Breaking News

ଟ୍ରାଫିକ୍‌ରେ କଟୁଛି ବଡ଼ବଡ଼ିଆଙ୍କ ସମୟ: ସାମର୍ଥ୍ୟ ୭ ଲକ୍ଷ, ଗଡ଼ୁଛି ୩ଗୁଣା ଗାଡ଼ି

ଅଫି‌ସ୍‌ରେ ଗୋଟାଏ ମିନିଟ୍‌ ଅପେକ୍ଷା କରୁ ନଥିବା ବାବୁମାନେ ଏବେ ରାଜଧାନୀ ରାସ୍ତା‌ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ଅଫିସ ପହଞ୍ଚିବା ପାଇଁ ଲାଗୁଥିବା ସାଧାରଣ ସମୟରୁ ୧ ଘଣ୍ଟା ହାତରେ ରଖି ବାହାରୁଛନ୍ତି।

ଭୁବନେଶ୍ବର: ଅଫି‌ସ୍‌ରେ ଗୋଟାଏ ମିନିଟ୍‌ ଅପେକ୍ଷା କରୁ ନଥିବା ବାବୁମାନେ ଏବେ ରାଜଧାନୀ ରାସ୍ତା‌ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ଅଫିସ ପହଞ୍ଚିବା ପାଇଁ ଲାଗୁଥିବା ସାଧାରଣ ସମୟରୁ ୧ ଘଣ୍ଟା ହାତରେ ରଖି ବାହାରୁଛନ୍ତି। ଜରୁରୀ କାମରେ ଠିକଣା ସମୟରେ ପହଞ୍ଚି ହେଉନି। ଜଣେ ‌ଗୁରୁତର ରୋଗୀ ପାଇଁ ଗୋଟିଏ ଗୋଟିଏ ମିନିଟ୍ ଗୁରୁତ୍ବପୁର୍ଣ୍ଣ। ଗୋଟିଏ ଜାଗାରୁ ବାହାରି ମୂଲ୍ୟବାନ ଜୀବନକୁ ବଞ୍ଚାଇବାକୁ ହସ୍‌ପିଟାଲ୍‌ ପର୍ଯ୍ୟନ୍ତ ସେମାନଙ୍କୁ ବିନା‌ ବାଧାରେ ପହଞ୍ଚିବାକୁ ହୁଏ। କିନ୍ତୁ ପ୍ରତ୍ୟେକ ଦିନ ରାଜଧାନୀ ରାସ୍ତାରେ ଫସି ରହିଥିବା ଆମ୍ବୁଲାନ୍ସର ସାଇରନ୍‌ ଯେତିକି ବିଚଳିତ କରୁଛି, ବିଳମ୍ବରେ ମେଡିକାଲ୍‌ରେ ପହଞ୍ଚିବାରୁ ରୋଗୀର ମୃତ୍ୟୁ ହେବା ଘଟଣା ମଧ୍ୟ ସେତିକି ହୃଦୟ ବିଦାରକ। ବିଳମ୍ବ ଯୋଗୁ ସବୁଠାରୁ ଅଧିକ ମୃତ୍ୟୁର ଶିକାର ହେଉଛନ୍ତି ହୃଦ୍‌ରୋଗୀ।

ସାମର୍ଥ୍ୟ ୭ ଲକ୍ଷ, ଗଡ଼ୁଛି ୩ଗୁଣା ଗାଡ଼ି
ଗୋଲ୍ଡେନ ଆୱାରରେ ଆସିପାରୁନି ଆହତ
ଆମ୍ବୁଲାନ୍ସ ପାଇଁ ନାହିଁ ଗ୍ରିନ୍‌ କରିଡର

ଭୁବନେଶ୍ବରରେ ଟ୍ରାଫିକ୍‌ ସମସ୍ୟା ଏଭଳି ବଢ଼ି ଯାଇଛି ଆଉ ଆୟତ୍ତରେ ରହୁନି। ପୂର୍ବରୁ ଯେତେ ସବୁ ଯୋଜନା ହୋଇଥିଲା ତାହା ସଫଳ ହୋଇନାହିଁ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡ୍ରୋନ କିଣାଯାଇଥିଲେ ମଧ୍ୟ ତାହା ଉଭାନ୍‌ ହୋଇଗଲାଣି। ଟ୍ରାଫିକ ବିଶୃଙ୍ଖଳା କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ଲାଗିଥିବା ସିସିଟିଭି କ୍ୟ‌ାମେର‌ା ମଧ୍ୟ ଅଧିକାଂଶ ଜାଗାରେ ଚାଲୁ ନାହିଁ। ବେଆଇନ ପାର୍କିଂ କମାଇବ‌ା ପାଇଁ ସହିଦନଗର ଓ ରାଜମହଲରେ ହୋଇଥିବା ବହୁତଳ କାର୍‌ ପାର୍କଂ ଫେଲ୍‌ମାରିଛି। ଯେମିତି ପୂର୍ବରୁ ଚାରିଆଡ଼େ ବୋଇନ ପାର୍କିଂ ହେଉଥିଲା ସେହିଭଳି ହେଉଛି। ଯାହା ଟ୍ରାଫିକ୍‌ ବିଶୃଙ୍ଖଳାର ପ୍ରମୁଖ କାରଣ ସାଜିଛି। ବିଶେଷକରି ରସୁଲଗଡ଼, କଟକ ରୋଡ, ନନ୍ଦନକାନନ-ଜୟଦେବବିହାର ରୋଡ୍‌, ଜନପଥ ପ୍ରଭୃତି ସ୍ଥାନମାନଙ୍କରେ ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତାକଡ଼ରେ ଉଠାଦୋକାନୀ ବି ଏହି ସମସ୍ୟାକୁ ଦୁଇ ଗୁଣ ବଢ଼ାଇ ଦେଉଛନ୍ତି। ସବୁ କଟକଣା କିଛି ଦିନ କଡ଼ାକଡ଼ି ହେବା ପରେ ବନ୍ଦ ହୋଇଯାଉଛି।

 ଗୋଲ୍ଡେନ୍‌ ଆୱାର, ଗ୍ରିନ୍‌ କରିଡର
ଭୁବନେଶ୍ବରର ବିଭିନ୍ନ ଜାଗାରୁ ଦୁର୍ଘଟଣାରେ ଆହତ ହେଉ ବା ହୃଦ୍‌ଘାତର ଶିକାର ହେଉ, ବିଳମ୍ବରେ ପହଞ୍ଚୁଥିବାରୁ ବଞ୍ଚାଇବା ସମ୍ଭବ ହେଉନାହିଁ। ଦୁର୍ଘଟଣା ପରେ ପରେ ଯେଉଁ ଧାର୍ଯ୍ୟ ସମୟ(ଗୋଲ୍ଡେନ ଆୱାର)ରେ ଆହତଙ୍କୁ ମେଡିକାଲ୍‌ରେ ପହଞ୍ଚାଇବା କଥା ତାହା ବିଶୃଙ୍ଖଳିତ ଟ୍ରାଫିକ ପାଇଁ ସମ୍ଭବ ହେଉନାହିଁ। କ୍ୟାପିଟାଲ ହସ୍ପିଟାଲର କାଜୁଆଲିଟିରେ କାର୍ଯ୍ୟରତ ଡାକ୍ତରଙ୍କ କହିବା କଥା, ସବୁ ଗୁରୁତର ରୋଗୀଙ୍କ ପାଇଁ ଏକ ମିନିଟ ସମୟ ଗୁରୁତ୍ବପୂର୍ଣ୍ଣ। ବିଳମ୍ବ ହେଂ‌ଲେ ବଞ୍ଚାଇବା ସମ୍ଭବ ହୋଇ ନଥାଏ ବା ଆଶା କ୍ଷୀଣ ଥାଏ। ଆଉ ୫ ମିନିଟ୍‌ ଆଗରୁ ଆସିଥିଲେ ହୁଏତ ରୋଗୀ ବଞ୍ଚି ଯାଇଥାନ୍ତା ବୋଲି ଆମକୁ ଅନେକ ଥର ଅନୁଭବ ହୋଇଛି। ‌ଏଣୁ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ନ ଫସିବା ପାଇଁ ପ୍ରତ୍ୟେକ ସମୟରେ ଗ୍ରିନ୍‌ କରିଡରର ବ୍ୟବସ୍ଥା ରହିବା ଜରୁରି।
 ରାସ୍ତାର ସାମର୍ଥ୍ୟ ଠାରୁ ଗାଡ଼ି ଅଧିକ
ରାଜଧାନୀ ରାସ୍ତାଗୁଡ଼ିକର ଯେତିକି ସାମର୍ଥ୍ୟ ରହିଛି ତା’ ଠାରୁ ଢ଼େର ଅଧିକ ସଂଖ୍ୟାର ଗାଡ଼ି ଏହି ରାସ୍ତାରେ ଗଡ଼ୁଛି। ପୁଲିସର ହିସାବ କହୁଛି, ରାଜଧାନୀ ରାସ୍ତାର ୭ରୁ ୮ ଲକ୍ଷ ଗାଡ଼ି ଯା’ ଆସ ପାଇଁ ସାମର୍ଥ୍ୟ ରହିଛି। କିନ୍ତୁ ଏଠାରେ ଏବେ ପ୍ରାୟ ୨୦ ଲକ୍ଷରୁ ଅଧିକ ଗାଡ଼ି ଗଡ଼ୁଛି। ଫଳରେ ଟ୍ରାଫିକ ନିୟନ୍ତ୍ରଣ ଆୟତ୍ତରେ ରହୁନାହିଁ। ରାଜଧାନ‌ୀରେ ଟ୍ରାଫିକ ଭିଡ଼ କମାଇବାକୁ ରିଙ୍ଗ ରୋଡ ଯୋଜନା ରହିଥିଲା। ଗହଳି ରାସ୍ତାରେ ଫ୍ଲାଏଓଭର କରି ଭିଡ଼ କମାଇବା ଯୋଜନା ହୋଇଥିଲା। ହେଲେ ଏହା କେବେ ସଫଳ ହେବ ତାହା କେହି କହିପାରୁ ନାହାନ୍ତି। ଏଣେ ଅଧିକାଂଶ ସମୟରେ ଏଠାରେ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ହାଇପ୍ରୋଫାଇଲ୍‌ ବ୍ୟକ୍ତି ବିଶେଷଙ୍କର ଆଗମନ ହେଉଛି। ଏମାନଙ୍କର ସୁରକ୍ଷା ପାଇଁ ସହରର ଅନ୍ୟ ରାସ୍ତାରେ ଟ୍ରାଫିକ୍‌ ଭୁଶୁଡ଼ି ପଡ଼ୁଛି। ପର୍ବପର୍ବାଣୀ କଥା ନ କହିବା ଭଲ। ପୂର୍ବଦିନ ସନ୍ଧ୍ୟାାରେ କିଣାକିଣି ପାଇଁ ଲୋକମାନେ ବାହାରି ଆସୁଥିବାରୁ ଟ୍ରାଫିକ ନିୟନ୍ତ୍ରଣ ଅସମ୍ଭବ ହେଉଛି। ଏ ନେଇ ଜଣେ ଅଧିକାରୀ କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ନୂଆ ଓ ଫଳପ୍ରଦ ଯୋଜନା ଅଣାଯାଉଛି। ଖୁବ୍‌ଶୀଘ୍ର ଏ ନେଇ ସୂଚନା ଦିଆଯିବ।

ସୌଜନ୍ୟ-ସମ୍ୱାଦ

Comments are closed.