Breaking News

ଢାକାରେ ଭାରତ ବିରୋଧୀ ବିକ୍ଷୋଭ

ତ୍ରିପୁରା ଅଗରତାଲାସ୍ଥିତ ବାଂଲାଦେଶର ସହକାରୀ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ଆଜି ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ପକ୍ଷରୁ ବାଂଲାଦେଶ ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଢାକା: ତ୍ରିପୁରା ଅଗରତାଲାସ୍ଥିତ ବାଂଲାଦେଶର ସହକାରୀ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ଆଜି ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ପକ୍ଷରୁ ବାଂଲାଦେଶ ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଏନ୍‌ପି‌ର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ନେତୃତ୍ବ ନେଇଥିଲେ। ନୟା ପଲଟନ କେନ୍ଦ୍ରୀୟ କାର୍ଯ୍ୟାଳୟ ଠାରୁ ଶତାଧିକ ବିଏନ୍‌ପି ସମର୍ଥକ ଏକ ରାଲିରେ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଆଡ଼କୁ ବାହାରିଥିଲେ। ତେବେ କାର୍ଯ୍ୟାଳୟ ଠାରୁ ପ୍ରାୟ ୧ କିମି ଦୂରରେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ପରେ ଛ’ ଜଣିଆ ପ୍ରତିନିଧି ଦଳ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପହଞ୍ଚି ଏକ ସ୍ମାରକପତ୍ର ଭାରତୀୟ ହାଇକମିସନରଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ବିଏନ୍‌ପିର ଯୁବ ଦଳ ଅଧ୍ୟକ୍ଷ ଅବ୍‌ଦୁଲ୍‌ ମୋନାୟମ ମୁନ୍ନା, ଛାତ୍ର ଦଳ ଅଧ୍ୟକ୍ଷ ରକିବୁଲ୍‌ ଇସ୍‌ଲାମ୍‌, ସ୍ବେଚ୍ଛୋସେବକ ଦଳ ସଭାପତି ଏସ୍‌ଏମ୍‌ ଜିଲାନି ପ୍ରମୁଖ ଯୋଗ ଦେଇଥିଲେ। ଏହା ପରେ ଅନୁଷ୍ଠିତ ଏକ ପ୍ରତିବାଦ ସଭ‌ାରେ ଯୁବ ଦଳ ଅଧ୍ୟକ୍ଷ ଅବ୍‌ଦୁଲ୍‌ ମୁନ୍ନା କହିଛନ୍ତି, ସେମାନେ ଧୈର୍ଯ୍ୟ ଧରି ପରିସ୍ଥିତିର ମୁକାବିଲା କରୁଛନ୍ତି। ବନ୍ଧୁତ୍ବରେ ବିଶ୍ବାସ କରନ୍ତି, କିନ୍ତୁ ଦେଶର କୌଣସି ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଉପରେ ଆକ୍ରମଣକୁ ବରଦାସ୍ତ କରିପାରିବେ ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.