ଖେଳ

ଟି-୨୦ ବିଶ୍ୱକପ୍ ଟ୍ରଫିକୁ ନେଇ ବିବାଦ: କୀର୍ତ୍ତି ଆଜାଦଙ୍କୁ ହରଭଜନ ସିଂଙ୍କ କଡ଼ା ଜବାବ

ମୁମ୍ବାଇ,୧୧/୦୯: ଟି-୨୦ ବିଶ୍ୱକପ୍ ବିଜୟ ପରେ ଭାରତୀୟ ଦଳର ସେଲିବ୍ରେସନକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଟ୍ରଫି ନେଇ କେବଳ ମନ୍ଦିର ଯିବା ପ୍ରସଙ୍ଗରେ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଏବଂ ଖେଳାଳିଙ୍କୁ ସମାଲୋଚନା କରିଥିଲେ। ତେବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ତଥା ଭେଟେରାନ୍ ସ୍ପିନର ହରଭଜନ ସିଂ।

କଣ କହିଥିଲେ କୀର୍ତ୍ତି ଆଜାଦ?

କୀର୍ତ୍ତି ଆଜାଦ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ବିସିସିଆଇକୁ ଟାର୍ଗେଟ୍ କରିଥିଲେ। ସେ ଲେଖିଥିଲେ ଯେ, ଭାରତୀୟ ଦଳରେ ଏକାଧିକ ଧର୍ମର ଖେଳାଳି ଅଛନ୍ତି ଏବଂ ବିଶ୍ୱକପ୍ ଟ୍ରଫି ଉପରେ ୧୪୦ କୋଟି ଭାରତୀୟଙ୍କର ଅଧିକାର ରହିଛି। ତେଣୁ ବିଜୟ ପରେ ଟ୍ରଫିକୁ କେବଳ ଗୋଟିଏ ଧର୍ମର ପୀଠ (ମନ୍ଦିର) କୁ ନନେଇ ମସଜିଦ୍, ଗିର୍ଜାଘର କିମ୍ବା ଗୁରୁଦ୍ୱାରକୁ କାହିଁକି ନିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ ୧୯୮୩ ବିଶ୍ୱକପ୍ ଦଳର ଉଦାହରଣ ଦେଇ ଦଳର ସେଲିବ୍ରେସନରେ ଧର୍ମନିରପେକ୍ଷତା ବଜାୟ ରଖିବାକୁ କହିଥିଲେ।

​​​​​​​

ହରଭଜନଙ୍କ କଡ଼ା ଜବାବ
ଏହି ବୟାନକୁ ନେଇ ହରଭଜନ ସିଂ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୀର୍ତ୍ତି ଆଜାଦ ଖେଳରେ ରାଜନୀତି ପୂରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ହରଭଜନ କହିଛନ୍ତି, “ଖେଳାଳିମାନେ ମନ୍ଦିର, ମସଜିଦ କିମ୍ବା ଗିର୍ଜାଘର ଯେଉଁଠିକି ଚାହିଁବେ ଟ୍ରଫି ନେଇ ଯାଇପାରିବେ। ଯଦି ସେମାନେ ନିଜ ଭଗବାନଙ୍କ ନିକଟରେ କିଛି ମାନସିକ କରିଥିଲେ ଏବଂ ଆଶା ପୂରଣ ହେବା ପରେ ଦର୍ଶନ ପାଇଁ ଗଲେ, ସେଥିରେ ଅସୁବିଧା କେଉଁଠି? ଜଣେ ଖେଳାଳି ହୋଇ ସହଖେଳାଳିଙ୍କୁ ନେଇ ଏଭଳି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦେଶ ଏକ ବିଶ୍ୱକପ୍ ଜିତିଛି, ଖୁସି ମନାନ୍ତୁ, କିନ୍ତୁ ଆପଣ ରାଜନୀତି କରିବାରେ ବ୍ୟସ୍ତ। ଆମ ପାଇଁ ସବୁ ଧର୍ମ ସମାନ।”

ପ୍ରଶ୍ନ ଏଡ଼ାଇଲେ ଇଶାନ କିଷନ
ଅନ୍ୟପଟେ ଟି-୨୦ ବିଶ୍ୱକପ୍ ବିଜୟ ପରେ ପାଟନା ବିମାନବନ୍ଦରରେ ପହଞ୍ଚିଥିବା ୱିକେଟକିପର ବ୍ୟାଟର ଇଶାନ କିଷନଙ୍କୁ ସାମ୍ବାଦିକମାନେ ଏହି ବିବାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଇଶାନ ଏହି ପ୍ରଶ୍ନକୁ ବେଶ୍ ଶାନ୍ତ ସ୍ୱଭାବରେ ଏଡ଼ାଇ ଯାଇଥିଲେ।
ସେ କହିଥିଲେ, “ଆମେ ଏତେ ବଡ଼ ବିଶ୍ୱକପ୍ ଜିତିଛୁ। ଦୟାକରି କିଛି ଭଲ ପ୍ରଶ୍ନ ପଚାରନ୍ତୁ। କୀର୍ତ୍ତି ଆଜାଦ କଣ କହିଲେ ସେ ବିଷୟରେ ମୁଁ କଣ କହିବି? ମୋତେ ପଚାରନ୍ତୁ ବିଶ୍ୱକପ୍ ଜିତିବା କେତେ ମଜାଦାର ଥିଲା ଏବଂ କେମିତି ଅନୁଭବ ହେଉଛି।” ଏହା କହି ସେ ଖେଳ ଉପରୁ ଧ୍ୟାନ ନ ହଟାଇବାକୁ ଅନୁରୋଧ କରିଥିଲେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button