Breaking News

ଡବ୍‌ଲ୍ୟୁପିଏଲ୍ ଆଜିଠୁ: ଉଦ୍‌ଘାଟନୀରେ ମୁହାଁମୁହିଁ ହେବେ ଆର୍‌ସିବି-ଗୁଜରାଟ ଜାଏଣ୍ଟସ୍‌

ମହିଳା କ୍ରିକେଟ୍‌ର ଆଇପିଏଲ୍ ବୋଲାଉଥିବା ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ। ଚଳିତ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସ...

ବେଙ୍ଗାଲୁରୁ: ମହିଳା କ୍ରିକେଟ୍‌ର ଆଇପିଏଲ୍ ବୋଲାଉଥିବା ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ। ଚଳିତ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍‌ଲ୍ୟୁପିଏଲ୍‌-୨୦୨୫ର ଆକର୍ଷଣୀୟ ଟ୍ରଫି ଏବଂ ମୋଟା ଅଙ୍କର ପୁରସ୍କାର ରାଶି ଲାଗି ଲଢ଼େଇ କରିବେ।

ସାରା ବିଶ୍ବର ବଛାବଛା‌ ୯୦ଜଣ ମହିଳା ‌ଖେଳାଳି ଏହି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ନିଜନିଜ ଯାଦୁ ଦେଖାଇବେ। ମେଗ୍ ଲାନିଂ, ଆସ୍‌ଲି ଗାର୍ଡନର, ହର୍ମନପ୍ରୀତ୍ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ଏହି ପାଞ୍ଚଟି ଦଳର ନେତୃତ୍ବ ‌ନେବେ। ଏହି ପ୍ରତୀକ୍ଷିତ ପେସାଦାର ଲିଗ୍ ଭାରତର ଚାରିଟି ସହର ବେଙ୍ଗାଲୁରୁ, ଲକ୍ଷ୍ନୌ, ମୁମ୍ବାଇ ଓ ବଡ଼ୋଦରାରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ (୨୦୨୩) ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (୨୦୨୪) ଗତ ଦୁଇ ସଂସ୍କରଣର ବିଜେତା ହୋଇଥିଲା ବେଳେ ଏଥର ଉଭୟ ଦ୍ବିତୀୟ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିବେ। ଅନ୍ୟ ତିନିଟି ଦଳ ପ୍ରଥମ ଥର ପାଇଁ ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।

ଶୁକ୍ରବାର ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାରେ ଗତଥରର ବିଜେତା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟ୍‌ସ ମୁହାଁମୁହିଁ ହେବେ। ବେଙ୍ଗାଲୁରୁ ଓ ଲକ୍ଷ୍ନୌ ପର୍ଯ୍ୟାୟ ଯଥାକ୍ରମେ ଫେବ୍ରୁଆରି ୨୧ ଓ ମାର୍ଚ୍ଚ ୩ରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ରୁ ମୁମ୍ବାଇରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବା ସହ ସେଠାକାର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହିଁ ଏଲିମିନେଟର, ଫ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ। ସବୁ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରୁ ଆରମ୍ଭ ହେବ। ବଡ଼ୋଦରାରେ ମଧ୍ୟ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ତଥା ଗାୟକ ଅଂଶଗ୍ରହଣ କରିବେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.