Breaking News

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟରେ ୬୬ ପ୍ରତିଶତ ମତଦାନ, ମାଓ ଅଧ୍ୟୁଷିତ ଅଞ୍ଚଳରେ ଭୋଟ୍‌ ଗ୍ରହଣ ଶାନ୍ତିପୂର୍ଣ୍ଣ

ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୪୩ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ୬୬ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଳି ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ...

0

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୪୩ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ୬୬ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଳି ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ମଧ୍ୟ ଆଜି ଭୋଟ୍‌ ଗ୍ରହଣ ସରିଛି। ନିର୍ବାଚନ ଆୟୋଗ ଏକ ବିବୃତିରେ କହିଛନ୍ତି ଯେ ଝାଡ଼ଖଣ୍ଡର ମାଓବାଦୀ ପ୍ରଭାବିତ ଅଞ୍ଚଳ ସମେତ ସମସ୍ତ ଆଦିବାସୀ ବହୁଳ ଜିଲ୍ଲାରେ ମତଦାନ ସୁରୁଖୁରୁରେ ଓ ଉତ୍ସାହଜନକ ପରିବେଶରେ ସଂପନ୍ନ ହୋଇଛି।

ଆଜି ରାଜସ୍ଥାନର ୭ଟି, ପଶ୍ଚିମବଙ୍ଗର ୬ଟି, ଆସାମର ୫ଟି, ବିହାରର ୪ଟି, କେରଳର ୩ଟି, ମଧ୍ୟପ୍ରଦେଶର ୨ଟି ଏବଂ ମେଘାଳୟ, ଗୁଜରାଟ, ଛତିଶଗଡ଼ ଓ କର୍ଣ୍ଣାଟକର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହୋଇଥିଲା। ସିକ୍କିମର ଦୁଇଟି ଆସନରେ ଅକ୍ଟୋବର ୩୦ତାରିଖରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଘୋଷଣା କରାଯାଇଥିଲା। ଆଜି ଝାଡ଼ଖଣ୍ଡ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶାସକ ଜେଏମ୍‌ଏମ୍‌ର ୨୩ ଜଣ ପ୍ରାର୍ଥୀ ଥିବା ବେଳେ ସହଯୋଗୀ କଂଗ୍ରେସର ୧୭ ଜଣ ଓ ଆର୍‌ଜେଡିର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ସେହିଭଳି ବିରୋଧୀ ଦଳ ବିଜେପିର ୩୬, ଜେଡିୟୁର ୨ ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଓ ତାଙ୍କ ପୁଅ ବାବୁଲାଲ ସୋରେନ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା, ମଧୁ କୋଡ଼ାଙ୍କ ପତ୍ନୀ ଗୀତା କୋଡ଼ା ଓ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ।

ୱାୟନାଡ଼ ଲୋକସଭା ଓ ୩୧ ବିଧାନସଭା ଆସନରେ ଭୋଟ୍‌ ଶେଷ
ପଶ୍ଚିମବଙ୍ଗରେ ହିଂସା, ଟିଏମ୍‌ସି ନେତାଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଜଗତଦଲ ଅଞ୍ଚଳରେ କିଛି ଲୋକ ଟିଏମ୍‌ସି ନେତା ଅଶୋକ ଶାଓଙ୍କ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ସେ ଟିଏମ୍‌ସିର ପୂର୍ବତନ ୱାର୍ଡ ସଭାପତି ଥିଲେ। ସେହିଭଳି ରାଜସ୍ଥାନର ଦେଓଲି-ଉନିଆରା ଆସନରେ କଂଗ୍ରେସ ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ଏସ୍‌ଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିଛନ୍ତି। ଏକ ମତଦାନ କେନ୍ଦ୍ରରେ ସ୍ବାଧୀନ ପ୍ରାର୍ଥୀ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଅଟକାଇବାରୁ ଏଭଳି ଘଟଣା ଘଟିଛି। ସେହିଭଳି ବିହାରର ତରୀ ବିଧାନସଭା ଆସନରେ ମତଦାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏହି ସଂଘର୍ଷକୁ ନେଇ ଉତ୍ତେଜନା ତୀବ୍ର ହେବାରୁ ପୁଲିସକୁ ଫ୍ଲାଗ୍ ମାର୍ଚ୍ଚ କରିବାକୁ ପଡ଼ିଥିଲା।
ସୌଜନ୍ୟ ସମ୍ୱାଦ

Leave A Reply

Your email address will not be published.