Breaking News

ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ପଛରେ: ଏନ୍‌ଜିଟିକୁ ଭୁଆଁ ବୁଲାଇ ହରଡ଼ଘଣାରେ ବିଏମ୍‌ସି

ଭୁବନେଶ୍ବରରୁ ଦିନକୁ ୧୨୨ ମିଲିଅନ ଲିଟର (ଏମ୍‌ଏଲ୍‌ଡି) ତରଳ ବର୍ଜ୍ୟ ଉତ୍ପନ୍ନ ହେଉଛି। ଏହାକୁ ପରିଚାଳନା କରିବା ପାଇଁ ସ୍ବେଏଜ୍‌ ଟ୍ରିଟ୍‌‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି)ର କ୍ଷମତା ହେଉଛି ଦିନକୁ ୧୮୩ ଏମ୍‌ଏଲ୍‌ଡି।

ଭୁବନେଶ୍ବର: ଭୁବନେଶ୍ବରରୁ ଦିନକୁ ୧୨୨ ମିଲିଅନ ଲିଟର (ଏମ୍‌ଏଲ୍‌ଡି) ତରଳ ବର୍ଜ୍ୟ ଉତ୍ପନ୍ନ ହେଉଛି। ଏହାକୁ ପରିଚାଳନା କରିବା ପାଇଁ ସ୍ବେଏଜ୍‌ ଟ୍ରିଟ୍‌‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି)ର କ୍ଷମତା ହେଉଛି ଦିନକୁ ୧୮୩ ଏମ୍‌ଏଲ୍‌ଡି। କିନ୍ତୁ ପରିଚାଳନା ହେଉଛି ୭୭.୩୯ଏମ୍‌ଏଲ୍‌ଡି। ୫୦ ଏମ୍‌ଏଲ୍‌ଡି ପରିଚାଳନା ହୋଇ ପାରୁନଥିଲେ ମଧ୍ୟ ସମସ୍ତ ତରଳ ବର୍ଜ୍ୟ ପରିଚାଳନା ହେଉଥିବା ଦର୍ଶାଇଛି ବିଏମ୍‌ସି। ଏନ୍‌ଜିଟିରେ ଏଭଳି ତଥ୍ୟ ଉପସ୍ଥାପନ କରିବା ପରେ ବିଏମ୍‌ସି ହରଡ଼ଘଣାରେ ପଡ଼ିଛି। ଏନ୍‌ଜିଟିକୁ କ୍ଷମା‌ ପ୍ରାର୍ଥନା କରିବ କି ଏସ୍‌ଟିପି ବସାଇ ସମସ୍ତ ବର୍ଜ୍ୟ ପରିଚାଳନା କରିବ ସେ‌ ନେଇ ଚିନ୍ତା ଘାରିଛି। ଏନ୍‌ଜିଟି ଏହା ଉପରେ ବିଏମ୍‌ସିକୁ ସ୍ପଷ୍ଟୀକରଣ ମାଗିଛନ୍ତି।

ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ‌ନେଇ ଏନ୍‌ଜିଟି ନିୟମିତ ତର୍ଜମା କରି ଶୁଣାଣି କରୁଛନ୍ତି ଓ ଆବଶ୍ୟକୀୟ ଆଦେଶ ପ୍ରଦାନ କରୁଛନ୍ତି। ଉଭୟ ବର୍ଜ୍ୟବସ୍ତୁ କେତେ ଉତ୍ପନ୍ନ ହେଉଛି ଓ କେତେ ପରିଚାଳନା ହେଉଛି ତାହାର ନିୟମିତ ରିପୋର୍ଟ ତଲବ କରୁଛନ୍ତି। ଏହି ରିପୋର୍ଟ ପ୍ରଦାନ କଲା ବେଳେ ବିଏମ୍‌ସି ମିଛ କହି ଧରାପଡ଼ିଛି। ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଭୁବନେଶ୍ବର ପଛରେ ପଡ଼ିଛି। ନୂଆ ଏସ୍‌ଟିପି ପ୍ରସ୍ତୁତ କରି ସମସ୍ତ ବର୍ଜ୍ୟକୁ ପରିଚାଳନା କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲେ ମଧ୍ୟ ସମ୍ଭବ ହେଉନାହିଁ। ବଡ଼କଥା ହେଉଛି ସ୍ବେରେଜ୍‌ ସିଷ୍ଟମ୍‌ ଭୁବନେଶ୍ବରରେ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇନାହିଁ। ଏଣୁ ସେସ୍‌ପୁଲ୍‌ ଗାଡ଼ି ଜରିଆରେ ଏ ସବୁ ବର୍ଜ୍ୟକୁ ‌ବୋହି ନେଇ ବାସୁଆଘାଇରେ ଥିବା ଏକ ମାତ୍ର ମଳ ପରିଚାଳନା କେନ୍ଦ୍ର (ଏଫଏସ୍‌ଟିଏଫ୍‌)ରେ ପରିଚାଳନା କରାଯାଉଛି। ଯାହାର କ୍ଷମତା ଦିନକୁ ୭୫ କିଲୋଲିଟର(କେଏଲ୍‌ଡି) ରହିଛି। ଅମୃତ ଯୋଜନାରେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ପ୍ରସ୍ତୁତ କରାଯାଇଛି। କିନ୍ତୁ ବିଏମ୍‌ସି ଏନ୍‌ଜିଟିଙ୍କୁ ମିଛ କହି ଖସି ଯିବାକୁ ବସିଥିବା ବେଳେ ଧରାପଡ଼ିଛି।

ବଡ଼କଥା ହେଉଛି ସହରର ଅଧିକାଂଶ ଘରର ବର୍ଜ୍ୟଜଳ ପରିଚାଳନା ହୋଇ ପାରୁନାହିଁ। ପାଇଖାନା ବର୍ଜ୍ୟ ସିଧାସଳଖ ନଳାକୁ ଆସୁଛି। ସେଠାରୁ ଗଙ୍ଗୁଆ ନଳାକୁ ଯାଉଛି। ଗଙ୍ଗୁଆ ନଳାର ବର୍ଜ୍ୟ ପାଣି ସିଧାସଳଖ ଦୟା ନଦୀକୁ ଯାଉଛି। କେବଳ ବର୍ଷା ଦିନ ଛାଡ଼ିଦେଲେ ଅନେକ ସମୟରେ ପାଣି ଦୟାକୁ ଯାଇ ପାରୁନାହିଁ। ସହର ମଝିରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମା ହୋଇ ରହୁଛି। ଫଳରେ ଏହା ଭୂତଳ ଜଳକୁ ପ୍ରଭାବିତ କରୁଛି। ଗଙ୍ଗୁଆ କୂଳରେ ଥିବା ଅଧିକାଂଶ ନଳକୂଅ ପାଣି ତଥା ଭୂତଳ ଜଳ ବ୍ୟବହାର ଉପଯୋଗୀ ହେଉନାହିଁ।

ଆଉ ଏକ ବଡ଼ ସମସ୍ୟା ହେଉଛି ସହର ଭିତର ଦେଇ ଯାଇଥିବା‌ ୧୦ଟି ପ୍ରାକୃତିକ ନାଳ। ଏହାର ବର୍ଜ୍ୟଜଳ ପରିଚାଳନା ପାଇଁ ବ୍ୟବସ୍ଥା ନାହିଁ। ଏହା ମଧ୍ୟ ସିଧାସଳଖ ଗଙ୍ଗୁଆକୁ ଯାଉଛି। ଏହି ପ୍ରାକୃତିକ ନଳା ଘର କଡ଼ରେ ଯିବା ବେଳେ ଅଧିକାଂଶ ଘରର ପାଇଖାନା ସିଧାସଳଖ ଏହି ନଳାକୁ ସଂଯୁକ୍ତ ହୋଇଛି। ସହର ଭିତରେ ଯାଇଥିବା ଦୟା ୱେଷ୍ଟ କେନାଲ୍‌ର ମଧ୍ୟ ସମାନ ସ୍ଥିତି। ଏହି କେନାଲ୍‌ ଭିତରକୁ ପାଇଖାନା ପାଇପ୍‌ ସିଧା ସଂଯୋଗ ହୋଇଥିବା ଅଭିଯୋଗ ‌ହେବା ପରେ ନିକଟ ଅତୀତରେ ସର୍ଭେ ହୋଇଥିଲା। ସର୍ଭେରେ ୧୮୭ ଘରର ପାଇଖାନା ସିଧାସଳଖ ଏହି କେନାଲ୍‌କୁ ସଂଯୁକ୍ତ ହୋଇଥିଲା। ଏହି ସବୁ ଘରକୁ ନୋଟିସ୍‌ ଦେବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ତାହା ମଧ୍ୟ ସଫଳ ହେଲା ନାହିଁ। ଦୟା ଓ ଗଙ୍ଗୁଆ ଉଭୟ ଜଳଦସମ୍ପଦ ବିଭାଗ ଅଧୀନରେ ରହିଛି। ବିଭିନ୍ନ ସମୟରେ ସମନ୍ବୟ ବୈଠକ ଜରିଆରେ ଏହାକୁ ସଫା କରିବା, ବିଏମ୍‌ସି ଅଧୀନକୁ ଆଣିବା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ଆଲୋଚନା ହୋଇଛି। କିନ୍ତୁ କିଛି ସୁଫଡ଼ଳ ମିଳିନାହିଁ। ବିଏମ୍‌ସି-ଜଳସମ୍ପଦ ବିଭାଗ ଦୋଷ ଲଦାଲଦି ହେଉଥିବା ବେଳେ ଏହି ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗ ବିପଦରେ ପଡ଼ିଥିବା ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.