Breaking News

ଡ୍ରାଗନର ପୁଣି ନୂଆ ଚାଲ୍‌ବାଜି: ଦୁଇ ନୂଆ ପ୍ରଦେଶ ଗଠନ କରିବାକୁ ଘୋଷଣା, କୂଟନୈତିକ ଚ୍ୟାନେଲରେ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୦୪/୦୧: ଲଦାଖକୁ ନେଇ ଚୀନ୍‌ ପୁଣି ନୂଆ ଚାଲ୍‌ବାଜି ଆରମ୍ଭ କରିଛି । ହୋଟନ୍‌ ପ୍ରାନ୍ତରେ ଏହାର ଦୁଇ ନୂଆ ପ୍ରଦେଶ ଗଠନ କରିବାକୁ ଘୋଷଣା କରିଛି । ଏଥିରେ ଲଦାଖର କିଛି ଅଂଶକୁ ନିଜର ବୋଲି ଦର୍ଶାଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ ।

ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚୀନ୍‌ ଯେଉଁ କ୍ଷେତ୍ରକୁ ଯୋଡ଼ି ନିଜର ନୂଆ ପ୍ରଦେଶ ଘୋଷଣା କରିଛି ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଅଂଶ ରହିଛି । ଏଥିସହ ତିବ୍ଦତ କ୍ଷେତ୍ରରେ ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ ପାଇଁ ଚୀନ୍‌ର ନିଷ୍ପତ୍ତି ଉପରେ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଛି ।

ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ କେବେ ବି ଚୀନ୍‌ର ଏଭଳି ଏକପାଖିଆ ଅବୈଧ କବ୍‌ଜାକୁ ସ୍ୱୀକାର କରିବ ନାହିଁ । ଚୀନ୍‌ ନୂଆ ପ୍ରଦେଶ ଗଠନ କରିଦେଲେ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ସମେତ ସୀମାରେ ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଚୀନ୍‌ର ଜବରଦସ୍ତି କବ୍‌ଜା ମଧ୍ୟ ବୈଧ ହୋଇପାରିବ ନାହିଁ । ଏହି ପ୍ରସଙ୍ଗରେ ଭାରତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଚୀନ୍‌ ଅଧିକାରୀଙ୍କ ନିକଟରେ କଡ଼ା ଆପତ୍ତି ଉଠାଇଛି ।

ରଣଧୀର ଆହୁରି କହିଥିଲେ, ୨୦୨୪ ଡିସେମ୍ବରରେ ଚୀନ୍‌ର ସରକାରୀ ଗଣମାଧ୍ୟମ ଜରିଆରେ ବ୍ରହ୍ମପୁତ୍ର ନଦୀ (ଚୀନ୍‌ରେ ୟାରଲୁଙ୍ଗ୍‌ ଜାଙ୍ଗ୍‌ବୋ ନଦୀ)ରେ ଏକ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ବନାଇବା ବାବଦରେ ସୂଚନା ମିଳିଛି । ବ୍ରହ୍ମପୁତ୍ର ନଦୀ ପାଣି ଉପରେ ଭାରତର ବି ଅଧିକାର ରହିଛି । ଏଥିସହ ନଦୀ ତଟରେ ଭାରତର ଅନେକ ଅଞ୍ଚଳ ରହୁଥିବାରୁ ଡ୍ୟାମ୍‌ ନିର୍ମାଣ ଉପରେ ଚୀନ୍‌ ପ୍ରତିପକ୍ଷଙ୍କ ଆଗରେ ଚିନ୍ତା ବ୍ୟକ୍ତ କରାଯାଇଛି । ହେଲେ ତିବ୍ଦତରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଦ୍ୱାରା ସେଠାକାର ପରିବେଶ କିମ୍ବା ତଳୁଆ ଅଞ୍ଚଳ ପ୍ରତି କୌଣସି ବିପଦ ନାହିଁ ବୋଲି ଚୀନ୍‌ କହିଛି । ତେବେ ଭାରତ ସମେତ ବାଂଲାଦେଶ ମଧ୍ୟ ଏହି ଡ୍ୟାମ୍‌କୁ ନେଇ ଚିନ୍ତା ବ୍ୟକ୍ତ କରିଛି ।

ଏହା ପ୍ରଥମ ଥର ନୁହେଁ ଯେ ଚୀନ୍‌ ନିଜ ମାନଚିତ୍ରରେ ଏକପାଖିଆ ଭାବେ ଭାରତୀୟ କ୍ଷେତ୍ରକୁ ନିଜର ବୋଲି ଦାବି କରିଛି । ୨୦୧୭ରେ ଚୀନ୍‌ ଅରୁଣାଚଳ ପ୍ରଦେଶର ୬ ସ୍ଥାନର ନାମକରଣ କରି ମାନଚିତ୍ର ଜାରି କରିଥିଲା । ୨୦୨୧ରେ ଏଥିରେ ୧୫ ସ୍ଥାନକୁ ସାମିଲ କରି ଦ୍ୱିତୀୟ ମାନଚିତ୍ର ଜାରି କରିଥିଲା । ୨୦୨୩ରେ ମଧ୍ୟ ଚୀନ୍‌ ପୁନର୍ବାର ଏଭଳି କାରନାମା କରିଥିଲା ।

 

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.