Breaking News

ଢେଙ୍କାନାଳ ଗେଙ୍ଗୁଟିଆ ହାଇସ୍କୁଲ କେନ୍ଦ୍ରରେ ଉତ୍ତେଜନା: ୨୦ ମିନିଟ୍‌ ହରାଇଲେ ପରୀକ୍ଷାର୍ଥୀ

ଢେଙ୍କାନାଳ ସଦର ବ୍ଲକ୍‌ ଗେଙ୍ଗୁଟିଆ ସରକାରୀ ଉଚ୍ଚବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ଠିକ୍‌ ସମୟରେ ପ୍ରଶ୍ନପତ୍ର ଦିଆଯାଇଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଭୁଲ୍‌ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ପ୍ରାୟ ୨୦ ମିନିଟ୍‌ ବସି ରହିଲେ।

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍‌ ଗେଙ୍ଗୁଟିଆ ସରକାରୀ ଉଚ୍ଚବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ଠିକ୍‌ ସମୟରେ ପ୍ରଶ୍ନପତ୍ର ଦିଆଯାଇଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଭୁଲ୍‌ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ପ୍ରାୟ ୨୦ ମିନିଟ୍‌ ବସି ରହିଲେ। ଫଳରେ ଉତ୍ତର ଲେଖିବା ପାଇଁ ସମୟ ଅଭାବ ହେବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକମାନେ ପାଟିତୁଣ୍ଡ କରିବାରୁ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା।

ଆଜି ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା ଥିଲା। କେନ୍ଦ୍ରରେ ସକାଳ ୯ଟାରେ ପ୍ରଶ୍ନପତ୍ର ଦିଆଯାଇଥିଲା। ଗୋଟିଏ କୋଠରିରେ ଦାୟିତ୍ୱରେ ଥିବା ନିରୀକ୍ଷଣକାରୀ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀମାନଙ୍କୁ ଭୁଲ ପରାମର୍ଶ ଦେଇଥିବାରୁ ସେମାନଙ୍କର ପାଖରେ ୨୦ ମିନିଟ୍‌ ସମୟ ନଷ୍ଟ ହୋଇଥିଲା। ପରୀକ୍ଷାର୍ଥୀମାନଙ୍କ କହିବା ଅନୁଯାୟୀ, ସଂପୃକ୍ତ ଇନ୍‌ଭିଜିଲେଟର୍‌ ପ୍ରଶ୍ନପତ୍ର ଦେବା ପୂର୍ବରୁ କହିଥିଲେ ଯେ ପ୍ରଥମେ ୧୦ଟା ପର୍ଯ୍ୟନ୍ତ ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଲେଖିବ। ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ବିରତି ରହିଛି। ତା’ପରେ ପୂର୍ବାହ୍ଣ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଲେଖିବ। ସିଲ୍‌ ଖୋଲିଲେ ଏମ୍‌ପି କରାଯିବ। ସିସିଟିଭି ଲାଗିଛି, ସେଥିପାଇଁ ସତର୍କ ରହିବ ବୋଲି ଚେତାବନୀ ଦେଇଥିଲେ। ଏମ୍‌ପି ଭୟରେ ଛାତ୍ରଛାତ୍ରୀମାନେ ଅବଜେକ୍ଟିଭ୍‌ ପରୀକ୍ଷା ଖାତା ଦେବା ପରେ ହାତଟେକି ବସି ରହିଲେ। ସେଣ୍ଟର ସୁପରିନ୍‌ଟେଣ୍ଡେଣ୍ଟ ପରିଦର୍ଶନ କରିବାକୁ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କୁ କାହିଁକି ବସିଛ ବୋଲି ପଚାରି ବୁଝିବା ପରେ ସବ୍‌ଜେକ୍ଟିଭ୍‌ ଉତ୍ତର ଲେଖିବା ଲାଗି କହିଥିଲେ। ସେତେବେଳକୁ ୨୦ ମିନିଟ୍‌ ଅତିକ୍ରାନ୍ତ ହୋଇ ସାରିଥିଲା ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା ଜଣା ନ ପଡ଼ିବା ପାଇଁ ପରୀକ୍ଷାର ଶେଷ ୫ ମିନିଟ୍‌ କବାଟ ବନ୍ଦ କରି ଦିଆଯାଇଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ପାଇଁ ପରୀକ୍ଷାର୍ଥୀମାନେ ସମୟ ପାଇ ନଥିବାରୁ ପରୀକ୍ଷା ସରିବା ପରେ ବାହାରକୁ ଆସି ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଘଟଣା ଅଭିଭାବକମାନେ ଜାଣିବା ପରେ ପାଟିତୁଣ୍ଡ ହୋଇଥିଲା।

ଏ ସଂପର୍କରେ ସଦର ଥାନା ଅତିରିକ୍ତ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ କହିଛନ୍ତି, ସ୍କୁଲ୍‌ ଗେଟ୍‌ ବନ୍ଦ କରି ହୋହଲ୍ଲା କରିବା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲୁ। ନିର୍ଦ୍ଦିଷ୍ଟ ଏକ କୋଠରିର ନିରୀକ୍ଷଣକାରୀଙ୍କ ଭୁଲ୍‌ ପରାମର୍ଶ ଯୋଗୁଁ ୨୦ ମିନିଟ୍‌ ସମୟ ନଷ୍ଟ ହୋଇଥିବା ପରୀକ୍ଷାର୍ଥୀମାନେ କହିଥିଲେ। କିଛି ଝିଅ କାନ୍ଦିବା ଫଳରେ ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କୁ ବୁଝାସୁଝା କରି ଏଭଳି ଘଟଣାର ପୁନରାବୃତ୍ତି ନହେବା ଏବଂ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ଦାୟିତ୍ୱରେ ନରଖିବା ଲାଗି କେନ୍ଦ୍ର ଅଧୀକ୍ଷକଙ୍କୁ କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇ ନଥିବା କହିଛନ୍ତି। ଯଦି ଏଭଳି ବ୍ୟତିକ୍ରମ ହୋଇଥିବ ତେବେ ତାହା ଭୁଲ୍‌ ବୁଝାମଣା ଯୋଗୁଁ ହୋଇଥିବ। ଘଟଣା ସଂପର୍କରେ ବୁଝାଯିବ ବୋଲି ସେ କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.