଚିତ ହୁଏ, ଯେ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀର ଏହି ମିଳନସ୍ଥଳ ବା ତ୍ରିବେଣୀ ସଂଗମରେ ପୂର୍ବକାଳରେ ଅନେକ ଯାଗଯଜ୍ଞ ସଂପନ୍ନ ହେଉଥିଲା। ଏହା ଥିଲା ହିନ୍ଦୁମାନଙ୍କର ଏକ ପରମ ପବିତ୍ର ତୀର୍ଥ। ‘ରାମାୟଣ’ରୁ ସୂଚିତ ହୁଏ, ଯେ ପୂର୍ବେ ରାଜାମାନଙ୍କର ଅଭିଷେକ ନିମନ୍ତେ ଏହି ପବିତ୍ର ତୀର୍ଥରୁ ଜଳ ସଂଗ୍ରହ କରାଯାଉଥିଲା।
ପ୍ରୟାଗ ବା ପ୍ରଯାଗ ବହୁକାଳ ଧରି କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ସମ୍ରାଟ ଅଶୋକ ଓ ଅନ୍ୟ ବୌଦ୍ଧ ରାଜାମାନଙ୍କର ଶାସନକାଳରେ ସେଠାରେ ଅନେକ ବୌଦ୍ଧବିହାର ଗଢ଼ି ଉଠିଥିଲା। ‘ମତ୍ସ୍ୟପୁରାଣ’ରେ ଏହାର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ସେଥିରେ ଏହାକୁ ପ୍ରଜାପତିକ୍ଷେତ୍ର କୁହାଯାଇଛି।

ସେହି ପୁରାଣର ୧୦୨-୧୦୭ ଅଧ୍ୟାୟର ବର୍ଣ୍ଣନା ଅନୁସାରେ, ଏହା ଥିଲା ପ୍ରଜାପତି କ୍ଷେତ୍ର। ପାଞ୍ଚଯୋଜନ ବ୍ୟାପୀ ଏହା ବିସ୍ତୃତ ଥିଲା। ‘ରାମାୟଣ’ରେ ଉଲ୍ଲେଖ ଅଛି, ଯେ ବନଗମନ କାଳରେ, ରାମଚନ୍ଦ୍ର ସେଠାରେ ଥିବା ଭରଦ୍ବାଜ ମୁନିଙ୍କ ଆଶ୍ରମରେ କିଛିକାଳ ଅବସ୍ଥାନ କରିଥିଲେ। ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ଏହାର ବର୍ଣ୍ଣନା ଅଛି। ଭରତ ଶ୍ରୀରାମଙ୍କୁ ଫେରାଇନେବାକୁ ଯାଇ ସେଠାରେ ପହଞ୍ଚିଥିଲେ ଏବଂ ଭରଦ୍ବାଜ ମୁନି ତାଙ୍କୁ ଏବଂ ତାଙ୍କର ଅନୁଚରମାନଙ୍କୁ ଅନେକ ଓଡ଼ିଆ ଖାଦ୍ୟଦ୍ରବ୍ୟ ରାନ୍ଧି ପରଷିଥିଲେ।  ସେଠାରେ ଅଛି ଏକ ଅକ୍ଷୟବଟ। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂ ଭାରତ ଆସିଥିବା ବେଳେ, ସେହି ବଟବୃକ୍ଷକୁ ଦେଖି ତାହାର ବର୍ଣ୍ଣନା କରିଛନ୍ତି। ‘ମତ୍ସ୍ୟପୁରାଣ’ ଅନୁସାରେ, ମାଘମାସରେ ପ୍ରୟାଗ ବା ପ୍ରଯାଗର ତ୍ରିବେଣୀ ସଂଗମରେ ବହୁ ତୀର୍ଥ ବାସ କରନ୍ତି। ତେଣୁ ମକର ସଂକ୍ରାନ୍ତିରେ ସେଠାରେ ପ୍ରତିବର୍ଷ ମାଘ (ମକର)ସ୍ନାନ ହୋଇଥାଏ। ପ୍ରତି ୬ ବର୍ଷରେ ଥରେ ଅର୍ଦ୍ଧକୁମ୍ଭ ଓ ପ୍ରତି ୧୨ ବର୍ଷରେ ଥରେ ପୂର୍ଣ୍ଣକୁମ୍ଭ ସ୍ନାନ ଓ‌ ମେଳା ହୁଏ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.