ଭୁବନେଶ୍ବର: ନ‌ବରତ୍ନ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ)ର ନୂଆ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା‌ ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଆଇଓସିଏଲ୍‌ ରିଫାଇନାରି ଡିଭିଜନର ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ କାର୍ଯ୍ୟ କରୁଥିଲେ। ମାନବ ସମ୍ବଳ ଓ ଶିଳ୍ପରେ ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଡ. ପଟ୍ଟନାୟକ କାର୍ମିକ ପରିଚାଳନା ଓ ଶିଳ୍ପ ସମ୍ପର୍କରେ ସ୍ନାତକୋତ୍ତର ଓ ପିଏଚ୍‌ଡି ସହିତ ଆଇନ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ସାଂଗଠନିକ ବିକାଶ, କର୍ମଚାରୀଙ୍କ ନିୟୋଜନ, ପ୍ରତିଭା ଅଧିଗ୍ରହଣ, ଶିଳ୍ପ ସମ୍ପର୍କ, ଶିକ୍ଷଣ ଓ ବିକାଶ, ମାନବ ସମ୍ବଳ ରଣନୀତି ଆଦିରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ସେ ଖଣି, ବିଶୋଧନାଗାର, ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।

ନାଲ୍‌କୋରେ ଡ. ପଟ୍ଟନାୟକ ମାନବ ସମ୍ବଳ ବିଭାଗର ଦାୟିତ୍ବ ସହ ପ୍ରତିଭା ଅଧିଗ୍ରହଣ, କର୍ମଚାରୀ ଦକ୍ଷତା ବିକାଶ, ସାଂଗଠନିକ ପ୍ରଭାବ ଓ ମାନବ ସମ୍ବଳ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନିର ଦୀର୍ଘକାଳୀନ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବେ। ଏହି ନିଯୁକ୍ତି ପାଇଁ ଡ. ପଟ୍ଟନାୟକଙ୍କୁ ନାଲ୍‌କୋର ସିଏମ୍‌ଡି ସଞ୍ଜୟ ଲୋହିୟା ଅଭିନନ୍ଦନ ସହ ମାନବ ସମ୍ବଳ କ୍ଷେତ୍ରରେ ନୂତନତା ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି ଯାହା ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ। ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଶ୍ରୀ ପଟ୍ଟନାୟକଙ୍କ ଯୋଗଦାନ ନାଲ୍‌କୋ ନିର୍ଦ୍ଦେଶକ ମଣ୍ଡଳୀକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି।