ପିଇଓମାନେ ଏକାଧୀକ ପଞ୍ଚାୟତ ଧରି ଠିକ କାମ କରୁନଥିବା ଅଭିଯୋଗ

ମାଲକାନଗିରି: ମାଥିଲି ବ୍ଲକର ଟେମରୁପାଲ୍ଲୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହେଉଛି। ଏହି ପଞ୍ଚାୟତ ଅନ୍ତର୍ଗତ ପେଦାଗୁଡା ଗ୍ରାମରେ ହୋଇଥିବା ସିସି ରାସ୍ତାରେ ଟଂକା ଖର୍ଚ୍ଚ କରାଯାଇଛି ସିନା ତାହା ଅତି ନିମ୍ନମାନର ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ପାଞ୍ଚ ଛଅ ମାସ ତଳେ ନିର୍ମାଣ ହୋଇଥିବା ଏହି ସିସି ରାସ୍ତାରୁ ଏବେ ସିମେଣ୍ଟ ଏବଂ ଚିପସ୍ ଉଠିବାକୁ ଲାଗିଲାଣି।ଗୋଟିଏ ବର୍ଷାରେ ଏହି ରାସ୍ତା ସଂପୂର୍ଣ୍ଣ କଦର୍ଯ୍ୟ ହୋଇଯାଇଛି।ଯାହାକୁ ନେଇ ଗ୍ରାମବାସୀ ଅସଂତୋଷ ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତର ପିଇଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ତେବେ ଟେମରୁପାଲୀ ଦୁର୍ଗମ ଅଂଚଳରେ ରହିବା ସହ ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ ଥିଲା।ଏବେ କିନ୍ତୁ ପରିସ୍ଥିତି ସୁଧୁରିଥିବା ବେଳେ ମଧ୍ୟ ଦୁର୍ନୀତି ସୁଧୁରି ନାହିଁ। କେବଳ ସିସି ରାସ୍ତା ନୁହେଁ,ଏହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ଏଦିଗରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଜଣେ ଜଣେ ପିଇଓ ଦୁଇ ଦୁଇଟି ପଞ୍ଚାୟତକୁ ହାତରେ ରଖିଥିବାରୁ ଗୋଟିଏ ବି ପଞ୍ଚାୟତକୁ ଠିକ ରୂପେ ଦେଖିପାରୁନଥିବା ଅଭିଯୋଗ ହୋଇଛି।ପୁଣି ଦୀର୍ଘ ଦିନ ଧରି ପିଇଓ ଏବଂ ଜିଆରଏସ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ସ୍ଥାନୀୟ ଲୋକେ ନିଜର ଅତ୍ୟାବଶକୀୟ କାମ ପାଇଁ ଆସି ଫେରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପିଇଓ ଫୋନ ଉଠାଉନଥିବାରୁ କୌଣସି କାମ ଠିକ ଭାବେ ହୋଇପାରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ବ୍ଲକ ପ୍ରଶାସନ ଏଦିଗରେ ପିଇଓମାନଙ୍କୁ ତାଗଦ କରିବା ସହ କେବଳ ଗୋଟିଏ ଗୋଟିଏ ପଞ୍ଚାୟତ ଦେବାକୁ ଦାବି କରିଛନ୍ତି।