Breaking News

ତମ୍ବା କାରଖାନା ବସାଇବ ଜେଏସ୍‌ଡବ୍ଲ୍ୟୁ: ୧୨ ହଜାର କୋଟି ନିବେଶ ଯୋଜନା

ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର୍‌‌ରେ ଏକ ଖବର ପ୍ରକାଶ ପାଇଛି।

ଭୁବନେଶ୍ବର: ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର୍‌‌ରେ ଏକ ଖବର ପ୍ରକାଶ ପାଇଛି। ରାଜ୍ୟରେ ଇସ୍ପାତ ଏବଂ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ପ୍ରକଳ୍ପ ପରେ କମ୍ପାନି ତମ୍ବାରେ ନିବେଶ କରିବାକୁ ଯାଉଛି। ସୂଚନା ଅନୁସାରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ତମ୍ବା ସ୍ମେଲଟର ପ୍ରତିଷ୍ଠା କରିବ। ୨୦୮-୨୯ ସୁଦ୍ଧା ତାହା ସ୍ଥାପନ ହେବ। ଏହି ପ୍ରକଳ୍ପରେ କମ୍ପାନି ୧୨ ହଜାର କୋଟି ଟଙ୍କା ନିବେଶ କରିବ। ପର୍ଯ୍ୟାୟକ୍ରମେ ପ୍ରକଳ୍ପ କ୍ଷମତାକୁ ୨୦୩୩-୩୪ ସୁଦ୍ଧା ୧ ନିୟୁତ ଟନ୍‌କୁ ବଢ଼ାଇବ।

ଓଡ଼ିଶା ପ୍ରକଳ୍ପ ଜରିଆରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଶିଳ୍ପପତି‌ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବ। ରାଜ୍ୟରେ କମ୍ପାନି ସ୍ଥାପନ କରିବାକୁ ଥିବା ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ପ୍ରକଳ୍ପ ପାଇଁ ଫିଡ୍‌ଷ୍ଟକ୍ ଭାବେ ଏହି ସ୍ମେଲଟରରୁ ତମ୍ବା ଉତ୍ପାଦନ କରାଯିବ। କିଛିଟା ଉପାଦାନ ହିନ୍ଦୁସ୍ତାନ କପରରୁ ଆସିବ। ଚଳିତ ବର୍ଷ ଜାନୁଆରିରେ କମ୍ପାନି ତମ୍ବା ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ସମ୍ପର୍କରେ ସୂଚନା ଦେଇଥିଲା। ହିନ୍ଦୁସ୍ତାନ କପର୍‌ର ଦୁଇଟି ଖଣିକୁ ୨୦ ବର୍ଷ ପାଇଁ କମ୍ପାନି ପରିଚାଳନା କରିବ ବୋଲି କହିଥିଲା।

ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ଭାଗ ନେଇ ସଜ୍ଜନ ଜିନ୍ଦଲ ଏହି ସୂଚନା ଦେଇଥିଲେ। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ କଟକ ଓ ପାରାଦୀପରେ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ଉତ୍ପାଦନ କାରଖାନା ବସାଇବା ଲାଗି ୪୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି। କେନ୍ଦୁଝର ଜିଲ୍ଲାରେ ଏକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶି‌ଷ୍ଟ ଇସ୍ପାତ କାରଖାନା ବସାଇବା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ପ୍ରକଳ୍ପରେ କମ୍ପାନି ୩୫ ହଜାର କୋଟି ଟଙ୍କା ନିବେଶ କରିବ। ସେହିପରି ଜଗତସିଂହପୁରର ଢିଙ୍କିଆରେ ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ ୬୫ ହଜାର କୋଟି ଟଙ୍କା ନିବେଶରେ ଏକ ୧୩.୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.