ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ବେଶ୍ ଶୋଚନୀୟ ହୋଇପଡ଼ିଛି। ଗୋଟିଏ ଡଲାରର ମୂଲ୍ୟ ଦେଶରେ ୮୬ ଟଙ୍କା୫୮ ପଇସା ହୋଇଯାଇଛି। ଇତିହାସରେ ପ୍ରଥମ ଥର ଲାଗି ଟଙ୍କାକୁ ଏଭଳି ଦୟନୀୟ ସ୍ଥିତିରେ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ‌କୌଣସି ଗୋଟିଏ ଦିନରେ ଟଙ୍କା ଏତେ ପରିମାଣରେ ଦୁର୍ବଳ ହୋଇଛି। ଏଥିସହିତ ଦେଶର ଦରଦାମ୍‌ ପ୍ରତି ଏକ ସାଂଘାତିକ ବିପଦ ସୃ‌ଷ୍ଟି କରିଛି। ଏହା ବ୍ୟତୀତ ବିଦେଶ ଭ୍ରମଣ କରିବାକୁ ଚାହୁଥିବା କିମ୍ବା ବିଦେଶରେ ପାଠ ପଢ଼ାଉଥିବା ଅଭିଭାବକମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବା ଭଳି ସ୍ଥିତି ଉପୁଜିଛି।

ଆଜି ବିନିମୟ ମୁଦ୍ରା ବଜାରରେ କାରବାର ବେଳେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୮୬ ଟଙ୍କା ୫୮ ପଇସା ହୋଇଥିଲା। ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରିରେ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ ଦେଖିବାକୁ ମିଳିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କମ୍ ହସ୍ତକ୍ଷେପ କରୁଥିବାରୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ଏହା ବ୍ୟତୀତ ଦେଶର ଅର୍ଥନୈତିକ ଅଭିବୃଦ୍ଧି କମ୍ ହେବା ଓ ସେୟାର ବଜାର ଦୁର୍ବଳ ରହୁଥିବାରୁ ମଧ୍ୟ ଟଙ୍କା ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଛି।

ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୧୦ ମାସର ନିମ୍ନ ସ୍ତର ୬୩,୪୬୦ କୋଟି ଡଲାର ପାଖାପାଖି ଖସିଯାଇଥିବାରୁ ଟଙ୍କାକୁ ସମ୍ଭାଳିବା ଲାଗି ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ବେଳେ ମାପଚୁପ ନୀତି ଗ୍ରହଣ କରିଛି। ଏକ ସମୟରେ ଗଚ୍ଛିତ ଭଣ୍ଡାରରେ ୭୦,୦୦୦ କୋଟି ଡଲାରରୁ ଅଧିକ ବୈଦେଶିକ ମୁଦ୍ରା ଥିଲା। କେବଳ ଟଙ୍କାକୁ ସମ୍ଭାଳିବାରେ ସେଥିରୁ ୬୦୦୦ କୋଟି ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଉଡ଼ିଯାଇଛି। ସ୍ପଟ୍ ଓ ଫରୱାର୍ଡ ବଜାରରେ ରିଜର୍ଭ ବ୍ୟାଙ୍କ ସିଧାସଳଖ ଡଲାର ବିକ୍ରି କରି ଟଙ୍କାକୁ ସମ୍ଭାଳୁଥିଲା। ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହେବା ପରଠାରୁ ବିଭିନ୍ନ ଦେଶର ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ହେବାରେ ଲାଗିଛି। ସେହି ପ୍ରକ୍ରିୟାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇଛି। ଅନ୍ୟ ପକ୍ଷରେ ବୈଦେଶିକ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ତାହାର ଚାପ ମଧ୍ୟ ଟଙ୍କା ଉପରେ ପଡ଼ିଛି।