Breaking News

ଟିମ୍ ଗୋନାସିକା ସହ ଯୋଡ଼ିହେଲେ ସଞ୍ଜୟ ଦତ୍ତ

ସାତ ବର୍ଷର ବ୍ୟବଧାନ ପରେ ଫେରୁଥିବା ହକି ଇଣ୍ଡିଆ ଲିଗ୍‌ର ଅନ୍ୟତମ ନବାଗତ ହେଲେ ଚର୍ଚ୍ଚିତ ଓଡ଼ିଶା ଦଳ ‘ଟିମ୍ ଗୋନାସିକା’ର ଅଫିସିଆଲ୍ ୱେବ୍‌ସାଇଟ୍ ଓ ଦଳୀୟ ସଂଗୀତ (ଟିମ୍ ଆନ୍ଥେମ୍) ବୁଧବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।

0

ଭୁବନେଶ୍ବର: ସାତ ବର୍ଷର ବ୍ୟବଧାନ ପରେ ଫେରୁଥିବା ହକି ଇଣ୍ଡିଆ ଲିଗ୍‌ର ଅନ୍ୟତମ ନବାଗତ ହେଲେ ଚର୍ଚ୍ଚିତ ଓଡ଼ିଶା ଦଳ ‘ଟିମ୍ ଗୋନାସିକା’ର ଅଫିସିଆଲ୍ ୱେବ୍‌ସାଇଟ୍ ଓ ଦଳୀୟ ସଂଗୀତ (ଟିମ୍ ଆନ୍ଥେମ୍) ବୁଧବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଡବ୍‌ଲ୍ୟୁଡବ୍‌ଲ୍ୟୁଡବ୍‌ଲ୍ୟୁ.ଟିମ୍‌ଗୋନାସିକା.କମ୍‌ (www.teamgonasika.com) ୱେବସାଇଟ୍‌ରେ ଦଳର ସଫଳତା ଯାତ୍ରା, ମ୍ୟାଚ୍ ଫଳାଫଳ ଓ ତତ୍‌ ସଂପର୍କିତ ରିପୋର୍ଟ ଏବଂ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନର ରୋଚକ ତଥ୍ୟ ସହ ପରଦା ପଛରେ ସେମାନଙ୍କ ପ୍ରସ୍ତୁତି ଆଦି ବିଷୟରେ ସବିଶେଷ ବିବରଣୀ ରହିବ। ପ୍ରଶଂସକମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ନିଜ ପ୍ରିୟ ଦଳ ଓ ଖେଳାଳିଙ୍କ ବିଷୟରେ ସବୁକିଛି ଜାଣିପାରିବେ। ସେହିଭଳି ହିନ୍ଦୀରେ ପ୍ରସ୍ତୁତ ହୋଇଥିବା ଦଳୀୟ ସଂଗୀତରେ ‘ଏକାଠି ଳଢ଼ିବା ଓ ଆଗକୁ ବଢ଼ିବା’କୁ ଥିମ୍ କରାଯାଇଛି। ଏହାକୁ ସ୍ଲୋଗାନ୍‌ କରି ଦଳ ତାର ସଫଳତା ପଥରେ ଆଗେଇବ ବୋଲି କୁହାଯାଇଛି। ପୁଣି ସୁପ୍ରସିଦ୍ଧ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଦଳର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି।

ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ‘ଟିମ୍ ଗୋନାସିକା’ର ମାଲିକ ତଥା ସଫଳ ଓଡ଼ିଆ ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତି ଏହି ଘୋଷଣା କରିଛନ୍ତି। ଶ୍ରୀ ଦତ୍ତ ମଧ୍ୟ ଏହି ଉତ୍ସବରେ ଆଭାସୀରେ ଯୋଡ଼ିହୋଇ କହିଥିଲେ, ଟିମ୍ ଗୋନାସିକା ସହ ଜଡ଼ିତ ହୋଇ ମୁଁ ବହୁତ ଖୁସି। ଆପଣଙ୍କ ସମର୍ଥନ ଓ ଆଶୀର୍ବାଦ ବଳରେ ଆମ ଦଳ ନିଶ୍ଚିତ ଭାବେ ହକି ଇଣ୍ଡିଆ ଲିଗ୍‌ରେ ଭଲ କରିବ। ଆପଣମାନଙ୍କ ସହ ଡିସେମ୍ବର ୨୮ ତାରିଖରେ ଦେଖାହେବ। ଉତ୍ସବରେ ହକି ଇଣ୍ଡିଆ ସଭାପତି ତଥା କିବଂଦନ୍ତି ଭାରତୀୟ ହକି ତାରକା ଦିଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅଲିମ୍ପିଆନ୍ ତଥା ଦଳର ବରିଷ୍ଠ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଥି‌ଲେ ସମ୍ମାନିତ ଅତିଥି। ସେହିଭଳି ଦଳର ଅନ୍ୟତମ ପ୍ରାୟୋଜକ ଷ୍ଟିଭେନ୍ ସିପିଂର ନିର୍ଦ୍ଦେଶକ ରମେଶ କୁମାରଙ୍କ ସହ ବହୁ ଖେଳପ୍ରେମୀ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ମହାନ୍ତି ଟିମ୍ ଗୋନାସିକାର ଲକ୍ଷ୍ୟ ଓ ଉତ୍ପତ୍ତି ବିଷୟରେ ବିସ୍ତୃତ ବିବରଣୀ ଦେବା ସହ ତାଙ୍କ ଦଳ ଓଡ଼ିଶା ହକିର ବିକାଶରେ ବଳିଷ୍ଠ ଯୋଗଦାନ ରଖିବେ ବୋଲି ମତ ଦେଇଥିଲେ। ସେହିଭଳି ‘ଟିମ୍ ଗୋନାସିକା’କୁ ବିପୁଳ ସମର୍ଥନ ଓ ଭଲପାଇବା ଦେବାକୁ ଓଡ଼ିଶାର ହକିପ୍ରେମୀଙ୍କୁ ଆହ୍ବାନ କରିଥିଲେ। ହକିର ବିକାଶ ଲାଗି ନେଉଥିବା ବିଭିନ୍ନ ପଦକ୍ଷେପ ଲାଗି ଶ୍ରୀ ମହାନ୍ତିଙ୍କୁ ଶ୍ରୀ ତିର୍କି ମଞ୍ଚ ଉପରୁ ଧନ୍ୟବାଦ ଅର୍ପଣ କରିଥିଲେ।

ପୁଣି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହକିକୁ ଫେରି ଉଲ୍ଲସିତ: ବୀରେନ୍ଦ୍ର
ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ତଥା ଓଡ଼ିଶା ହକିର ଅନ୍ୟତମ ଲୋକପ୍ରିୟ ତାରକା ବୀରେନ୍ଦ୍ର ଲାକ୍ରା ଓଡ଼ିଶାର ଏକ ଦଳ ‘ଟିମ୍ ଗୋନାସିକା’ ମାଧ୍ୟମରେ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହକିକୁ ଫେରୁଥିବାରୁ ବହୁତ ଖୁସି ଓ ଉଲ୍ଲସିତ ଅଛନ୍ତି। ବୁଧବାର ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଲାକ୍ରା ଏଥିଲାଗି ‘ଟିମ୍ ଗୋନାସିକା’ର ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ଅବସର ନେବାର ୩-୪ବର୍ଷ ପରେ ପୁଣି ଥରେ ହକିକୁ ଫେରି କେମିତି ଲାଗୁଛି? ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅବସର ନେଲା ପରେ ମଧ୍ୟ ମୁଁ ଓଡ଼ିଶା ପୁଲିସ ଦଳରୁ ଖେଳି ଆସୁଛି। ଏଣୁ ଫିଟନେସ୍ ଏକ ସମସ୍ୟା ହେବ ନାହିଁ ବୋଲି ଭାବୁଛି। ମୋ ମନୋବଳ ମଧ୍ୟ ଢେର ଉଚ୍ଚରେ ରହିଛି। ଦୀର୍ଘ ଅନ୍ତର୍ଜାତୀୟ ଅଭିଜ୍ଞତା ହିଁ ଏହି କ୍ଷେତ୍ରରେ ମୋ ପାଇଁ ସଂଜୀବନୀ ସାବ୍ୟସ୍ତ ହେବ ବୋଲି ଭାବୁଛି।

ସବୁଠୁ ବଡ଼ କଥା ହେଲା ହକି ଇଣ୍ଡିଆ ଲିଗ୍ ୭ବର୍ଷ ପରେ ଫେରିବାକୁ ଯାଉଛି। ପୁରୁଷ ସହ ମହିଳା ଲିଗ୍ ମଧ୍ୟ ଖେଳାଯାଉଛି। ଓଡ଼ିଶାର ତିନିଟି ଦଳ (ଦୁଇଟି ପୁରୁଷ, ଗୋଟିଏ ମହିଳା) ଖେଳୁଥିବାରୁ ଏହା ଓଡ଼ିଶା ହକିକୁ ଯଥେଷ୍ଟ ଫାଇଦା ଦେବ ବୋଲି ଭାବୁଛି। ବିଶେଷ କରି ବିଭିନ୍ନ ଦଳରେ ଥିବା ଆମ ଯୁବ ଖେଳାଳିମାନଙ୍କୁ ନିଜ ଅନନ୍ୟ ପ୍ରତିଭାର ପରିବେଷଣ ପାଇଁ ହକି ଇଣ୍ଡିଆ ପୁଣି ଥରେ ବଳିଷ୍ଠ ମଞ୍ଚ ହେବାକୁ ଯାଉଛି। ପୁଣି ସେମାନେ ମଧ୍ୟ ଦକ୍ଷ ଅନ୍ତର୍ଜାତୀୟ ଖେଳାଳିଙ୍କ କାନ୍ଧ‌ରେ କାନ୍ଧ ମିଳାଇ ଖେଳିବେ। ଏହାଠୁ ବଡ଼ କଥା ଆଉ କିଛି ହୋଇପାରେନି। ‘ଟିମ୍ ଗୋନାସିକା’ କଥା ପଡ଼ିଲେ ଆମେ ଏବେ ଫାଇନାଲ୍ କିମ୍ବା ଟ୍ରଫି କଥା‌ ଭାବୁନୁ। ବରଂ ଗୋଟିଏ ଗୋଟିଏ ମ୍ୟାଚ୍‌କୁ ଆହ୍ବାନ ଭାବେ ନେବାକୁ ଯାଉଛୁ। ଆମ ଦଳରେ ମନପ୍ରୀତ ସିଂହ, ମନଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଟିମୋଥି ହୱାର୍ଡ, ନୀଲମ ସଂଜୀପ ଖେସଙ୍କ ଭଳି ଖେଳାଳି ଅଛନ୍ତି। ଏଣୁ ଆମେ ଭଲ କରିବୁ ବୋଲି ମୋର ଦୃଢ଼ ଆତ୍ମବିଶ୍ବାସ ରହିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.