Breaking News

ଝିପିଝିପି ବର୍ଷା ସାଙ୍ଗକୁ ଶୀତ: ନାକେଦମ୍‌ ସହରବାସୀ

ଝିପିଝିପି ବର୍ଷା ଲାଗିରହିଛି। ତା’ସାଙ୍ଗକୁ କାଲୁଆ ପବନ ମାଡ଼ରେ ଅସ୍ତବ୍ୟସ୍ତ ରାଜଧାନୀବାସୀ। ଥଣ୍ଡା ଅନୁଭୂତ ହେଉଥିବାରୁ ଜ୍ୟାକେଟ୍‌ ପିନ୍ଧି ଲୋକେ ବାହାରକୁ ବାହାରିଥିଲେ। ମାତ୍ର ହଠାତ୍‌ ବର୍ଷା ହେବାରୁ ଶୀତଦିନେ ରେନ୍‌କୋର୍ଟର ଆବଶ୍ୟକତା ପଡ଼ିଥିଲା।

ଭୁବନେଶ୍ବର: ଝିପିଝିପି ବର୍ଷା ଲାଗିରହିଛି। ତା’ସାଙ୍ଗକୁ କାଲୁଆ ପବନ ମାଡ଼ରେ ଅସ୍ତବ୍ୟସ୍ତ ରାଜଧାନୀବାସୀ। ଥଣ୍ଡା ଅନୁଭୂତ ହେଉଥିବାରୁ ଜ୍ୟାକେଟ୍‌ ପିନ୍ଧି ଲୋକେ ବାହାରକୁ ବାହାରିଥିଲେ। ମାତ୍ର ହଠାତ୍‌ ବର୍ଷା ହେବାରୁ ଶୀତଦିନେ ରେନ୍‌କୋର୍ଟର ଆବଶ୍ୟକତା ପଡ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଲୋକ ଜ୍ୟାକେଟ୍‌ ପିନ୍ଧି ଘରୁ ବାହାରିବେ ନା ରେନ୍‌କୋର୍ଟ ପିନ୍ଧିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ଯିଏ ଜ୍ୟାକେଟ୍‌ ପିନ୍ଧି ବାହାରିଥିଲେ ସେମାନେ ବର୍ଷା ବେଳେ କେଉଁଠି ଛାତ ତଳେ, ବ୍ରିଜ୍ ତଳେ, ଦୋକାନ କଡ଼ରେ ଆଶ୍ରୟ ନେଇଥିଲେ। ମାତ୍ର ବର୍ଷା ଛାଡ଼ି ନଥିବାରୁ‌ ଲୋକଙ୍କୁ ନାକେଦମ ହେବାକୁ ବଡ଼ିଥିଲା। ବର୍ଷାରେ ଭିଜି ଭିଜି କର୍ମକ୍ଷେତ୍ରରେ ପହଞ୍ଚିଥିଲେ। ଯେଉଁମାନେ ରେନ୍‌କୋର୍ଟ ପିନ୍ଧି ବାହାରିଥିଲେ ସେମାନେ ବର୍ଷାରୁ ସିନା ରକ୍ଷା ପାଇଥିଲେ ମାତ୍ର ଶୀତରେ ଥରିଥିଲେ। ଅଦିନିଆ ବର୍ଷା ଓ ଥଣ୍ଡା ପାଗ ଯୋଗୁ ବଜାରରେ ରେନ୍‌ କୋର୍ଟ‌ ଖୋଜା ପଡ଼ିଥିଲା। ଯେଉଁମାନେ ଏପର୍ଯ୍ୟନ୍ତ ଶୀତବସ୍ତ୍ର କିଣି ନ ଥିଲେ ସେମାନେ ଶୀତବସ୍ତ୍ର ଓ ରନ୍‌କୋର୍ଟ କିଣିବାକୁ ଏକରକମ ବାଧ୍ୟ ହୋଇଥିଲେ। ବର୍ଷା ଓ କାଲୁଆ ପବନ ଯୋଗୁଁ ବହୁ ଲୋକ ଘରୁ ବାହାରି ହିଁ ପାରି ନ ଥିଲେ। ସହରର ପ୍ରମୁଖ ବଜାରରେ ଖାଁ ଖାଁ ପରିସ୍ଥିତି ଉପୁଜିଥିଲା।

ଅପରାହ୍ଣ ବେଳକୁ ବର୍ଷା ପରିମାଣ ବଢ଼ିବାରୁ ଲୋକେ ପଦାକୁ ହିଁ ବାହାରି ନ ଥିଲେ। ଦିନ ସାରା ବର୍ଷା ଲାଗିରହିବାରୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇଥିଲା। କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଖଣ୍ଡଗିରି, କଳିଙ୍ଗବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ରାଜମହଲ ଛକ, ଜୟଦେବ ବିହାର, ପୋଖରୀପୁଟ, ରସୁଲଗଡ଼, ମଞ୍ଚେଶ୍ବର, ଭିଏସ୍‌ଏସ୍‌ନଗର, ଲକ୍ଷ୍ମୀସାଗର ପରି ଛକରେ ପାଣି ଜମିବା ସହ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଭୁବନେଶ୍ବରରେ ୧୬.୭ ମିମି ବର୍ଷା ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗିରହିଥିବାରୁ ପରିମାଣ ଆହୁରି ବଢ଼ିଥିବା ସୂଚନା ମିଳିଛି। ‌ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଲଘୁଚାପ ଜନିତ ବର୍ଷାରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ତାପମାତ୍ରା ୮.୬ ଡିଗ୍ରି ହ୍ରାସ ପାଇଯାଇଥିଲା। ଗତକାଲି ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ବର ସହରର ତାପମାତ୍ରା ୨୬.୮ ଡିଗ୍ରି ରେକର୍ଡ ହୋଇଥିଲା। ଆଜି ମେଘୁଆ ପାଗ ତଥା ହାଲୁକା ବର୍ଷା ଯୋଗୁଁ ସେହି ଅପରାହ୍ଣ ୨ଟା ୩୦ ବେଳକୁ ତାପମାତ୍ରା ୧୮.୨ ଡିଗ୍ରିରେ ପହଞ୍ଚିଥିଲା। ଅର୍ଥାତ ୨୪ ଘଣ୍ଟାରେ ତାପମାତ୍ରା ୮.୬ ଡିଗ୍ରି ହ୍ରାସ ପାଇଥିଲା। ରାତି ୧୧ଟା ବେଳକୁ ବର୍ଷା ଛାଡ଼ିଥିଲେ ମଧ୍ୟ ସହରରେ ଥଣ୍ଡା ଜାରି ରହିଛି।

ତମାଣ୍ଡୋ ଓ ଗୋହିରା ଛକରେ ଆଣ୍ଠୁଏ ପାଣି
ଆଜି ବର୍ଷା ପାଣିରେ ଉବୁଟୁବୁ ହେଉଛି ତମାଣ୍ଡୋ ଓ ଗୋହିରା ଛକ ଅଣ୍ଡର୍‌ପାସ୍‌। ୫ବର୍ଷ ହେଲା ବର୍ଷା ଦିନେ ଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଏହାର ସ୍ଥାୟୀ ସମାଧାନ କରୁ ନାହିଁ। ଫଳରେ ଆଜି ମଧ୍ୟ ସ୍ଥାନୀୟ ଲୋକେ ଯିବା ଆସିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତ‌ମାଣ୍ଡୋ ବଜାର ଉପରେ କାଶୀପୁର, ବାଲିଆପାଳ, ନଁପୁଟୁ, ମହୁରା, ରେତଙ୍ଗ, ବାଲିଆପଡ଼ା, ଯାଁଳା, ମଦନପୁର, ବଡ଼ରଘୁନାଥପୁର, ଅରିସଲ, କାଇମାଟିଆ, ଜାଗସରାପାଟଣା, ନାରଗୋଦା, ପାତ୍ରପଡ଼ା, କଳିଙ୍ଗବିହାରର ଲୋକେ ନିର୍ଭର କରନ୍ତି। ପାଣି ଜମିବା ଫଳରେ ଟ୍ରାଫିକ ଜାମ ହେବା ସ‌ହ ଗାଡ଼ି ଅଟକି ରହିଥିଲା।

ପରିବା ଚାଷକୁ ବର୍ଷା ବିପଦ

ବାଲିଅନ୍ତା ବଜାର/ବାଲିପାଟଣା/ ବାଲିଅନ୍ତା: ଏବେ ବିଲରୁ ଧାନ ଅମଳ ବେଳ। ପରିବା ଅମଳ ବି ଆରମ୍ଭ ହୋଇଗଲାଣି। ନିକଟରେ ଯାଇଛି ମାଣବସା। ତେଣୁ ଚାଷୀର ଖୁସି ସମୟ। ମାତ୍ର ଅଦିନିଆ ବର୍ଷା ଚାଷୀର ସବୁ ଖୁସିର ଜୁଆରରେ ଅଚାନକ ଭଟ୍ଟା ସୃଷ୍ଟି କରିଛି। ବିଲରୁ ଧାନ କାଟିବ କ’ଣ, କଟା ଧାନକୁ ବର୍ଷା ପାଣିରୁ ରକ୍ଷା କରିବାକୁ ନାକେଦମ ହେଉଛି। ଧାନ କଚଡ଼ା ପାଣିରେ ଭାସିଲାଣି। ଖଳାରେ ଅମଳ ଧାନ ଘୋଡ଼ାଇବାକୁ ତର ନାହିଁ କି ସାଧନ ନାହିଁ। ସବୁଠି ଭିଜୁଛି ଧାନ। ପରିବା ଚାଷ କଥା ମଧ୍ୟ ତଦ୍ରୁପ। ସଦ୍ୟ ଲାଗିଥିବା ପନିପରିବା ଚାରା ପାଣିରେ ବୁଡ଼ିଲାଣି। ସଜସଜ ମାଟିରେ ପୋତା ହୋଇଥିବା ବିହନ ଚାପି ହୋଇଗଲାଣି। ଚାଷୀଙ୍କ ଉପରେ ଏମିତି ଦାଉ ସାଧିଛି ଅଦିନିଆ ବର୍ଷା। କଲବଲ ହେଉଛି ଚାଷୀ। ତେଣୁ ମୁଣ୍ଡରେ ହାତ ଦେଇ ବସିବା ଛଡ଼ା ଚାଷୀଙ୍କ ନିକଟରେ ଆଉ କିଛି ବାଟ ହିଁ ନାହିଁ। ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ଏବେ ଚାଷୀଙ୍କ ଅବସ୍ଥା ଏମିତି। ଗତ ୪ ଦିନ ହେଲା କୋହଲା ପାଗ ଲାଗିରହିଥିଲା। ବର୍ଷା ହେବା ଆଶଙ୍କାରେ ଚାଷୀମାନେ ଧାନ କାଟିବାରେ ଲାଗିପଡ଼ିଥିଲେ। ଧାନକଟା ମେସିନ୍‌ରେ କଟା ହେବା ସହିତ ସମାନ୍ତରାଳ ଭାବେ ଧାନଝଡ଼ା ମେସିନରେ ଅମଳ କରାଯାଉଥିଲା। ଅନେକ ଚାଷୀ ପାରମ୍ପରିକ ପଦ୍ଧତିରେ ଧାନ କାଟି ବିଲରେ କଚଡ଼ା ପକାଉଥିଲେ।

ବେଶ୍ ତରତରରେ ଲାଗିପଡ଼ିଥିଲେ ଚାଷୀ। ମାତ୍ର ଆଜି ସବୁ ବିଗାଡ଼ିଦେଲା ବର୍ଷା। ଦିନତମାମ ବର୍ଷା ଲାଗିରହିଲା। ଫଳରେ ନା ଧାନ ଅମଳ ହୋଇପାରିଲା ନା ବିଲରୁ ଧାନ କଟା ହୋଇପାରିଲା। ଯେଉଁ ବିଲରେ ଧାନ କଟା ହୋଇନାହିଁ, ‌ତାହା ବି ପ୍ରଭାବିତ ହୋଇଛି। ବର୍ଷାରେ ଭିଜିବା ଯୋଗୁ ଧାନ ଗଛ ପାଣିରେ ଶୋଇପଡ଼ିଛି। ତେଣୁ କେଣ୍ଡା ଛିଡ଼ିବା ଥୟ। ଯଦି ଅଧିକ ବର୍ଷା ହେଲା, ଅବସ୍ଥା ଆହୁରି ସଂଗିନ ହୋଇପଡ଼ିବ। ବିଲରୁ ଧାନ ଖଳାକୁ ଆସିବ ନାହିଁ। ଖାଲୁଆ ଜମିରୁ ତ ମୁଠାଏ ବି ମିଳିବ ନାହିଁ। କିଛି କିଛି ବିଲରେ ଗଛରେ ଧାନ ଗଜା ହୋଇଯିବାର ଆଶଙ୍କା ରହିଛି। ଚଳିତ ବର୍ଷ ଭଲ ଅମଳ ପାଇବ ବୋଲି ଆଶା ବାନ୍ଧିଥିବା ଚାଷୀ ଏବେ ଚିନ୍ତାରେ ଘାଣ୍ଟି ହେଉଛି। ଏତିକିବେଳେ ଦାଉ ସାଧିଛି ଜିଲ୍ଲା ପ୍ରଶାସନ। ଧାନ ମଣ୍ଡି ଖୋଲି ନାହିଁ। ତେଣୁ ଅମଳ କରିଥିବା ଧାନକୁ ବିକିବା ଚାଷୀ ପାଇଁ ସମ୍ଭବ ହେଉନାହିଁ। ବାଲିପାଟଣା ବ୍ଲକ୍‌ ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରାଙ୍କ ସୂଚନାନୁସାରେ ଡିସେମ୍ବର ଶେଷକୁ ମଣ୍ଡି ଖୋଲିବ। ପୁଣି ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତରେ ମଣ୍ଡି ଖୋଲିବ। ତେଣୁ କିଛି କିଛି ପଞ୍ଚାୟତରେ ମଣ୍ଡି ଖୋଲୁଖୋଲୁ ଜାନୁଆରି ହୋଇପାରେ। ତେଣୁ ଚାଷୀମାନଙ୍କ କହିବା କଥା ଏମିତି ସ୍ଥିତିରେ ସେମାନେ ବାଧ୍ୟ ହୋଇ ବାହାର ବେପାରୀଙ୍କୁ ଧାନ ବିକିବେ। ବର୍ଷା ସାଙ୍ଗକୁ ମହାଜନର କରଜ ଶୁଝିବା ସମୟ ଚାଷୀଙ୍କ ତଣ୍ଟିରେ କଣ୍ଟା ହେଲାଣି। ସରକାର ୩୧୦୦ ଟଙ୍କା ଦେବାକୁ କହିଥିଲେ ହେଁ ଚାଷୀମାନେ ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁଯୋଗ ପାଇବେ ନାହିଁ। ଏବେଠୁ ତ କିଛି ଚାଷୀ ବାହାର ବେପାରୀଙ୍କୁ ୨ ହଜାର ଟଙ୍କାରେ ଧାନ ବିକିଲେଣି। ବଡ଼ କଥା ହେଉଛି ଏହି ବର୍ଷାରେ ପରିବା ଚାଷ ପ୍ରଭାବିତ ହେବ। ଫଳରେ ପରିବା ଦର କମିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ହେବ ନାହିଁ। ଶାଗ, ବିନ୍‌ସ, ପୋଟଳ ଭଳି ଲତାଜାତୀୟ ପରିବା ଗଛ ନଷ୍ଟ ହେବା ସହିତ ଅମଳ ବାଧାପ୍ରାପ୍ତ ହେବ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.