ଡବଲ୍ ଏନ୍କାଉଣ୍ଟର୍ ମାମଲା: ବିହାର ଯିବ ସ୍ପେସାଲ୍ ଟିମ୍, ସମ୍ପତ୍ତି ବାଜ୍ୟାପ୍ତ ହେବ, ରିମାଣ୍ଡରେ ଆସିବେ
ବିହାର କଟିହାର ଅଞ୍ଚଳର କୁଖ୍ୟାତ ଖୋରା ଗ୍ୟାଙ୍ଗ୍ର ଦୁଇ କୁଖ୍ୟାତ ଅପରାଧୀ ସୋନୁ ଯାଦବ ଓ ମନୀଷ ଯାଦବ ଏନ୍କାଉଣ୍ଟର୍ ମାମଲାରେ ଅପରାଧୀ ଗ୍ୟାଙ୍ଗ୍ର ଆପରାଧିକ ଇତିହାସ ଯାଞ୍ଚ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ବିହାର ଯିବ।
ଭୁବନେଶ୍ବର: ବିହାର କଟିହାର ଅଞ୍ଚଳର କୁଖ୍ୟାତ ଖୋରା ଗ୍ୟାଙ୍ଗ୍ର ଦୁଇ କୁଖ୍ୟାତ ଅପରାଧୀ ସୋନୁ ଯାଦବ ଓ ମନୀଷ ଯାଦବ ଏନ୍କାଉଣ୍ଟର୍ ମାମଲାରେ ଅପରାଧୀ ଗ୍ୟାଙ୍ଗ୍ର ଆପରାଧିକ ଇତିହାସ ଯାଞ୍ଚ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ବିହାର ଯିବ। ଅନ୍ୟ ରାଜ୍ୟ ପୁଲିସ ସହ ମଧ୍ୟ ଯୋଗାଯୋଗ କରି ଗ୍ୟାଙ୍ଗ୍ର ପ୍ରତି ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ହାତେଇବା ସହ ଚିହ୍ନଟ କରି ସେମାନଙ୍କ ଘରେ ଚଢ଼ଉ କରିବ। ଏମିତିକି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗମୋହନ ମିନା କହିଛନ୍ତି। ଏଥିପାଇଁ ସେ ସ୍ଥାନୀୟ ଏସ୍ପିଙ୍କ ସହ ଯୋଗାଯୋଗ କରିଛନ୍ତି। ଏହାଛଡ଼ା ସେମାନଙ୍କର ଓଡ଼ିଶା ଲିଙ୍କ୍ ନେଇ ଖୋଳତାଡ଼ ହେବ। ଓଡ଼ିଶାରେ ଏହି ଗ୍ୟାଙ୍ଗ୍କୁ କେଉଁମାନେ ସହଯୋଗ କରୁଥିଲେ, ଲୁଟ୍ ଗହଣା ଓ ଅନ୍ୟ ଜିନିଷକୁ କେଉଁମାନଙ୍କୁ ବିକ୍ରି କରୁଥିଲେ, ସେମାନଙ୍କ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ସେ କହିଛନ୍ତି।
ଆଜି ସାଇଣ୍ଟିଫିକ୍ ଟିମ୍ ବାଙ୍କୁଆଳସ୍ଥିତ କୁଆଖାଇ ନଦୀପଠାକୁ ଯାଇଥିଲା। ସ୍ପେସାଲ୍ ସ୍କ୍ବାଡ୍ ଓ ବଡ଼ଗଡ଼ ଥାନା ପୁଲିସ ଟିମ୍ ସେଠାରୁ ୪ଟି ଖୋକା ଓ ୨ଟି କ୍ୟାଟ୍ରିଜ୍ ପାଇଥିଲା। ଏନ୍କାଉଣ୍ଟର ବେଳେ ପୁଲିସ ଦୁଇଟି ବନ୍ଧୁକ, ୩ଟି ଗୁଳି, ଗୋଟିଏ ପଲ୍ସର ବାଇକ୍, କିଛି କ୍ଷତିକାରକ ପାଉଡର ଏବଂ ଭଙ୍ଗାରୁଜା ପାଇଁ ଯନ୍ତ୍ର ଜବତ କିରଥିଲା। ଜବତ ହୋଇଥିବା ବନ୍ଧୁକ ଦୁଇଟି ବିହାର ମୁଙ୍ଗେରରୁ ଅଣାଯାଇଥିବା ଜଣାପଡ଼ିଛି। ଖୋକା, ବନ୍ଧୁକ ଓ ଗୁଳିର ବାଲାଷ୍ଟିକ୍ ପରୀକ୍ଷଣ ପାଇଁ ଏସ୍ଏଫ୍ଏସ୍ଏଲ୍ ପଠାଯାଇଛି। ସେହିପରି ବାଇକ୍ଟି ଚୋରା ବୋଲି ଜଣାପଡ଼ିଛି। ବାଇକ୍କୁ ଚୋରି କରିବା ପରେ ନମ୍ବର ପ୍ଲେଟ୍ ବଦଳିଥିବା ଜଣାପଡ଼ିଛି। ନମ୍ବର ପ୍ଲେଟ୍ କିଏ ଯୋଗାଉଛି, ସେ ଦିଗରେ ମଧ୍ୟ ଖୋଳତାଡ଼ ହେବ। ଏନ୍କାଉଣ୍ଟର୍ର କିଛି ସମୟ ପୂର୍ବରୁ ଏହି ବାଇକ୍ ନମ୍ବରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ଚାଲାଣ କଟିଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି, ଗୁରୁବାର ରାତିରେ ମନୀଷ ଓ ସୋନୁକୁ ସ୍ପେସାଲ୍ ସ୍କ୍ବାଡ୍ ଓ ବଡ଼ଗଡ଼ ଥାନା ପୁଲିସ କୁଆଖାଇ ନଦୀପଠାରେ ଏନ୍କାଉଣ୍ଟର୍ କରିଥିଲା।
ସୌଜନ୍ୟ-ସମ୍ୱାଦ
Comments are closed.