Breaking News

ଟ୍ରାଫିକ୍ ସମସ୍ୟାରେ ଯାତ୍ରୀ ହନ୍ତସନ୍ତ: ଦିନତମାମ୍‌ ଜୟଦେବବିହାର-ନନ୍ଦନକାନନ ରାସ୍ତା ଜାମ୍‌

ଜୟଦେବବିହାର-ନନ୍ଦନକାନନ ରାସ୍ତାଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଟ୍ରାଫିକ୍‌ ଜାମ୍‌ ପାଇଁ ସବୁବେଳେ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାର ଡ଼ମଣା, ନାଲକୋ, କିଟ୍, ପଟିଆ ଓ ନନ୍ଦନକାନନ ଛକରେ ଯିଏ ଫସିଗଲା ସେଠାରୁ ମୁକୁଳିବା ଅସମ୍ଭବ କହିଲେ ଚଳେ।

ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଟ୍ରାଫିକ୍‌ ଜାମ୍‌ ପାଇଁ ସବୁବେଳେ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାର ଡ଼ମଣା, ନାଲକୋ, କିଟ୍, ପଟିଆ ଓ ନନ୍ଦନକାନନ ଛକରେ ଯିଏ ଫସିଗଲା ସେଠାରୁ ମୁକୁଳିବା ଅସମ୍ଭବ କହିଲେ ଚଳେ। ଏପରି ସମୟରେ ବର୍ତମାନ ନନ୍ଦନକାନନ ଓ ଶିଖରଚଣ୍ଡିରେ ପର୍ଯ୍ୟଟକଙ୍କ ଭିଡ଼ ବୋଝ ଉପରେ ନଳିତା ବିଡ଼ା ଭଳି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପ୍ରାୟ ଏକ ମାସ ହେବ ଡମଣାରେ ଟ୍ରାଫିକ୍ ସିଗନାଲ୍ ଅଚଳ ଏବଂ ଟ୍ରାଫିକ୍ ପୋଷ୍ଟ୍‌ ନଥିବାରୁ ମାନୁଆଲ୍ ଟ୍ରାଫିକ୍ ନିୟନ୍ତ୍ରଣ ଟ୍ରାଫିକ୍ ଜାମ୍‌ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଅନେକ ସମୟରେ ଡମଣା-ଗାଡ଼କଣ ବାଇପାସ୍ ଏବଂ ଜାଭିୟର ଦୁଇ ଶହ ଫୁଟିଆ ବାଇପାସ୍ ବାଟଦେଇ ଅନେକ ଗାଡ଼ି ଚାଲିଯାଉଥିଲେ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ନିୟନ୍ତ୍ରଣ ଆଣିପାରୁ ନାହିଁ ଚନ୍ଦ୍ରଶେଖରପୁର ଜୋନ୍‌ରେ ଥିବା ଦୁଇ ଟ୍ରାଫିକ୍ ଥାନା। ଜରୁରିକାଳୀନ ବନ୍ଦୋବସ୍ତ ଠପ୍
ଟ୍ରାଫିକ୍ ଜାମରେ ଆମ୍ବୁଲାନସ୍, ଦମକଳ ଏବଂ ଅନ୍ୟ ଜରୁରିକାଳୀନ ଗାଡ଼ିଗୁଡ଼ିକ ପାଇଁ ଜୟଦେବବିହାର-ନନ୍ଦନକାନନ ରାସ୍ତା ଏକ ପ୍ରକାର ମରଣ ଯନ୍ତା ପାଲଟିଛି। ଅନେକ ସମୟରେ ଏହି ମୁଖ୍ୟ ରାସ୍ତା ଆଖପାଖ‌ରେ ଥିବା କିମସ୍, କେୟାର, ନୀଳାଚଳ, କଳିଙ୍ଗ, ବୈଦ୍ୟନାଥ ହସ୍ପିଟାଲକୁ ଯାତାୟାତ କରୁଥିବା ରୋଗୀମାନେ ମଧ୍ୟ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସିଯାଉଛନ୍ତି। ରାସ୍ତା ଉପରେ ଦୁର୍ଘଟଣା ଘଟିଲେ ସମସ୍ୟା ଆହୁରି ଦୁଇଗୁଣ ହୋଇଯାଉଛି।
ନିୟମ ମାନୁ ନାହାନ୍ତି ଅମାନିଆ
ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ଜାମ୍‌ ସମସ୍ୟାର ବଡ଼ କାରଣ ହେଲା କୌଣସି ଯାତ୍ରୀ ନିୟମ ମାନିବାକୁ ନାରାଜ। ଏପରି ସମୟରେ ପାଲ୍‌ହାଇଟ୍ସ ଛକଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ କୌଣସି ଛକରେ ବାମପାଖ ରାସ୍ତାକୁ ଛାଡ଼ୁ ନାହାନ୍ତି ଯାତ୍ରୀ। ଫଳରେ ବାମ ଦିଗକୁ ଯିବାକୁ ଥିବା ଗାଡ଼ି ମଧ୍ୟ ରାସ୍ତା ଉପରେ ଅଟକିରହି ଟ୍ରାଫିକ୍ ଜାମ୍‌ କରୁଛି। ଶହଶହ ଯାତ୍ରୀ ରଙ୍ଗ୍‌ରୁଟରେ ଯାତାୟାତ କରୁଛନ୍ତି। ଅନ୍ୟ ପକ୍ଷରେ ଭାରି ଓ ବଡ଼ ଯାନବାହାନ ଅବାଧ ପ୍ରବେଶ ଉପରେ କୌଣସି କଟକଣା ରହୁନାହିଁ। ଟିକିଏ ରାତି‌ ବଢ଼ିଲେ ବା‌ଲିବୋଝେଇ ହାଇୱା, ଅମାନିଆ କାର୍ ଓ ବାଇକ୍ ଚାଳକଙ୍କ ପାଇଁ ଏହି ରାସ୍ତାରେ ରୀତିମତ ଦୁର୍ଘଟଣା ହେଉଛି।
ବର୍ଷ ଆରମ୍ଭରୁ ମୁଣ୍ଡ ଗଡ଼ିଲାଣି
୨୦୨୪ରେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୭ଟି ଓ ଏବର୍ଷ ଆରମ୍ଭରୁ ଗୋଟିଏ ଜୀବନହାନୀ ହୋଇଛି। ଯେଉଁମାନେ ଅଳ୍ପକେ ବର୍ତିଯାଇଛନ୍ତି ସେମାନେ ପଙ୍ଗୁ ହୋଇଯାଇଛନ୍ତି। ଏହାର ବଡ଼ ଉଦାହରଣ ହେଉଛି ସିଟି ବସ୍ ଧକ୍କାରେ ଗୋଟିଏ ହାତ ହରାଇଥିବା ଆଦିବାସୀ ଯୁବତୀ। ଏପରି ଦୁର୍ଘଟଣା ରୋକିବା ପାଇଁ ଜୟଦେବବିହାର ଠାରୁ ନନ୍ଦନକାନନ ରାସ୍ତା ମଧ୍ୟରେ କୌଣସି ସ୍ପିଡ୍‌ବ୍ରେକର୍ ନାହିଁ।
ଭିଭିଆଇପିଙ୍କ ପାଇଁ ଅଧା ସମସ୍ୟା
ଏହି ରୁଟ୍‌ର ରାସ୍ତା କଡ଼ରେ ରହିଛି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ। ଯେଉଁଠାକୁ ପ୍ରତିଦିନ ଭିଭିଆଇପି ଅତିଥି ଯାତାୟାତ କରୁଛନ୍ତି। ସେମାନଙ୍କ ସୁରକ୍ଷାରେ ଏକାଧିକ ସରକାରୀ ଗାଡ଼ି ନିୟୋଜିତ‌ ହେଉଛନ୍ତି। ସେମାନଙ୍କ ଯାତାୟାତ ସମୟରେ ରାସ୍ତାକୁ ବ୍ଲକ୍‌ କରିଦିଆଯାଉଛି। ଜନତା ମଇଦାନରେ ଅନୁ‌ଷ୍ଠିତ ବଡ଼ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର କଟ୍ କରାଯାଇଥିଲେ ମଧ୍ୟ ଜାଭିୟର ଛକ ଜାମ୍‌ ହେଉଛି। କଟକ ହାଇକୋର୍ଟକୁ ଏହି ରାସ୍ତା ଏକ ସର୍ଟକଟ୍। ହେଲେ ଭିଆଇପିଙ୍କ ଗାଡ଼ି ଏହି ରାସ୍ତା ଉପରେ ଯାଉଥିବାରୁ ସାଧାରଣଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.