Breaking News

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି: ୟୁସିସି ପ୍ରାବଧାନରୁ ଆଦିବାସୀଙ୍କୁ ମୁକ୍ତ ରଖାଯିବ

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ରେ ଦଳ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ସଂକଳ୍ପ ଉପସ୍ଥାପନ କରିଛି। ସେଥିମଧ୍ୟରୁ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

0

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ରେ ଦଳ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ସଂକଳ୍ପ ଉପସ୍ଥାପନ କରିଛି। ସେଥିମଧ୍ୟରୁ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଝାଡ଼ଖଣ୍ଡରେ ବିଜେପିର ଇସ୍ତାହାର ଜାରି କରିଛନ୍ତି।  ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୀବ୍ର ସମାଲୋଚନା କରି ଶାହ କହିଛନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ସରକାରରେ ମହିଳା ଓ ଆଦିବାସୀ ମାନେ ସୁରକ୍ଷିତ ନୁହଁନ୍ତି।   ରାଜ୍ୟର ପରିଚୟ ରକ୍ଷା କରିବାରେ ସୋରେନ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଶାହ ଯୁକ୍ତି ବାଢ଼ିଥିଲେ ଯେ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଛଘୁଞ୍ଚା ଦେଉଛି । ରାଜ୍ୟରେ ଲୋକଙ୍କ ରୋଜଗାର ବିପନ୍ନ ହୋଇଛି ଏବଂ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାର ବିଫଳ ହୋଇଛି। ଅସହାୟ ମହିଳାଙ୍କ ଜମି ହଡ଼ପ କରାଯାଇଛି ଏବଂ ସରକାରୀ ପ୍ରୋତ୍ସାହନରେ ଏହା ଚାଲିଛି। ରାଜ୍ୟର ଭବିଷ୍ୟତ ପାଇଁ ସେମାନେ କେଉଁ ପ୍ରକାର ନେତୃତ୍ୱ ଚାହୁଛନ୍ତି ତାହା ବିଚାର କରିବାକୁ ଶାହ ମତଦାତାଙ୍କୁ ଅନୁରୋଧ କରିଛନ୍ତି। ବିଜେପି ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବ ଏବଂ   ଅନୁପ୍ରବେଶକାରୀଙ୍କୁ ବାହାର କରିବ ବୋଲି ଶାହ କହିଛନ୍ତି। ଝାଡ଼ଖଣ୍ଡରେ ୟୁସିସି ଲାଗୁ ପାଇଁ ସଂକଳ୍ପପତ୍ରରେ କରାଯାଇଥିବା ଘୋଷଣା ଯଥାରୀତି କାର୍ଯ୍ୟକାରୀ ହେବ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସମାନ ନାଗରିକ ଆଇନ ପରିସରରୁ ବାହାରେ ରଖାଯିବ ବୋଲି  ଶାହ କହିଛନ୍ତି। ବିଜେପି ସରକାର ଆଦିବାସୀଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଇ କାମ କରିବ ଏବଂ ଏହା ଆମର ଦୃଢ଼ ସଂକଳ୍ପ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ପ୍ରଦାନ ପ୍ରତିଶ୍ରୁତି
ରାଜ୍ୟ ଗଠନର ୨୫ବର୍ଷ ପୂର୍ତ୍ତି ଅବସରରେ ୨୫ ସଂକଳ୍ପ

‘ହେମନ୍ତ ସୋରେନଙ୍କ ସରକାରରେ ଝାଡ଼ଖଣ୍ଡର ଆଦିବାସୀ ସମ୍ପ୍ରଦାୟ  ଅସୁରକ୍ଷିତ ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ବିଶେଷକରି ସାନ୍ତାଳ ପ୍ରଗଣାରେ  ସେମାନଙ୍କ ଜନସଂଖ୍ୟା ହ୍ରାସ ସହ ଜୀବନଜୀବିକା ବିପନ୍ନ ହୋଇଛି। ଅନୁପ୍ରବେଶକାରୀମାନେ ଆସି ସ୍ଥାନୀୟ ମହିଳାଙ୍କୁ ବିବାହ କରୁଛନ୍ତି ଏବଂ ଜମି ଦଖଲ କରୁଛନ୍ତି । ଯଦି ଏହି ସମସ୍ୟାର ସମାଧାନ କରା ନଯାଏ ତେବେ ଝାଡ଼ଖଣ୍ଡର ସାଂସ୍କୃତିକ ଐତିହ୍ୟ, ଜମି କିମ୍ବା ଝିଅମାନଙ୍କ ସୁରକ୍ଷା ଆଉ ସୁରକ୍ଷିତ ରହିବ ନାହିଁ’ ବୋଲି ଶାହ ଚେତାବନୀ ଦେଇଛନ୍ତି। ଏହି ସବୁ ସମସ୍ୟାର ମୁକାବିଲା ପାଇଁ ବିଜେପି ‘ରୁଟି, ବେଟି(ଝିଅ), ମାଟି’ ସ୍ଲୋଗାନ ଦେଇ ନିଜର ଅଭିଯାନକୁ ଆଗକୁ ବଢ଼ାଉଛି ବୋଲି ଶାହ କହିଛନ୍ତି। ଝାଡ଼ଖଣ୍ଡ ଗଠନରେ ବିଜେପିର ଭୂମିକା ଉପରେ ଆଲୋକପାତ କରିବା ସହ ରାଜ୍ୟ ଗଠନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏହାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାହ ଶ୍ରେୟ ଦେଇଥିଲେ।

ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରି ଗୃହମନ୍ତ୍ରୀ କହିଛନ୍ତି, ଯେତେବେଳେ ବି ମୁଁ ‘ସଂକଳ୍ପ ପତ୍ର’ କଥା କହୁଛି, ସେତେବେଳେ ଆମେ ଦେଖିଥାଉ ଯେ ବିଜେପି ଅନ୍ୟ ସବୁ ରାଜନୈତିକ ଦଳଠାରୁ ଭିନ୍ନ। ବିଜେପି ହେଉଛି ଦେଶର ଏକମାତ୍ର ରାଜନୈତିକ ଦଳ ଯିଏ ନିଜ ପ୍ରତିଶ୍ରୁତି ଶତ ପ୍ରତିଶତ ପୂରଣ କରିଥାଏ। ବିଜେପି ଯେତେବେଳେ ବି  କେନ୍ଦ୍ର କିମ୍ବା ରାଜ୍ୟରେ କ୍ଷମତାକୁ ଆସିଛି, ଆମେ ସବୁବେଳେ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି ସେ କହିଛନ୍ତି।  ରାଜ୍ୟରେ ବେକାରୀ ମୁକାବିଲା ପାଇଁ ବିଜେପି ୨,୮୭,୦୦୦ ସରକାରୀ ଚାକିରି ସୃଷ୍ଟି କରିବା ସହ ୫,୦୦,୦୦୦ ସ୍ୱରୋଜଗାର ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ‘ଲକ୍ଷ୍ମୀ ଜୋହର’ ଯୋଜନାରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ଏବଂ ପ୍ରତିବର୍ଷ ଦୁଇଟି ମାଗଣା ସିଲିଣ୍ଡର ଉପଲବ୍ଧ ହେବ । ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର ଓ ପ୍ରୋତ୍ସାହନ ପାଇଁ ସିଧୋ-କାହ୍ନୋ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ।  ବିଜେପି ସରକାର ଗଠିତ ହେବା ପରେ ଅନୁପ୍ରବେଶ ରୋକିବା ଏବଂ ଅଧିକୃତ ଜମି ପୁନରୁଦ୍ଧାର ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ମଧ୍ୟ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.