Breaking News

ଟେକ୍ନୋଲୋଜି ମଣିଷର ସ୍ଥାନ ନେଇପାରିବ କି? ଫ୍ରାନ୍ସରେ ସବୁଠୁ ଅଧିକ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାହା ହେଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ଚାକିରିର ସ୍ଥାନ ନେଇପାରିବ କି?

ନୂଆଦିଲ୍ଲୀ: ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାହା ହେଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ଚାକିରିର ସ୍ଥାନ ନେଇପାରିବ କି?

ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଇତିହାସ ଦର୍ଶାଉଛି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ। ଏହାର ପ୍ରକୃତି ବଦଳିଯାଏ ଏବଂ ନୂତନ ପ୍ରକାର ନିଯୁକ୍ତି ସୃଷ୍ଟି ହୁଏ। ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମ ଲୋକଙ୍କୁ ଦକ୍ଷ କରିବା ଲାଗି ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଆଇ ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିପାରିବ। ଶିକ୍ଷା, କୃଷି ଓ ଆହୁରି ଅନେକ କିଛି। ଏହା ଏପରି ଏକ ବିଶ୍ୱ ସୃଷ୍ଟି କରିବାରେ ସହାୟକ ହୋଇପାରିବ ଯେଉଁଠାରେ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ଯାତ୍ରା ଦ୍ରୁତ ହେବ। ମୋଦୀ କହିଛନ୍ତି,  ଏଆଇ ରାଜନୀତି, ଅର୍ଥନୀତି, ନିରାପତ୍ତା ଓ ସମାଜକୁ ପରିବର୍ତ୍ତନ କରୁଛି। ଆମର ମିଳିତ ମୂଲ୍ୟବୋଧକୁ ବଜାୟ ରଖିବା ଓ ବିପଦର ସମାଧାନ କରିବା ପାଇଁ ସାମୂହିକ ବୈଶ୍ୱିକ ପ୍ରୟାସର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବେ ତିନିଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ୟାରିସରେ  ମାକ୍ରନଙ୍କ ସହ  ପ୍ରଧାନମନ୍ତ୍ରୀ ଏଆଇ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କରିଥିଲେ। ଏହାପରେ ସେ ତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ୟାରିସରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ପ୍ୟାରିସ୍ ଏଆଇ ଶିଖର ସମ୍ମିଳନୀରେ ସାମ୍ ଅଲ୍ଟମ୍ୟାନ୍ ଓ ସୁନ୍ଦର ପିଚାଇ

ପ୍ୟାରିସ: ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବନେତା ଓ ଶୀର୍ଷ ବୈଷୟିକ ବି‌ଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଫେବ୍ରୁଆରି ୧୦ ଓ ୧୧ ଦୁଇଦିନିଆ ସମ୍ମିଳନୀରେ ଏଆଇ, ଏହାର ଭବିଷ୍ୟତ ଓ ଏହାର ଉଭୟ ଭଲ ଓ ମନ୍ଦ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଏଆଇ ବିକାଶର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି।  ଗୁଗଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଏଆଇର ଉପକାରିତା ଏବଂ ଏହି ଟେକ୍ନୋଲୋଜି ବିଷୟରେ ସତର୍କତା, ନିୟମ ଓ ଶିକ୍ଷାର ଆବଶ୍ୟକତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ପିଚାଇ କହିଛନ୍ତି, ଏଆଇ ଆମ ଜୀବନକାଳରେ ସବୁଠାରୁ ବଡ଼ ପରିବର୍ତ୍ତନର କାରକ ହେବ। ସ୍ୱାସ୍ଥ୍ୟ ସେବା ଗବେଷଣା, କ୍ୱାଣ୍ଟମ କମ୍ପ୍ୟୁଟିଂର ବିକାଶରେ ଏଆଇ ବ୍ୟବହାର ଏବଂ ନୋଟ୍‌ବୁକ୍‌ଏଲ୍‌ଏମ୍‌ ଭଳି ଉପକରଣ ଦ୍ୱାରା ଦୈନିକ ଉତ୍ପାଦକତାମୂଳକ କାର୍ଯ୍ୟକୁ ସରଳ କରିବା ବିଷୟରେ ସେ କହିଥିଲେ। ଏଆଇ ଶିକ୍ଷା, ଭିତ୍ତିଭୂମି ଓ ନିୟନ୍ତ୍ରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ବିଶ୍ୱସ୍ତରୀୟ ନେତାମାନଙ୍କୁ ଅନୁରୋଧ କରିଛନ୍ତି।   ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ।  ଓପନ୍ ଏଆଇର ଚାଟ୍‌ଜିପିଟି ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆର୍-୧ ନାମକ ଏକ ନୂତନ ମଡେଲ୍ ଲଞ୍ଚ୍ କରିବା ପରେ ଚୀନ୍ ଷ୍ଟାର୍ଟଅପ୍ ଡିପ୍‌ସିକ୍‌ର ଲୋକପ୍ରିୟତା ପରିପ୍ରେକ୍ଷୀରେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଚାଟ୍‌ଜିପିଟି ତୁଳନାରେ ଅତି ସାମାନ୍ୟ ବ୍ୟୟରେ ଡିପ୍‌ସିକ୍ ଆର୍୧ ମଡେଲ୍ ସେତିକି ସକ୍ଷମ ହେବା ସହ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛି।  ଭାରତ ଏଆଇ ବ୍ୟବହାର କ୍ଷେତ୍ରରେ ଏକ ବଡ଼ ଶକ୍ତି ହେବା ସମ୍ଭାବନା ରହିଛି ବୋଲି ଅନେକ ଶୀର୍ଷ ବିଶେଷଜ୍ଞ ମତ ରଖିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.