Breaking News

ତଦନ୍ତରେ ପୁଲିସକୁ ଅର୍ଥ ବାଧକ: ୨୦୦ କୋଟିର ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତାବ

ବହୁ ସମୟରେ ବିଭିନ୍ନ ଜଟିଳ ମାମଲାର ତଦନ୍ତ ଲାଗି ପୁଲିସ ପାଇଁ ଅର୍ଥ ବାଧକ ହୋଇଆସିଛି। ତଦନ୍ତ ପାଇଁ ପୁଲିସ ନିକଟରେ ସ୍ବତନ୍ତ୍ର ପାଣ୍ଠି ନଥିବାରୁ ଅଡ଼ୁଆ ପରିସ୍ଥିତି ଉପୁଜୁଛି। ଥାନାକୁ ମିଳୁଥିବା କଣ୍ଟିଜେନ୍‌ସି ହେଡ୍‌ରୁ ପୁଲିସ ବିଭିନ୍ନ ମାମଲାର ତଦନ୍ତ ବାବଦ ଅର୍ଥ ଯୋଗାଡ଼ କରିଆସୁଛି।

ଭୁବନେଶ୍ବର: ବହୁ ସମୟରେ ବିଭିନ୍ନ ଜଟିଳ ମାମଲାର ତଦନ୍ତ ଲାଗି ପୁଲିସ ପାଇଁ ଅର୍ଥ ବାଧକ ହୋଇଆସିଛି। ତଦନ୍ତ ପାଇଁ ପୁଲିସ ନିକଟରେ ସ୍ବତନ୍ତ୍ର ପାଣ୍ଠି ନଥିବାରୁ ଅଡ଼ୁଆ ପରିସ୍ଥିତି ଉପୁଜୁଛି। ଥାନାକୁ ମିଳୁଥିବା କଣ୍ଟିଜେନ୍‌ସି ହେଡ୍‌ରୁ ପୁଲିସ ବିଭିନ୍ନ ମାମଲାର ତଦନ୍ତ ବାବଦ ଅର୍ଥ ଯୋଗାଡ଼ କରିଆସୁଛି। ଫଳରେ କୌଣସି ମାମଲାର ତଦନ୍ତ ପାଇଁ ଅଧିକ ଅର୍ଥ ଆବଶ୍ୟକ ବେଳେ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ଦୂର କରିବାକୁ ପୁଲିସ ବିଭାଗ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି। କେବଳ ମାମଲା ତଦନ୍ତ ବାବଦରେ ବାର୍ଷିକ ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ବଜେଟ୍‌ କରିବାକୁ ପୁଲିସ ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଲେ, ବର୍ଷ ବର୍ଷ ଧରି ପୁଲିସ ଭୋଗୁଥିବା ଆର୍ଥିକ ସମସ୍ୟା‌ର ଅନ୍ତ ଘଟିବ ଏବଂ ଜଟିଳ ମାମଲାର ତଦନ୍ତ ତ୍ବରାନ୍ବିତ ହୋଇପାରିବ। ଏହା ଫଳରେ ଦଣ୍ଡବିଧାନ ହାର ମଧ୍ୟ ବଢ଼ିବ ବୋଲି ଆଶା କରାଯାଉଛି।

୨୦୦ କୋଟିର ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତାବ
ବଡ଼ ଜିଲ୍ଲାକୁ ୫କୋଟି, ଛୋଟ ଜିଲ୍ଲାକୁ ୨କୋଟି 

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗୋଟିଏ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପାଖାପାଖି ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଗୋଟିଏ ଅପମୃତ୍ୟୁ ମାମଲାରେ ୨୦ ହଜାର ଓ ଅଜଣା ମୃତଦେହ ଜବତ ମାମଲାରେ ୩୦ ହଜାରରୁ ଅଧିକ ବ୍ୟୟ ହେଉଛି। ଜଣେ ତଦନ୍ତକାରୀ ଅଫିସର୍‌ ଏତେ ପରିମାଣର ଟଙ୍କା କଣ୍ଟିଜେନ୍‌ସି ଫଣ୍ଡ୍‌ରୁ ଯୋଗାଡ଼ କରିବାକୁ ନାକେଦମ୍‌ ହୋଇଥାଆନ୍ତି। କିଛି ମାମଲାରେ ଅପରାଧୀ ବା ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିଥାଏ। ରାଜ୍ୟ ବାହାରକୁ ଯିବା ଓ ସେଠାରେ ରହି ଅଭିଯୁକ୍ତର ପିଛା କରିବା ପାଇଁ ବହୁତ ଟଙ୍କା ଦରକାର ହୋଇଥାଏ। ବେଳେବେଳେ ଅଭିଯୋଗକାରୀ ପୁଲିସକୁ କିଛି ପରିମାଣରେ ଆର୍ଥିକ ସହଯୋଗ କରନ୍ତି। କିନ୍ତୁ ‌ଏମିତି ବହୁ ମାମଲା ରହିଛି, ଯେଉଁଥିରେ ସାଧାରଣ ଲୋକଙ୍କ ସ୍ବାର୍ଥ ରହିଥାଏ ଏବଂ ଅଭିଯୋଗକାରୀ ମଧ୍ୟ ପୁଲିସକୁ ଆର୍ଥିକ ସହଯୋଗ କରିବା ସ୍ଥିତି ନଥାଏ। ସେଭଳି ମାମଲାରେ ପୁଲିସକୁ ଆର୍ଥିକ ସମସ୍ୟା ହରଡ଼ଘଣାରେ ପକାଇଥାଏ। ସେତିକି ଚାପ ନଥିଲେ, ପୁଲିସ ସେଭଳି ମାମଲାକୁ ବାଧ୍ୟବାଧକତାରେ ଅଣଦେଖା କରିବା ଦେଖାଯାଏ। ଫଳରେ ତଦନ୍ତ ବାଟବଣା ହୋଇଥାଏ ଏବଂ ଅପରାଧୀକୁ ଖସିବାକୁ ସହଜ ବାଟ ମିଳିଯାଏ। ତଦନ୍ତ ବାବଦରେ ସ୍ବତନ୍ତ୍ର ପାଣ୍ଠି ନଥିବାରୁ ଏହି ସମସ୍ୟା ଲାଗିରହିଛି। ତଦନ୍ତ ବଜେଟ୍‌କୁ ମଞ୍ଜୁରି ମିଳିଗଲେ, ପୁଲିସର ବଡ଼ ବୋଝ ହାଲୁକା ହୋଇଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ମତ। ଏହି ପ୍ରସ୍ତାବ ଅନୁସାରେ ଅଧିକ ଆୟତନ ବିଶିଷ୍ଟ ଅର୍ଥାତ୍‌ ବଡ଼ ବଡ଼ ଜିଲ୍ଲାକୁ ବାର୍ଷିକ ୫ କୋଟି ଟଙ୍କା ଓ କମ୍ ଆୟତନ ବିଶିଷ୍ଟ ଅର୍ଥାତ୍‌ ଛୋଟ ଜିଲ୍ଲାକୁ ୨ କୋଟି ଟଙ୍କା ପ୍ରଦାନ କରାଯିବ। ଜିଲ୍ଲା ଏସ୍‌ପିଙ୍କ ନିକଟରେ ଏହି ପାଣ୍ଠି ରହିବ। ତଦନ୍ତକାରୀ ଅଫିସର୍‌ ଏସ୍‌ପିଙ୍କ ସୁପାରିସ ଅନୁସାରେ ଏହି ପାଣ୍ଠିରୁ ଟଙ୍କା ନେଇପାରିବେ। ରାଜ୍ୟ ସରକାର ଏହି ବଜେଟ୍‌ ମଂଜୁର କଲେ, ପ୍ରଥମ ବର୍ଷରେ କେତେ ଖର୍ଚ୍ଚ ହେଉଛି, ତାହା ଆକଳନ କରାଯିବ ଏବଂ ତଦନୁଯାୟୀ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ରାଜ୍ୟ ପୁଲିସର ଏହି ପ୍ରସ୍ତାବକୁ ରାଜ୍ୟ ସରକାର କିଭଳି ବିଚାର କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.