ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ମଡେଲିଂ ଓ ଅଭିନୟ ଜଗତକୁ ଆସିବା ପୂର୍ବରୁ ଜାତୀୟ ସ୍ତରର ଗଲ୍ଫ ଖେଳାଳି ଥିଲେ। ୧୦ ବର୍ଷ ବୟସରୁ ସେ ଗଲ୍ଫ ଖେଳିବା ଆରମ୍ଭ କରି ହାଇସ୍କୁଲରେ ପଢ଼ିବା ବେଳେ ଜୁନିଅର ବିଭାଗରେ ଜାତୀୟ ସ୍ତରରେ ଖେଳିଥିଲେ। ସେ ଭଲ ଖେଳୁଥିଲେ ହେଁ ଖରାରେ ଖେଳିବା ଯୋଗୁଁ ଟାନିଂ ପ୍ରକ୍ରିୟାରେ ତାଙ୍କ ଚର୍ମ ଶ୍ୟାମଳ ହୋଇଯାଉଥିଲା। ମଡେଲିଂ ଓ ଅଭିନୟ କରିବା ତାଙ୍କର ସ୍ବପ୍ନ ଥିବାରୁ ସେ ଗଲ୍ଫ ଖେଳିବା ବନ୍ଦ କରିଦେଇଥିଲେ। ତେବେ ପାଠପଢ଼ାକୁ ନେଇ ରକୁଲ ଖୁବ୍ ଗମ୍ଭୀର ଥିଲେ। ତେଣୁ ମୁମ୍ବାଇ ଆସିବା ପୂର୍ବରୁ ସେ ନିଜର ଅଧ୍ୟୟନ ପୂରା କରିଥିଲେ।
ସେ ଦିଲ୍ଲୀରେ ପଢୁଥିବା ଅବସ୍ଥାରେ ୧୮ ବର୍ଷ ବୟସରୁ ମଡେଲିଂ ଜଗତରେ ପାଦ ଥାପିଥିଲେ। ୧୯ ବର୍ଷ ବୟସରେ ତାଙ୍କୁ ଏକ କନ୍ନଡ଼ ଚଳଚ୍ଚିତ୍ରରେ କାମ କରିବାର ପ୍ରସ୍ତାବ ମିଳିଥିଲା, କିନ୍ତୁ ସେ ପ୍ରଥମେ ଏହା କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ ଯେ ସେ ହିନ୍ଦୀ ଚଳଚ୍ଚିତ୍ରରେ ହିଁ କାମ କରିବେ। ତେବେ ତାଙ୍କ ପିତାଙ୍କ ଉପଦେଶକ୍ରମେ ସେ ‘ଗିଲ୍ଲି’ ନାମକ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କଲେ, ଯାହା ୨୦୦୯ରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ ହେଁ ତାଙ୍କ କ୍ୟାରିଅର୍ର ଅଧିକାଂଶ ଚଳଚ୍ଚିତ୍ର ହେଉଛି ଦକ୍ଷିଣ ଭାରତୀୟ। ଆଗକୁ ତାଙ୍କର ‘ପତି ପତ୍ନୀ ଔର େଵା ଦୋ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ଏହି ହାସ୍ୟରସ ଚଳଚ୍ଚିତ୍ରର ପ୍ରଚାର କାଳରେ ସେ ତାଙ୍କ ସାମୟିକ ଗଲ୍ଫିିଂ କ୍ୟାରିଅର ଓ ଅଭିନୟ ଜଗତକୁ ଆସିବାର କାହାଣୀ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

