Breaking News

ଜେମିମାଙ୍କ ପ୍ରଥମ ଶତକ: ଏକାଧିକ ରେକର୍ଡ ସହ ଶୃଙ୍ଖଳା ଜିତିଲା ଭାରତ

ମହିଳା ଦିନିକିଆରେ ସର୍ବୋଚ୍ଚ ସ୍କୋର୍ ଏବଂ ଏକ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ସହିତ ଭାରତୀୟ ଦଳ ରବିବାର ଆୟର୍ଲାଣ୍ଡ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଆଗୁଆ ଜିତି ନେଇଛି। ଜେମିମା ରଡ୍ରିଗ୍‌ସଙ୍କ ପ୍ରଥମ ଦିନିକିଆ ଶତକ...

ରାଜକୋଟ: ମହିଳା ଦିନିକିଆରେ ସର୍ବୋଚ୍ଚ ସ୍କୋର୍ ଏବଂ ଏକ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ସହିତ ଭାରତୀୟ ଦଳ ରବିବାର ଆୟର୍ଲାଣ୍ଡ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଆଗୁଆ ଜିତି ନେଇଛି। ଜେମିମା ରଡ୍ରିଗ୍‌ସଙ୍କ ପ୍ରଥମ ଦିନିକିଆ ଶତକ (୯୧ ବଲ୍‌ରୁ ୧୦୨ ରନ୍‌, ୧୨  ଚୌକା) ବଳରେ ଭାରତ ରବିବାର ଦ୍ବିତୀୟ ଦିନିକିଆରେ ଆୟର୍ଲାଣ୍ଡ୍‌କୁ ୧୧୬ ରନ୍‌ରେ ପରାସ୍ତ କରି ୩ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଅପରାଜେୟ ଅଗ୍ରଣୀ ନେଇଛି। ଜେମିମାଙ୍କ ଶତକୀୟ ପାଳି ଛଡ଼ା ପ୍ରଥମ ୩ ବ୍ୟାଟର୍‌ ସ୍ମୃତି ମନ୍ଧାନା (୫୪ ବଲ୍‌ରୁ ୭୩ ରନ୍), ପ୍ରତୀକ ରାୱଲ (୬୧ ବଲ୍‌ରୁ ୬୭ ରନ୍), ହର୍ଲିନ୍ ଦେଓଲ (୮୪ ବଲ୍‌ରୁ ୮୯ ରନ୍) ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ମହିଳା ଦଳ ନିଜ ଦିନିକିଆ ଇତିହାସରେ ସର୍ବୋଚ୍ଚ ୩୭୦/୫ ସ୍କୋର୍‌ କରିଥିଲା। ପୂର୍ବ ସର୍ବୋଚ୍ଚ ୩୫୮/୨ (ବନାମ ଆୟର୍ଲାଣ୍ଡ୍‌, ୨୦୧୭) ଓ ୩୫୮/୫ (ବନାମ ୱେଷ୍ଟଇଣ୍ଡିଜ୍, ୨୦୨୪) ଦୁଇ ଥର କରିଥିଲା। ମାତ୍ର ୯୦ ବଲ୍‌ରୁ ଶତକ ହାସଲ କରି ଜେମିମା ମଧ୍ୟ ଭାରତ ପାଇଁ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ମହିଳା ବ୍ୟାଟର୍ ‌ହୋଇଛନ୍ତି। ଗତବର୍ଷ ହର୍ମନପ୍ରୀତ୍ କୌର୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮୭ ବଲ୍‌ରୁ ଏବଂ ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ୯୦ ବଲ୍‌ରୁ ଶତକ ହାସଲ କରିଥିଲେ।

ଭାରତ ମଧ୍ୟ ତୃତୀୟ ଥର ପାଇଁ ୩୫୦+ ସ୍କୋର୍‌ କରିଛି। ମନ୍ଧାନା ଓ ରାୱଲ ପ୍ରଥମ ୱିକେଟ୍‌ ପାଇଁ ଉଠାଇଥିବା ୧୫୬ ରନ୍ ମଧ୍ୟ ଏକ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ହୋଇଛି। ୫ ପାଳିରେ ଉଭୟ ତୃତୀୟ ଥର ପାଇଁ ଏଭଳି କରିଛନ୍ତି। ଭାରତ ପାଳିରେ ମୋଟ ୪୪ ଚୌକା ମଧ୍ୟ ଏକ ନୂଆ ରେକର୍ଡ ହୋଇଛି। ଗତମାସରେ ଭଡ଼ୋଦରାଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ମହିଳା ୪୩ ଚୌକା ମାରିଥିଲେ। ଭାରତର ଶୀର୍ଷ ୪ ବ୍ୟାଟର୍‌ ୫୦+ ସ୍କୋର୍‌ କରିବା ମହିଳା ଦିନିକିଆରେ ସପ୍ତମ ଥର ପାଇଁ ନଜରକୁ ଆସିଛି। ୨୦୦୪ରେ ଧାନବାଦରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଥର ଏଭଳି ସଫଳତା ପାଇଥିଲା। ରବିବାର ଭାରତର ୩୭୦/୫ ଜବାବରେ ଆୟର୍ଲାଣ୍ଡ୍‌ ୨୫୪/୭ରେ ସୀମିତ ରହିଥିଲା। କ୍ରିଷ୍ଟିନା କଲଟର୍‌ ରେଲି (୮୦)ଙ୍କ ଛଡ଼ା ଅନ୍ୟ କୌଣସି ଆଇରିସ୍‌ ବ୍ୟାଟର୍‌ ଲଢ଼ି ପାରିନଥିଲେ। ଦୀପ୍ତି ଶର୍ମା (୩/୩୭), ପ୍ରିୟା ମିଶ୍ର (୨/୫୩) ପ୍ରଭାବୀ ବୋଲିଂ କରିଥିବାବେଳେ ଟିଟାସ୍ ସାଦ୍ଧୁ ଓ ସାୟଲୀ ସତ୍‌ଘାରେ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ଜେମିମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବୁଧବାର ଶେଷ ଦିନିକିଆ ଖେଳାଯିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.