Breaking News

ଟ୍ରାଫିକକୁ ଭୁଲିଗଲେ: ଆଜି ତ ଏମିତି, ଆଗକୁ କେମିତି?

ରାଜଧାନ‌ୀରେ ଏକ ସାଙ୍ଗରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ପଟେ ବିଧାନସଭା ଓ ଅନ୍ୟପଟେ ଡିଜି ଓ ଆଇଜି ସମ୍ମିଳନୀର ପ୍ରସ୍ତୁତି। ତେଣୁ ଟ୍ରାଫିକ କଟକଣା କଡ଼ାକଡ଼ି ରହିଛି।

ଭୁବନେଶ୍ବର: ରାଜଧାନ‌ୀରେ ଏକ ସାଙ୍ଗରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ପଟେ ବିଧାନସଭା ଓ ଅନ୍ୟପଟେ ଡିଜି ଓ ଆଇଜି ସମ୍ମିଳନୀର ପ୍ରସ୍ତୁତି। ତେଣୁ ଟ୍ରାଫିକ କଟକଣା କଡ଼ାକଡ଼ି ରହିଛି। ପୁଲିସ ପକ୍ଷରୁ ବିଧାନସଭା ପାଇଁ ଟ୍ରାଫିକ ଆଡ୍‌ଭାଇଜରି ନୋଟିସ କରାଯାଇଥିଲେ ମଧ୍ୟ ଏବେ ଯାଏ ଡିଜି ଓ ଆଇଜି ସମ୍ମିଳନୀ ପାଇଁ ଟ୍ରାଫିକ ଆଡଭାଇଜରି ଜାରି ହୋଇନାହିଁ। ବିଧାନସଭା ସମୟରେ ଟ୍ରା‌ଫିକ କଟକଣା ଥିବାରୁ ସାଧାରଣ ଲୋକମାନେ ଡାଇଭର୍ସନ ବ୍ୟବହାର କରୁଛନ୍ତି। କିନ୍ତୁ ଡାଇଭର୍ସନଗୁଡ଼ିକରେ ଠିକ୍ ବ୍ୟବସ୍ଥା ନ କରିବା ଫଳରେ ଆଜି ଦିନ ତମାମ ରାଜଧାନୀରେ ଟ୍ରା‌ଫିକ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିଲା। ଡାଇଭର୍ସନ୍‌ଗୁଡ଼ିକରେ ପାର୍କିଂ ସହ ଅଣଓସାରିଆ ସହ ରାସ୍ତା କଡ଼ରେ ପାର୍କିଂ ରହୁଥିବାରୁ ଯାନବାହନ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ଗାଡ଼ିଗୁଡ଼ିକର ବେଗ ଧିମେଇ ଯାଇଥିଲା। ଯାହାର ପ୍ରଭାବ ସହରର ପ୍ରାୟ ସବୁ ପ୍ରମୁଖ ରାସ୍ତାଗୁଡ଼ିକ ଉପରେ ପଡ଼ିଥିଲା। ଟ୍ରାଫିକ ନିୟନ୍ତ୍ରଣରେ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କେବଳ ବିଧାନସଭା ବେଳେ ଏପରି ସ୍ଥିତି ହୋଇଥିବା ବେଳେ ଡିଜି ଓ ଆଇଜି ସମ୍ମିଳନୀ ସମୟରେ ଟ୍ରାଫିକ ଆଡଭାଇଜରି ଜାରି କରା ନଗଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ରାଜଧାନୀବାସୀ ଘରୁ ବାହାରିବାକୁ ମୁସ୍କିଲ ହୋଇଯାଇପାରେ! ଆଜି ରାଜଧାନୀର ପ୍ରମୁଖ ଛକ ଏଜି ଛକକୁ ସଂଯୋଗ କରୁଥିବା ସବୁରାସ୍ତାରେ ପ୍ରବଳ ଭିଡ଼ ରହିଥିଲା। ୟୁନିଟ-୧ ମାର୍କେଟ, କେଶରୀ ଟକିଜ୍ ପଛ, ଆଇଜି ପାର୍କ, ପାୱାରହାଉସ୍ ଛକ ଆଦି ଯେଉଁ ଯେଉଁ ସ୍ଥାନମାନଙ୍କରେ ଟ୍ରାଫିକ ଆଡଭାଇଜରି ଲଗାଯାଇ କଟକଣା ଥିଲା, ଲୋକେ ଘଣ୍ଟା ଘଣ୍ଟା ଧରି ‌ଅଟକି ରହିଥିଲେ। କାରଣ ଗାଡ଼ି ଯିବାକୁ ଡାଇଭର୍ସନଗୁଡ଼ିକରେ ସେଭଳି ବ୍ୟବସ୍ଥା କରାଯାଇ ନାହିଁ। ପୁଣି ରାସ୍ତାକଡ଼ରେ ପାର୍କିଂ ଓ ଉଠାଦୋକାନୀ ରହିଛନ୍ତି। ଫଳରେ ଗାଡ଼ିଗୁଡ଼ିକର ବେଗ କମି ଯାଉଛି। ଟ୍ରାଫିକ ଉପରେ ଏହାର ପ୍ରଭାବ ପଡୁଛି।

ଅନ୍ୟପକ୍ଷ‌ରେ ଡିଜିପି ଓ ଆଇଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ସବୁରାଜ୍ୟର ଡିଜି ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଏହାସହିତ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ନିଶ୍ଚିତ ଭାବେ ହଜାର ହଜାର ଲୋକ ଆସିବେ। ଏହାସହ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ବି ରହିଛି। ଏହି ସମୟରେ ଟ୍ରାଫିକ କଟକଣା ରହିବ। ୩ ଦିନ ଧରି ସଂପୂର୍ଣ୍ଣ ଭୁବନେଶ୍ବରରେ ହାଇଆଲର୍ଟ ରହିବ। ତେଣୁ ଏବେଠାରୁ ରାଜଧାନୀରେ ଟ୍ରାଫିକକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଡାଇଭର୍ସନଗୁଡ଼ିକ ପାଇଁ ଉଚିତ ବ୍ୟବସ୍ଥା ନ କରାଗଲେ ଭୁବନେଶ୍ବରର ଟ୍ରାଫିକ ଯେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ଓ ସାଧାରଣ ଲୋକମାନେ ଭୀଷଣ ହଇରାଣ ହେବେ, ଏଥିରେ ସନ୍ଦେହ ନାହିଁ।

ଭୁବନେଶ୍ବରରେ ୫ ନୋ ଫ୍ଲାଇଂ ଜୋନ୍‌
ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ୫୯ତମ ଡିଜି-ଆଇଜି ସମ୍ମିଳନୀ ପାଇଁ ସହରର ବିଭିନ୍ନ ସ୍ଥାନକୁ ନୋ ଫ୍ଲାଇଂ ଜୋନ୍‌ ଓ ନୋ ଡ୍ରୋନ୍‌ ଜୋନ୍‌ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଓ କେନ୍ଦ୍ରୀୟ ପ୍ରତିନିଧିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳ, ରାଜଭବନ, ଲୋକସେବାଭବନ, ଚନ୍ଦ୍ରଶେଖରପୁରସ୍ଥିତ ଆଇପିଏସ୍‌ ମେସ୍‌ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ନୋ ଡ୍ରୋନ୍‌ ଜୋନ୍‌ ଭାବେ ଘୋଷଣା କରି ବିଜ୍ଞପ୍ତି ଜାରି କରାଯାଇଛି। ସମ୍ମିଳନୀ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପି ଏବଂ କେନ୍ଦ୍ରୀୟ ପ୍ରତିନିଧିଙ୍କ ସୁରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଓଡ୍ରାଫ୍‌ ଟିମ୍‌ ଓ କ୍ବିକ୍‌ ରିଆକ୍ସନ ଟିମ୍‌କୁ ନିୟୋଜିତ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଓ ଗୁଇନ୍ଦା ସୂଚନା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି। ଏସ୍‌ପିଜି ଓ ଏନ୍‌ଏସ୍‌ଜି ଟିମ୍‌ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ସୁରକ୍ଷାକର୍ମୀମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ଲାଗି ସ୍ବତନ୍ତ୍ର ଭିଏଚ୍‌ଏଫ୍‌ର ବ୍ୟବହାର କରାଯାଉଛି। ୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ସହିତ ୧୦କମ୍ପାନି କେନ୍ଦ୍ରୀୟ ଫୋର୍ସ ନିୟୋଜିତ ରହିଛନ୍ତି। ସେହିଭଳି କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ରାଜଭବନ, ରାଜ୍ୟ ଅତିଥିଭବନ, କନ୍‌ଭେନ୍ସନ୍‌ ହଲ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୌଜନ୍ୟ- ସମ୍ୱାଦ

Comments are closed.