Breaking News

‘ଡଙ୍କି ଯାତ୍ରୀ’

ବିଡ଼ମ୍ବନାଟି ହେଲା ‘ଡଙ୍କର୍‌’ମାନେ ପଞ୍ଜାବ, ଗୁଜରାଟ ଓ ହରିଆଣା ଭଳି ରାଜ୍ୟର ଗ୍ରାମାଞ୍ଚଳରେ ମିଥ୍ୟ ପ୍ରତିଶ୍ରୁତିଭରା ବଡ଼ ବଡ଼ ପୋଷ୍ଟରମାନ କାନ୍ଥ‌େର ମାରି ଦିବାଲୋକରେ ନିରଙ୍କୁଶ ଭାବେ ବେଆଇନ ମାନବ ଚାଲାଣରେ ଲିପ୍ତ ଏବଂ ସେମାନଙ୍କ ବିରୋଧରେ ପ୍ରାୟତଃ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥାଏ।

ବିଡ଼ମ୍ବନାଟି ହେଲା ‘ଡଙ୍କର୍‌’ମାନେ ପଞ୍ଜାବ, ଗୁଜରାଟ ଓ ହରିଆଣା ଭଳି ରାଜ୍ୟର ଗ୍ରାମାଞ୍ଚଳରେ ମିଥ୍ୟ ପ୍ରତିଶ୍ରୁତିଭରା ବଡ଼ ବଡ଼ ପୋଷ୍ଟରମାନ କାନ୍ଥ‌େର ମାରି ଦିବାଲୋକରେ ନିରଙ୍କୁଶ ଭାବେ ବେଆଇନ ମାନବ ଚାଲାଣରେ ଲିପ୍ତ ଏବଂ ସେମାନଙ୍କ ବିରୋଧରେ ପ୍ରାୟତଃ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥାଏ। ସୁତରାଂ, ଅନେକ ଅପରାଧୀ ଗୋଷ୍ଠୀ ଏହି କାର୍ଯ୍ୟରେ ସଂପୃକ୍ତ ହୋଇ ନିପୀଡ଼ନର କାହାଣୀମାନ ସୃଷ୍ଟି କରିବାରେ ବ୍ୟାପୃତ। ଏମାନଙ୍କୁ ଦମନ କରିବା ଯେ ଅପରିହାର୍ଯ୍ୟ ସେଥିରେ ଦ୍ବିରୁକ୍ତି ନାହିଁ।

ଗଲା ବୁଧବାର ଦିନ ଏକ ପ୍ରକାଣ୍ଡ ଆମେରିକୀୟ ସାମରିକ ବିମାନରେ ୧୦୪ ଜଣ ପ୍ରବାସୀ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯେଉଁମାନେ ଆମେରିକାରେ ବେଆଇନ ଭାବେ ବସବାସ କରୁଥିଲେ। ଅବଶ୍ୟ ଏହା ସତ ଯେ ଅବୈଧ ଭାବେ ବାସ କରୁଥିବା ବହିରାଗତମାନଙ୍କୁ ତଡ଼ି ଦେବା ଯେ କୌଣସି ଦେଶ ଲାଗି ଏକ ସ୍ବାଭାବିକ ବ୍ୟାପାର ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଗଲା ବର୍ଷ, ଜୋ ବାଇଡେନଙ୍କ ରାଷ୍ଟ୍ରପତିତ୍ବ କାଳରେ, ମଧ୍ୟ ହଜାରେ ସରିକି ଅବୈଧ ପ୍ରବାସୀ ଭାରତୀୟଙ୍କୁ ଆମେରିକା ଦ୍ବାରା ଏଠାକୁ ପଠାଇ ଦିଆଯାଇଥିଲା। କିନ୍ତୁ, ପ୍ରଭେଦଟି ହେଲା ତାହା ପ୍ରାୟତଃ ନିଃଶବ୍ଦରେ ସମାହିତ ହୋଇଥିଲା ବେଳେ ଗଲା ବୁଧବାରର ଘଟଣା ବିଶେଷ ଚହଳ ସୃଷ୍ଟି କରିଛି। ଏହାର କାରଣ ହେଲା ଆମେରିକାରେ ବେଆଇନ ଭାବେ ବାସ କରୁଥିବା ସମସ୍ତ ପ୍ରବାସୀଙ୍କୁ ସଂପୂର୍ଣ୍ଣ ରୂପେ ବହିଷ୍କାର କରିଦେବା ଲାଗି ପ୍ରତିଜ୍ଞାବଦ୍ଧ ନୂତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଶପଥ ପୂରଣ ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ, ଯେଉଁ କ୍ରମରେ ପ୍ରାୟ ୭.୫ ଲକ୍ଷ ଭାରତୀୟ ସେଠାରୁ ବିତାଡ଼ିତ ହୋଇ ଭାରତ ବାହୁଡ଼ି ପାରନ୍ତି।
ପ୍ରକାଶ ଥାଉ କି ମଧ୍ୟ-ଆମେରିକୀୟ ଦେଶ ଗ୍ବାଟେମାଲା ଓ ହଣ୍ଡୁରାସ ପରେ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ଭାରତ ଏଭଳି ଘର ବାହୁଡ଼ା ପ୍ରବାସୀମାନଙ୍କୁ ଲାଭ କରିଛି। ଏଭଳି ସ୍ଥଳେ ଯେଉଁ ଦୁଇଟି ମୁଖ୍ୟ ବିନ୍ଦୁକୁ କେନ୍ଦ୍ର କରି ଆଲୋଚନା ଓ ଅନୁମାନ ଆଦିର ସୂତ୍ରପାତ ଘଟିଛି, ସେ ଦ୍ବୟ ହେଲେ, ଏଭଳି ‘ବିତାଡ଼ନ’ କାର୍ଯ୍ୟରେ ପ୍ରଥମ ଥର ଲାଗି ସାମରିକ ବିମାନର ବ୍ୟବହାର ଏବଂ ଆସନ୍ତା ୧୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆ‌ମେରିକା ଗସ୍ତ ଓ ଟ୍ରମ୍ପଙ୍କ ସହିତ ସାକ୍ଷା‌ତ କାର୍ଯ୍ୟକ୍ରମ; କାରଣ ଏଭଳି ଦୁଇଟି ଆଭିମୁଖ୍ୟ ପରସ୍ପର ସହିତ ମେଳ ଖାଇ ନ ଥାଏ; ଗୋଟିଏ ଆମେରିକା ଦ୍ବାରା ଭାରତ ଅପମାନିତ ହେବା ଭଳି କ୍ଷଣ ସୃଷ୍ଟି କରୁଥିବା ବେଳେ ଅନ୍ୟଟି ପାରସ୍ପରିକ ସଂପର୍କ ଘନିଷ୍ଠ ହେବା ଆଡ଼କୁ ଇଙ୍ଗିତ କରିଥାଏ। ‘ସି-୧୭ ଗ୍ଲୋବ୍‌ ମାଷ୍ଟର’ ଭଳି ଅତିକାୟ ସାମରିକ ବିମାନର ଉଡ଼ାଣରେ ହେଉଥିବା ଖର୍ଚ୍ଚ କୌଣସି ଯାତ୍ରୀବାହୀ, ଏପରିକି ଭଡ଼ା ବିମାନ ତୁଳନାରେ କେଇ ଗୁଣ ଅଧିକ। ଏଥିରେ ହୋଇଥିବା ବ୍ୟୟ କିଭଳି ବିଶାଳ ତା’ର ଧାରଣା କେବଳ ଏଥିରୁ ମିଳିବ ଯେ ଏଥିରେ ଘଣ୍ଟା ପ୍ରତି ଖର୍ଚ୍ଚ ହୋଇଛି ୨୮.୫ ହଜାର ଡଲାର ଅର୍ଥାତ୍‌ ୨୫ ଲକ୍ଷ ଟଙ୍କା ଏବଂ ବିମାନଟି ସାନ ଆଣ୍ଟୋନିଓ ଏୟାର ବେସରୁ ୭୬ ଘଣ୍ଟାର ଉଡ଼ାଣ ପରେ ଅମୃତସରରେ ଅବତରଣ କରିଥିଲା। ଏବଂ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଶତାଧିକ ମନୁଷ୍ୟ ବୁହା ହୋଇ ଆସିଥିବା ଏହି ବିମାନରେ ଥିଲା ମାତ୍ର ଗୋଟିଏ ଶୌଚାଳୟ, ଯାହାର ଅର୍ଥ ଯାତ୍ରୀମାନଙ୍କ ସକାଶେ ସାମାନ୍ୟ ମାନବୀୟ ସମ୍ମାନ ବା ସମ୍ବେଦନ ପ୍ରଦର୍ଶନର ମଧ୍ୟ କୌଣସି ଉଦ୍ୟମ ନ ଥିଲା। ପର୍ଯ୍ୟବେକ୍ଷକମାନଙ୍କ ମତରେ ଏଭଳି ପଦକ୍ଷେପକୁ ଅନୁମୋଦନ ଦେଇ ଟ୍ରମ୍ପ ତାଙ୍କର କଠୋର ଆଭିମୁଖ୍ୟକୁ ଅତ୍ୟନ୍ତ ପ୍ରାଂଜଳ କରି ଦେଇଛନ୍ତି। ସୁତରାଂ, ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆମେରିକା ଗସ୍ତ କାଳରେ ଅପ୍ରତିଭ କରିଦେଇପାରେ! କିନ୍ତୁ, ଆଉ ଏକ ତିିକ୍ତ ବାସ୍ତବତା ହେଲା ବିଦେଶ ଭୂମିରେ ଅବୈଧ ଅନୁପ୍ରବେଶ ଓ ବସବାସ କରିବା ଦଣ୍ଡନୀୟ ଅପରାଧ ହୋଇଥିବାରୁ ଭାରତ ସକାଶେ ପ୍ରତିବାଦ ଲାଗି ବିଶେଷ ସୁଯୋଗ ନ ଥାଏ ଏବଂ ଯେତେବେଳେ ସେ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ଓ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ହୁଅନ୍ତି, ସେତେବେଳେ ଏଭଳି ସମ୍ଭାବନା ଆହୁରି ନିଷ୍ପ୍ରଭ ହୋଇଉଠେ। ବରଂ ଏଭଳି ସ୍ଥଳେ ଭାରତ ସକାଶେ ଯାହା ସଙ୍କୋଚ ବା ଲଜ୍ଜାର କାରଣ ହେବା ଉଚିତ, ତାହା ହେଲା ଏତେ ସଂଖ୍ୟକ ଭାରତୀୟ ବିଦେଶରେ ବେଆଇନ ଅନୁପ୍ରବେଶକାରୀରେ ପରିଣତ ହେବା ଲାଗି ପାଉଥିବା ସୁଯୋଗ, ଯାହା ଗୁଜରାଟ, ପଞ୍ଜାବ ଓ ହରିଆଣା ଭଳି ରାଜ୍ୟରେ ପ୍ରଶ୍ରୟ ପାଇ ବେଆଇନ ମାନବ ଚାଲାଣକୁ ଏକ ବିଧିବଦ୍ଧ ଉଦ୍ୟୋଗରେ ପରିଣତ କଲାଣି।
ଆମେରିକା ସରକାରଙ୍କ ଦ୍ବାରା ପ୍ରକାଶିତ ଏକ ପରିସଂଖ୍ୟାନ ଅନୁସାରେ ୨୦୨୨ ମସିହା ଅକ୍‌ଟୋବରରୁ ୨୦୨୩ ମସିହା ସେପ୍‌େଟମ୍ବର ମାସ ମଧ୍ୟରେ ବିନା କାଗଜପତ୍ରରେ ଆମେରିକା ପ୍ରବେଶ କରିଥିବା ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଥିଲା ସର୍ବାଧିକ, ଅର୍ଥାତ୍‌ ପ୍ରାୟ ୯୭ ହଜାର। ଉଲ୍ଲେଖଯୋଗ୍ୟ ଯେ ଏମାନେ ସମସ୍ତେ ‘ଡଙ୍କି ଫ୍ଲାଇଟ୍‌’ ବା ସଂକ୍ଷେପରେ କେବଳ ‘ଡଙ୍କି’ ମାଧ୍ୟମରେ ଆମେରିକାରେ ପାଦ ଦେଇଥିଲେ, ଯହିଁ‌େର ଛଳ, ପ୍ରତାରଣା, ବିଶ୍ବାସଘାତ, ଜାଲିଆତି ଆଦିର ସାହାଯ୍ୟ ନେଇ ସନ୍ଦିଗ୍‌ଧ ଏଜେଣ୍ଟ ବା ‘ଡଙ୍କର୍‌’ମାନେ ମାର୍ଗଦର୍ଶକ ହୋଇଥିଲେ। ପ୍ରକାଶ ଥାଉ କି ଏଭଳି ‘ଡଙ୍କି ଯାତ୍ରା’ ସକାଶେ ହାରାହାରି ୫୦ରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ‌ହୋଇଥାଏ। ଅଧିକ ଖର୍ଚ୍ଚ କରାଯାଇପାରିଲେ ଗନ୍ତବ୍ୟ ବିଦେଶ ଭୂମିରେ ପହଞ୍ଚାଇବା ପର୍ଯ୍ୟନ୍ତ ଦାୟିତ୍ବଟି ‘ଡଙ୍କର୍‌’ମାନେ ଯଦିଓ ଯାହିତାହି ଭାବେ ସଂପାଦନ କରି ପାରନ୍ତି, ଅଧିକାଂଶ ସ୍ଥଳେ କିନ୍ତୁ ସେମାନେ ଆମେରିକାର ନିକଟବର୍ତ୍ତୀ କୌଣସି ମଧ୍ୟ-ଆମେରିକୀୟ ଦେଶରେ ଏହି ‘ଡଙ୍କି ଯାତ୍ରୀ’ମାନଙ୍କୁ ପହଞ୍ଚାଇ ଦେଇ ଅବଶିଷ୍ଟ ପଥ ସ୍ବୀୟ ଉଦ୍ୟମରେ ସେମାନେ ସମାପ୍ତ କରନ୍ତୁ ବୋଲି କହି ଛାଡ଼ି ଚାଲିଯାଆନ୍ତି। ବିଜନ ପଥର ଏଭଳି ହତଭାଗ୍ୟ ଯାତ୍ରୀମାନଙ୍କ ଛାତି ଥରା ଓ ହୃଦୟ ବିଦାରକ ଅନୁଭୂତିମାନ ସଂପ୍ରତି ସାମାଜିକ ଗଣମାଧ୍ୟମରେ ବେଶ୍‌ ଉପଲବ୍‌ଧ, ଯହିଁରୁ ଜଣାଯାଏ କିଭଳି ସେମାନେ ଭଡ଼ା ଗାଡ଼ିରେ ଓ ପାଦରେ ଚାଲିଚାଲି ଇକ୍ବେଡର, ନିକାରାଗୁଆ ଓ ପାନାମାର ଶ୍ବାପଦସଂକୁଳ ଘନ ଜଙ୍ଗଲ, ଭରା ନଈ ଓ ଉଚ୍ଚ ପର୍ବତ ଦେଇ ଏକ ହଜାର କିଲୋମିଟରରୁ ଅଧିକ ଦୀର୍ଘ ପଥ ଅତିକ୍ରମ କରି ଶେଷରେ ଆମେରିକା ସୀମାରେ ପହଞ୍ଚନ୍ତି, ଯେଉଁ କ୍ରମରେ ଅନେକ ଯାତ୍ରୀ ଅପରିଚିତ ବି‌େଦଶ ଭୂମିରେ ନିଃଶବ୍ଦରେ ନିଶ୍ଚିହ୍ନ ମଧ୍ୟ ହୋଇ ଯାଆନ୍ତି। ୨୦୨୨ ମସିହାରେ ଗୁଜରାଟର ଡିଙ୍ଗୁଚା ଗ୍ରାମ ସଂପର୍କରେ ପ୍ରକାଶିତ ଏକ ସମ୍ବାଦ କହିଥିଲା କିଭଳି ସେହି ଗାଁର ୩୦୦୦ ବାସିନ୍ଦାଙ୍କ ମଧ୍ୟରୁ ୧୮୦୦ ଜଣ ‘ଡଙ୍କି’ ମାଧ୍ୟମରେ ଦେଶ ତ୍ୟାଗ କରିଛନ୍ତି। ସେହି ସମ୍ବାଦରେ ମଧ୍ୟ ସ୍ଥାନ ପାଇଥିଲା ଶିକ୍ଷକ ଜଗଦୀଶ ପଟେଲ ଓ ତାଙ୍କ ପରିବାରର ଅତ୍ୟନ୍ତ ବିମର୍ଷକର କାହାଣୀ। ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ସୁବର୍ଣ୍ଣ ଆମେରିକା ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଥିବା ଏହି ଚାରିଜଣିଆ ପରିବାରକୁ କାନାଡା ସୀମାରେ ପହଞ୍ଚାଇଦେବା ପରେ ପାଦରେ ଚାଲି ଆମେରିକାରେ ପ୍ରବେଶ କରିବାର ପରାମର୍ଶ ଦେଇ ‘ଡଙ୍କର୍‌’ଜଣକ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ପର ଦିନ ସକାଳେ ଜଗଦୀଶ, ତାଙ୍କ ପତ୍ନୀ ଓ ଦୁଇ ନାବାଳକ ସନ୍ତାନଙ୍କ ମୃତ ଶରୀର ରାସ୍ତା କଡ଼ରୁ ମିଳିଥିଲା, ‌େଯଉଁମାନଙ୍କ ଜୀବନ ନେଇଯାଇଥିଲା କାନାଡାର ବିଯୁକ୍ତ ୩୫ ଡିଗ୍ରି ସେଲସିଅସର ପ୍ରାଣଘାତୀ ଶୀତ। ଏଭଳି ସ୍ଥିତିରେ ବିଡ଼ମ୍ବନାଟି ହେଲା ‘ଡଙ୍କର୍‌’ମାନେ ପଞ୍ଜାବ, ଗୁଜରାଟ ଓ ହରିଆଣା ଭଳି ରାଜ୍ୟର ଗ୍ରାମାଞ୍ଚଳରେ ମିଥ୍ୟ ପ୍ରତିଶ୍ରୁତିଭରା ବଡ଼ ବଡ଼ ପୋଷ୍ଟରମାନ କାନ୍ଥ‌େର ମାରି ଦିବାଲୋକରେ ନିରଙ୍କୁଶ ଭାବେ ବେଆଇନ ମାନବ ଚାଲାଣରେ ଲିପ୍ତ ଏବଂ ସେମାନଙ୍କ ବିରୋଧରେ ପ୍ରାୟତଃ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥାଏ। ସୁତରାଂ, ଅନେକ ଅପରାଧୀ ଗୋଷ୍ଠୀ ଏହି କାର୍ଯ୍ୟରେ ସଂପୃକ୍ତ ହୋଇ ନିପୀଡ଼ନର କାହାଣୀମାନ ସୃଷ୍ଟି କରିବାରେ ବ୍ୟାପୃତ। ଏମାନଙ୍କୁ ଦମନ କରିବା ଯେ ଅପରିହାର୍ଯ୍ୟ ସେଥିରେ ଦ୍ବିରୁକ୍ତି ନାହିଁ।
‘ଡଙ୍କି ଫ୍ଲାଇଟ୍‌’ର ଆକ୍ଷରିକ ଅର୍ଥ ହେବ ‘ଗଧର ଉଡ଼ାଣ’, କିନ୍ତୁ ବାସ୍ତବରେ ଗଧ ପିଠି‌େର ବସି ଯାତ୍ରା କରିବାର କ୍ଳେଶକୁ ହିଁ ଏହା ବୁଝାଇଥାଏ। ବ୍ୟାଙ୍ଗାତ୍ମକ ଦୃଷ୍ଟିରୁ ଏହା ମଧ୍ୟ କୁହାଯାଇପାରେ ଯେ କୌଣସି ପକ୍ଷୀରାଜ ଗଧ ପିଠିରେ ବସି ଉଡ଼ାଣ ଭରିଲେ ମଧ୍ୟ ଯାତ୍ରା କ୍ଳେଶରୁ ତ୍ରାହି ମିଳି ନ ପାରେ! ପ୍ରକାଶ ଥାଉ କି ଆମେରିକାରେ ଆଇନତଃ ବସବାସ କରୁଥିବା ଭାରତୀୟମାନେ ହେଉଛନ୍ତି ସର୍ବା‌ଧିକ ସଂପନ୍ନ ଓ ସମୃଦ୍ଧ ପ୍ରବାସୀ ବର୍ଗ, ଯେଉଁମାନଙ୍କ ସଫଳତାର ସୁବର୍ଣ୍ଣ ଦୃଷ୍ଟାନ୍ତ ଅସଂଖ୍ୟ ଭାରତୀୟଙ୍କୁ ସମ୍ମୋହିତ କରିଥାଏ। କିନ୍ତୁ ଆମେରିକା ଅନୁପ୍ରବେଶ କରୁଥିବା ‘ଡଙ୍କି ଯାତ୍ରୀ’ମାନେ ଯେ ଏଭଳି ସଫଳତା କଦାଚିତ ପାଆନ୍ତେ ନାହିଁ, ଏହା ସମ୍ଭବତଃ ସେମାନଙ୍କ ହୃଦବୋଧ ହୋଇ ନ ଥାଏ। ଅଧିକାଂଶ ଅବୈଧ ପ୍ରବାସୀ ସେଠାରେ ଅତ୍ୟନ୍ତ ହେୟ-ମଣ୍ୟ କାର୍ଯ୍ୟମାନ କରି ଗୁଜୁରାଣ ମେଣ୍ଟାନ୍ତି ବା କୌଣସି ଅପରାଧୀ ଗ୍ୟାଙ୍ଗରେ ସାମିଲ ହୁଅନ୍ତ ଅଥବା ଶରଣ ଭିକ୍ଷା କରି ଅଟକ ଗୃହଗୁଡ଼ିକରେ ଜୀବନ କାଟନ୍ତି। ଯେଉଁମାନେ କୌଣସିମତେ ଏଭଳି ଦଶାରୁ ବର୍ତ୍ତି ଯାଆନ୍ତି, ସେମାନେ ସର୍ବଦା ଭୟ ଓ ଉଦ୍‌ବେଗର ଛାୟାରେ କାଳାତିପାତ କରନ୍ତି ଏବଂ କଦବା କେମିତି ଆସୁଥିବା ସରକାରଙ୍କ ସର୍ବ କ୍ଷମା ଯୋଜନାକୁ ଅପେକ୍ଷା କରି ରହନ୍ତି। ପୁଣି ବିଡ଼ମ୍ବନାଟି ହେଲା, ଯେତିକି ପୁଂଜି ଦେଇ ସେମାନେ ‘ଡଙ୍କି ଯାତ୍ରା’ କରନ୍ତି, ସେତିକି ବିନିବେଶ କଲେ ସ୍ବଦେଶରେ ସମ୍ମାନପୂର୍ଣ୍ଣ ଭାବେ ସ୍ବାବଲମ୍ବନଶୀଳ ଜୀବନ ଜିଇବା ମଧ୍ୟ ସମ୍ଭବ। କିନ୍ତୁ ମନ ସମ୍ମୋହନମୁକ୍ତ ହେଲେ ତ?

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.