Breaking News

ଟ୍ରମ୍ପଙ୍କ ନିଷ୍ପତ୍ତିର ପ୍ରଭାବ: ସିଜରିଆନ୍‌ ପାଇଁ ଭାରତୀୟ ଦମ୍ପତିଙ୍କ ଭିଡ଼

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶରେ ଜନ୍ମଗତ ନାଗରିକତା ଉଚ୍ଛେଦ କରିବାକୁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିବା ପରେ ବିଦେଶୀଙ୍କ ମଧ୍ୟରେ ଭୟ ବଢ଼ିଛି। ଟ୍ରମ୍ପ ଏଥିପାଇଁ ସମୟସୀମା‌ ମଧ୍ୟ ଧାର୍ଯ୍ୟ କରି ସାରିଛନ୍ତି।

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶରେ ଜନ୍ମଗତ ନାଗରିକତା ଉଚ୍ଛେଦ କରିବାକୁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିବା ପରେ ବିଦେଶୀଙ୍କ ମଧ୍ୟରେ ଭୟ ବଢ଼ିଛି।  ଟ୍ରମ୍ପ ଏଥିପାଇଁ ସମୟସୀମା‌ ମଧ୍ୟ ଧାର୍ଯ୍ୟ କରି ସାରିଛନ୍ତି। ଫେବ୍ରୁଆରି ୧୯ ପରେ ଅଣ ଆମେରିକୀୟ ଅଭିଭାବକଙ୍କଠାରୁ ଜନ୍ମ ନେଉଥିବା ଶିଶୁମାନଙ୍କର ଜନ୍ମଗତ ନାଗରିକତା ଉଚ୍ଛେଦ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ।  ଏହାର ଅର୍ଥ ଫେବ୍ରୁଆରି ୧୯ ପୂର୍ବରୁ ଯେଉଁ ଶିଶୁ ଆମେରିକାରେ ଜନ୍ମ ନେବେ ସେମାନେ ଆମେରିକୀୟ ନାଗରିକତା ପାଇପାରିବେ।  ତେଣୁ ଏବେ ଭାରତୀୟ ଦମ୍ପତିମାନେ ଆଗୁଆ ସି‌-ସେକ୍ସନ୍‌ ବା ସିଜରିଆନ ଜରିଆରେ ଶିଶୁ ଜନ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମିଳିଥିବା ସୂଚନାନୁଯ‌ାୟୀ ଆମେରିକାରେ ଥିବା ଅନେକ ଭାରତୀୟ ଦମ୍ପତି ଏବେ ସି-ସେକ୍ସନ୍‌ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରୁଛନ୍ତି।

ପ୍ରସବ ପାଇଁ ସେମାନଙ୍କୁ ଡାକ୍ତର ଦେଇଥିବା ଧାର୍ଯ୍ୟ ସମୟ ଆଉ କିଛି ସପ୍ତାହ ବାକିଥିଲେ ମଧ୍ୟ ସେମାନେ ତରବରିଆ ଭାବେ ସି-ସେକ୍ସନ୍‌ ଦ୍ବାରା ପିଲା ଜନ୍ମ କରିବାକୁ ଚାହୁଛନ୍ତି। ନ୍ୟୁଜର୍ସିରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଏସ୍‌ଡି ରାମ କହିଛନ୍ତି,  ତାଙ୍କ କ୍ଲିନିକ୍‌କୁ ସି-ସେକ୍ସନ୍‌ ପାଇଁ ଅନେକ ଅନୁରୋଧ ଆସିଛି। କିଛି ମହିଳା ୭ ମାସର ଗର୍ଭବତୀ ଥାଇ ମଧ୍ୟ  ସି-ସେକ୍ସନ୍‌ ପାଇଁ  ଫୋନ୍‌ କରିଥିବା ସେ କହିଛନ୍ତି। ସେହିପରି ଟେକ୍ସାସ୍‌ର ଜଣେ ଡାକ୍ତର ଏସ୍‌.ଜି ମୁକ୍କାଲା କହିଛନ୍ତି ଯେ ଟ୍ରମ୍ପ୍‌ଙ୍କର ଏହି ନିଷ୍ପତ୍ତି ପରେ ତାଙ୍କ ନିକଟକୁ ପ୍ରାୟ ୨୦ ଜଣ ଦମ୍ପତି ଆଗୁଆ ସି‌-ସେକ୍ସନ୍‌ ପାଇଁ ଆସିଛନ୍ତି।  ଅନ୍ୟପକ୍ଷେ ଆମେରିକାରେ ଅଣନାଗରିକ ପିତାମାତାଙ୍କଠାରୁ ଜନ୍ମିତ ପିଲାମାନଙ୍କର ସ୍ୱୟଂ ନାଗରିକତା ହାସଲ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଟ୍ରମ୍ପ ନେଇଥିବା ପଦକ୍ଷେପ ପାଇଁ ତାଙ୍କ ବିରୋଧରେ ୨୨ଟି ରାଜ୍ୟରେ ମାମଲା ରୁଜୁ ହୋଇଛି।

ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ କାର୍ଯ୍ୟନିର୍ବାହୀ ଆଦେଶରେ କୁହାଯାଇଛି ଯେ ନାଗରିକତା ପାଇବା ପାଇଁ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ପାଇଁ ପିତାମାତାଙ୍କ ମଧ୍ୟରୁ ଅତି କମ୍‌ରେ ଜଣେ ଆମେରିକୀୟ ନାଗରିକ ହୋଇଥିବେ, ଆଇନଗତ ସ୍ଥାୟୀ ବାସିନ୍ଦା (ଗ୍ରିନ କାର୍ଡଧାରୀ) ହୋଇଥିବେ କିମ୍ବା ଆମେରିକୀୟ ସେନାର ଜଣେ ସଦସ୍ୟ ହୋଇଥିବା ଆବଶ୍ୟକ। ଆମେରିକାରେ ଜନ୍ମ ନେଇଥିବା ବେଆଇନ ବିଦେଶୀଙ୍କ ପିଲାଙ୍କ ପାଇଁ ସ୍ୱୟଂ ଜନ୍ମଗତ ନାଗରିକତାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେବେ ନାହିଁ। ଆମେ ବେଆଇନ ଏଲିୟନ (ବିଦେଶୀ)ଙ୍କ ଯାଞ୍ଚ ଓ ସ୍କ୍ରିନିଂକୁ କଡ଼ାକଡ଼ି କରିବାକୁ ଯାଉଛୁ ବୋଲି ଟ୍ରମ୍ପ ପ୍ରଶାସନର ଜଣେ ଅଧିକାରୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଟ୍ରମ୍ପ ତାଙ୍କ ଶପଥଗ୍ରହଣ ଭାଷଣରେ କହିଥିଲେ ଯେ ସମସ୍ତ ବେଆଇନ ଅନୁପ୍ରବେଶକୁ ତୁରନ୍ତ ବନ୍ଦ କରାଯିବ ଏବଂ ଆମେ ଲକ୍ଷ ଲକ୍ଷ ବେଆଇନ ବିଦେଶୀଙ୍କୁ ସେହି ସ୍ଥାନକୁ ଫେରାଇ ଦେବା ପ୍ରକ୍ରିୟା ଆରମ୍ଭ କରିବୁ ଯେଉଁଠାରୁ ସେମାନେ ଆସିଥିଲେ।

ସୌଜନ୍ୟ – ସମ୍ବାଦ

 

Comments are closed.