Breaking News

ଢିଙ୍କିଶାଳରୁ ଢେଙ୍କାନାଳ: ଏକ ଅନାବଶ୍ୟକ ନିଷ୍ପତ୍ତି

ଗତ ମାର୍ଚ୍ଚ ୫ ତାରିଖରେ ଥିଲା ଓଡ଼ିଶାର ‘ଡେଙ୍ଗା ମଣିଷ’ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ତିଥି। ବହୁ ବର୍ଷ ଧରି ଏହି ଦିନଟି ଓଡ଼ିଶାରେ ‘ପଞ୍ଚାୟତି ରାଜ ଦିବସ’ ରୂପେ ପାଳିତ ହୋଇ ଆସୁଥିଲା।

ସନ୍ଦୀପ ସାହୁ

ଗତ ମାର୍ଚ୍ଚ ୫ ତାରିଖରେ ଥିଲା ଓଡ଼ିଶାର ‘ଡେଙ୍ଗା ମଣିଷ’ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ତିଥି। ବହୁ ବର୍ଷ ଧରି ଏହି ଦିନଟି ଓଡ଼ିଶାରେ ‘ପଞ୍ଚାୟତି ରାଜ ଦିବସ’ ରୂପେ ପାଳିତ ହୋଇ ଆସୁଥିଲା। ଏଥର କିନ୍ତୁ ‘ପଞ୍ଚାୟତି ରାଜ ଦିବସ’ର ଅବ୍ୟବହିତ ପୂର୍ବରୁ ମୋହନ ମାଝୀ ସରକାର ଘୋଷଣା କଲେ ଯେ ଏ ବର୍ଷ ଠାରୁ ଏହି ଦିବସଟି ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖ ଦିନ (ଯେଉଁ ଦିନ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ପାଳିତ ହୁଏ) ପାଳିତ ହେବ। ଏ ସଂକ୍ରାନ୍ତରେ ଜାରି ସରକାରୀ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଗଲା ଯେ ମାର୍ଚ୍ଚ ୫ ଦିନଟି କେବଳ ବିଜୁ ଜୟନ୍ତୀ ଭାବରେ ‘ମହା ଆଡ଼ମ୍ବର’ରେ ପାଳିତ ହେବ, କିନ୍ତୁ ସେଦିନ ସରକାରୀ ଛୁଟି ରହିବ ନାହିଁ।
ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ କରାଯାଇଥିବା ଏହି ଘୋଷଣାଟି ସ୍ବଭାବିକ ଭାବେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଓ ଅନ୍ୟ ବହୁ ବିଜୁପ୍ରେମୀଙ୍କୁ କ୍ଷୁବ୍‌ଧ କଲା। ସେମାନେ ଏ ନିଷ୍ପତ୍ତିକୁ ରାଜନୈତିକ ଅସହିଷ୍ଣୁତାର ଏକ ନିନ୍ଦନୀୟ ଉଦାହରଣ ବୋଲି ଅଭିହିତ କଲେ। ସରକାରଙ୍କ ନିମନ୍ତ୍ରଣ ପାଇ ମଧ୍ୟ ବିଜୁଙ୍କ ପୁତ୍ର, ବିଜୁ ଜନତା ଦଳର ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖରେ ସରକାରଙ୍କ ଦ୍ବାରା ଆୟୋଜିତ ‘ବିଜୁ ଜୟନ୍ତୀ’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ନାହିଁ। ସେହିଦିନ ବିଧାନସଭା ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମଧ୍ୟ ନବୀନ ଯୋଗ ଦେଲେ ନାହିଁ। କିନ୍ତୁ ସେଦିନ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେ ସରକାରଙ୍କ ନିଷ୍ପତ୍ତିକୁ ‘ବିଜୁ ଲିଗାସି’କୁ ନିଶ୍ଚିହ୍ନ କରିବାର ଅପଚେଷ୍ଟା ବୋଲି ଅଭିହିତ କଲେ। ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କ ନାମ ନ ନେଇ କହିଲେ; ‘ଯେଉଁମାନେ ନିମନ୍ତ୍ରଣ ପାଇ ମଧ୍ୟ ଆସିଲେ ନାହିଁ, ସେମାନେ ପାପ କରିଛନ୍ତି!’ ଏହା ପର ଦିନ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ସରକାରୀ ନିଷ୍ପତ୍ତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଗଲା।
କହିବା ବାହୁଲ୍ୟ, ଏସବୁ ଥିଲା ରାଜନୈତିକ ବୟାନବାଜି। କିନ୍ତୁ ରାଜନୀତିର ଊର୍ଦ୍ଧ୍ୱକୁ ଯାଇ ବିଚାର କରାଯାଉ ଯେ ଏଭଳି ଏକ ନିଷ୍ପତ୍ତି ନେବା କ’ଣ ସତରେ ଜରୁରି ଥିଲା? ନିଜ ନିଷ୍ପତ୍ତି ପଛରେ ଥିବା କାରଣ ଦର୍ଶାଇବାକୁ ଯାଇ ବିଜେପି ସରକାର କହିଛନ୍ତି ଯେ ଯେହେତୁ ଏପ୍ରିଲ ୨୪ରେ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ପାଳନ କରାଯାଉଛି, ତେଣୁ ଅନ୍ୟ କୌଣସି ଦିନ ଏହି ଦିବସ ପାଳନ କରିବା ଏକ ଅସଙ୍ଗତି ସୃଷ୍ଟି କରୁଛି। ସରକାରଙ୍କ ଏ ଯୁକ୍ତିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ପାରିବ ନାହିଁ ନିଶ୍ଚୟ। କିନ୍ତୁ ପ୍ରଶ୍ନ ଉଠୁଛି; ଭିନ୍ନ ଭିନ୍ନ ଦିନରେ ଦୁଇ ଥର ପଞ୍ଚାୟତି ରାଜ ଦିବସ ପାଳନ ହେବାରେ ଅସୁବିଧା କେଉଁଠି? ପ୍ରତି ବର୍ଷ ଅକ୍‌ଟୋବର ୧୩ ତାରିଖରେ ସମଗ୍ର ବିଶ୍ବରେ ପାଳିତ ହୁଏ ‘ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ’। ଭାରତରେ ମଧ୍ୟ ସେହି ଦିନଟି ‘ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ’ ରୂପେ ପାଳିତ ହୁଏ। କିନ୍ତୁ ଓଡ଼ିଶାରେ ପ୍ରତି ବର୍ଷ ଅକ୍‌ଟୋବର ୨୯ ତାରିଖରେ (ଯେଉଁଦିନ ୧୯୯୯ ମହାବାତ୍ୟା ଘଟିଥିଲା) ପାଳିତ ହୁଏ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ। ଏବେ ଦେଖିବାକୁ ବାକି ରହିଲା ଯେ ଏହି ‘ଅସଙ୍ଗତି’ ଦୂର କରିବା ପାଇଁ ମୋହନ ମାଝୀ ଚଳିତ ବର୍ଷ ଠାରୁ ଅକ୍‌ଟୋବର ୧୩ ତାରିଖକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଉଛନ୍ତି ନା ନାହିଁ? ଯଦି ଭିନ୍ନ ଭିନ୍ନ ଦିନରେ ଏକା ବିଷୟବସ୍ତୁ ଉପରେ ଆଧାରିତ ଦିବସ ପାଳନ କରିବା ‘ଅସଙ୍ଗତି’, ତେବେ ସେହି ନ୍ୟାୟରେ ଏପ୍ରିଲ ୧ ତାରିଖରେ (ଯେଉଁଦିନ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା) ଆଉ ‘ଉତ୍କଳ ଦିବସ’ ପାଳନ କରାଯିବାର ଆବଶ୍ୟକତା କ’ଣ ଅଛି? ଏହାକୁ ରାଷ୍ଟ୍ରୀୟ ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସହ ମିଶାଇ ଦେଇ ଏହି ଅସଙ୍ଗତି ଦୂର କରାଯାଉ!
ଏଥର ଦେଶରେ ଓ ରାଜ୍ୟରେ ପଞ୍ଚାୟତି ରାଜ ଦିବସ ପାଳନର ଐତିହାସିକ ପୃଷ୍ଠଭୂମିକୁ ଯିବା। ଉଲ୍ଲେଖଯୋଗ୍ୟ ଯେ ପଞ୍ଚାୟତି ରାଜ ବ୍ୟବସ୍ଥାର ଆମୂଳଚୂଳ ପୁନର୍ବିନ୍ୟାସ ଲକ୍ଷ୍ୟରେ ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ମାର୍ଚ୍ଚ, ୧୯୯୧ରେ ବିଧାନସଭାରେ ତିନିଟି ବିଲ୍‌ ପାରିତ କରାଇଥିଲେ। ଏହି ତିନିଟି ବିଲ୍‌ ଥିଲା ଓଡ଼ିଶା ଜିଲ୍ଲା ପରିଷଦ ବିଲ୍, ୧୯୯୧, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ବିଲ୍, ୧୯୯୧ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ବିଲ୍, ୧୯୯୧। ତିନିଟି ଯାକ ବିଲ୍‌ରେ ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଧିକ କ୍ଷମତା ଦେବା ସହ ସମୁଦାୟ ଆସନର ୩୩% ମହିଳାମାନଙ୍କ ପାଇଁ ଆରକ୍ଷିତ ରଖିବାର ବ୍ୟବସ୍ଥା ଥିଲା। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରି କ୍ଷମତାର ବିକେନ୍ଦ୍ରୀକରଣ ଦିଗରେ ଏହା ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଥିଲା ଦେଶର ପ୍ରଥମ ରାଜ୍ୟ। ପଞ୍ଚାୟତ ସ୍ତରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ବିଜୁ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଭୂମିକା ଓ ନେତୃତ୍ବ ଦୃଷ୍ଟିରୁ ତତ୍କାଳୀନ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୧୯୯୩ ମସିହା ଠାରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖକୁ ରାଜ୍ୟସ୍ତରୀୟ ପଞ୍ଚାୟତି ରାଜ ଦିବସ ରୂପେ ପାଳିତ କରାଯାଇ ଆସୁଛି।
ପଞ୍ଚାୟତି ରାଜ ଅନୁଷ୍ଠାନମାନଙ୍କର ସଶକ୍ତୀକରଣ ପାଇଁ ବିଜୁ ସରକାରଙ୍କର ଏହି ବଳିଷ୍ଠ ପଦକ୍ଷେପ ହିଁ ପରବର୍ତ୍ତୀ ସମୟରେ ପି. ଭି. ନରସିଂହ ରାଓଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ୭୩ତମ ଓ ୭୪ତମ ସଂବିଧାନ ସଂଶୋଧନ ଆଇନ ପାସ କରିବା ପାଇଁ ପ୍ରେରଣା ଯୋଗାଇ ଥିଲା। ପଞ୍ଚାୟତି ରାଜ ଅନୁଷ୍ଠାନ ଓ ନଗରପାଳିକାଗୁଡ଼ିକୁ ଅଧିକ କ୍ଷମତା ଦେବା ପାଇଁ ଉଦ୍ଦିଷ୍ଟ ଏହି ବିଲ୍‌ ଦୁଇଟି ଡିସେମ୍ବର ୨୨, ୧୯୯୨ ଓ ଡିସେମ୍ବର ୨୩, ୧୯୯୨ ତାରିଖରେ ଯଥାକ୍ରମେ ଲୋକସଭା ଓ ରାଜ୍ୟସଭାରେ ପାରିତ ହେଲା। ପରବର୍ତ୍ତୀ ସମୟରେ ଏ ବିଲ୍ ଦୁଇଟି ୧୭ଟି ରାଜ୍ୟ ସରକାରଙ୍କର ଅନୁମୋଦନ ଲାଭ କଲା ପରେ ଏପ୍ରିଲ ୨୩, ୧୯୯୩ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲା ଓ ପର ଦିନ ଅର୍ଥାତ୍ ଏପ୍ରିଲ ୨୪, ୧୯୯୩ ଠାରୁ କାର୍ଯ୍ୟକାରୀ ହେଲା।
ଏଠି ଦୁଇଟି କଥା ପ୍ରଣିଧାନଯୋଗ୍ୟ। ପ୍ରଥମ, ୭୩ ଓ ୭୪ ତମ ସଂବିଧାନ ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇ ଆଇନ ହେବାର ୪୯ ଦିନ (ଦେଢ଼ ମାସରୁ ଅଧିକ) ପୂର୍ବରୁ ମାର୍ଚ୍ଚ ୫, ୧୯୯୩ରେ ଓଡ଼ିଶାରେ ପ୍ରଥମ ପଞ୍ଚାୟତି ରାଜ ଦିବସ ପାଳିତ ହୋଇ ସାରିଥିଲା। ଅନ୍ୟ ଭାବରେ କହିଲେ ମୋହନ ମାଝୀ ସରକାରଙ୍କ ସଦ୍ୟତମ ନିଷ୍ପତ୍ତି ପୂର୍ବରୁ ଗତ ୩୨ ବର୍ଷ ଧରି ମାର୍ଚ୍ଚ ୫ରେ ଏହି ଦିବସ ପାଳିତ ହେଇ ଆସୁଥିଲା। ଏପରିକି ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ କ୍ଷମତାରେ ଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାରଙ୍କ ଅମଳରେ ମଧ୍ୟ ଏଥିରେ କୌଣସି ବ୍ୟତିକ୍ରମ ଘଟି ନ ଥିଲା। ତେଣୁ ପ୍ରଶ୍ନ ଉଠୁଛି; ଆଜି କାହିଁକି ଏଥିରେ ପରିବର୍ତ୍ତନ କରିବା ଏତେ ଜରୁରି ହୋଇ ପଡ଼ିଲା? ଏ ବର୍ଷ (ଓ ଆଗାମୀ ବର୍ଷମାନଙ୍କରେ) ମଧ୍ୟ ଏହି ଦିନ ରାଜ୍ୟସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନ କରା ଯାଇଥିଲେ କ’ଣ ଏମିତି ଅସୁବିଧା ହୋଇ ଯାଇଥାନ୍ତା?
ଦ୍ବିତୀୟ‌ରେ ୭୩ ଓ ୭୪ତମ ସଂବିଧାନ ସଂଶୋଧନ ବିଲ୍‌ ଯଦିଓ ସଂସଦରେ ପାରିତ ହେଲା ଡିସେମ୍ବର, ୧୯୯୨ରେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନ ହେଲା ୧୯୯୩ରେ, ପ୍ରଥମ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ପାଳନ କରାଗଲା ଯାଇ ୨୦୧୦ ମସିହାରେ; ମନମୋହନ ସିଂହଙ୍କ ସରକାର ଅମଳରେ; ଅର୍ଥାତ୍‌ ଜାତୀୟ ସ୍ତରରେ ପ୍ରଥମ ପଞ୍ଚାୟତି ରାଜ ଦିବସ ପାଳିତ ହେଲା ବେଳକୁ ଓଡ଼ିଶାରେ ୧୮ ବର୍ଷ ଧରି ରାଜ୍ୟ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳିତ ହୋଇ ଆସୁଥିଲା। ଅବଶ୍ୟ ରାଜ୍ୟ ସରକାର ଗୋଟିଏ କଥା ପାଇଁ ନିଶ୍ଚୟ ପ୍ରଶଂସାର ପାତ୍ର। ସରକାର ଏ ନିଷ୍ପତ୍ତି ନେଇ ନ ଥିଲେ ରାଜ୍ୟର ୯୦%ରୁ ଅଧିକ ଲୋକ ହୁଏତ କେବେ ଜାଣି ପାରି ନ ଥାନ୍ତେ ଯେ ଏପ୍ରିଲ ୨୪ ତାରିଖରେ ଜାତୀୟ ସ୍ତରରେ ପଞ୍ଚାୟତି ରାଜ ଦିବସ ପାଳିତ ହୁଏ!
ବିଜୁ ଜୟନ୍ତୀରେ ସରକାରଙ୍କ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁବାବୁଙ୍କୁ ଓଡ଼ିଶା ମାଟିର ମହାନ୍ ଜନନାୟକ ବୋଲି ଅଭିହିତ କରିବା ସହ କହିଛନ୍ତି ଯେ ତାଙ୍କ ସରକାର ‘ବିଜୁଙ୍କ ସ୍ବପ୍ନ’ ପୂରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି। ଏହା ସହ ସେ ବିଜୁ ଜନତା ଦଳକୁ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିବା ପାଇଁ ଆହ୍ବାନ ଦେଇଛନ୍ତି। କିନ୍ତୁ ରାଜ୍ୟରେ ଗତ ୩୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପାଳିତ ହୋଇ ଆସୁଥିବା ପଞ୍ଚାୟତି ରାଜ ଦିବସକୁ ‘ଜାତୀୟ’ ପଞ୍ଚାୟତି ରାଜ ଦିବସ ସହ ମିଶାଇ ଦେବାର ନିଷ୍ପତ୍ତି ନେଇଥିବାରୁ ତାଙ୍କ ସରକାର ରାଜନୀତି କରୁଛନ୍ତି ବୋଲି ଉଠୁଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଉଡ଼ାଇ ଦେଇ ହେବ କି? ଗତ ବର୍ଷ ଜୁନ୍‌ ମାସରେ କ୍ଷମତାକୁ ଆସିବାର ୯ ମାସ ମଧ୍ୟରେ ବିଜେପି ସରକାର ନେଇଥିବା ବିଭିନ୍ନ ନିଷ୍ପତ୍ତି ହିଁ ସରକାରଙ୍କ ସଦ୍ୟତମ ନିଷ୍ପତ୍ତିରେ ରାଜନୀତିର ଗନ୍ଧ ବାରିବା ପାଇଁ ଲୋକଙ୍କୁ ଏକ ପ୍ରକାର ବାଧ୍ୟ କରିଛି। ଏହିଭଳି କିଛି ନିଷ୍ପତ୍ତି ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର ଯୋଜନା, ବିଜୁ ସେତୁ ଯୋଜନା, ବିଜୁ ଯୁବ ସଶକ୍ତୀକରଣ ଯୋଜନା ଇତ୍ୟାଦି ଭଳି ବିଜୁଙ୍କ ନାମରେ ନାମିତ ଅନେକ ଯୋଜନାର ନାମ ପରିବର୍ତ୍ତନ ବା ସେଥିରୁ ବିଜୁଙ୍କ ନାମକୁ ବାଦ୍ ଦେବା। ବିଜୁଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରୁ ମଧ୍ୟ ବିଜୁଙ୍କ ନାମ ହଟାଇବା ପାଇଁ ସରକାର ପ୍ରୟାସ କରିଥିଲେ; କିନ୍ତୁ ପ୍ରବଳ ବିରୋଧ ଯୋଗୁଁ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଏସବୁ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରିବା ପଛରେ ଯେ ବିଜୁ ଜନତା ଦଳ ଓ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କର ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିଲା, ଏ କଥାଟି ଯେତିକି ସତ, ଏସବୁ ଯୋଜନାର ନାମ ପରିବର୍ତ୍ତନ କରି ବା ସେ ସବୁରୁ ବିଜୁଙ୍କ ନାମ ବାଦ ଦେଇ ବିଜେପି ସରକାର ମଧ୍ୟ ଯେ ତାହା ହିଁ କରୁଛନ୍ତି, ଏ କଥାଟି ମଧ୍ୟ ସେତିକି ସତ। କିନ୍ତୁ ତୃଣମୂଳ ସ୍ତରରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଜୁଙ୍କ ଅନସ୍ବୀକାର୍ଯ୍ୟ ଭୂମିକା ଦୃଷ୍ଟିରୁ ତାଙ୍କ ଜନ୍ମ ଦିନରେ ଓଡ଼ିଶାରେ ପଞ୍ଚାୟତି ରାଜ ଦିବସ ପାଳନକୁ ରାଜନୀତିର ଊର୍ଦ୍ଧ୍ବରେ ରଖିବା ସବୁ ଦୃଷ୍ଟିରୁ ଉଚିତ ହୋଇଥାନ୍ତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.