Breaking News

ତଳ ପାହାଚ

ଲଙ୍ଗ୍‌ୱେଙ୍କ ଅନୁସାରେ ମହିଳାଙ୍କର ସଶକ୍ତୀକରଣ ଆରମ୍ଭ ହୁଏ ଯେତେବେଳେ ସେମାନେ ପୁରୁଷଙ୍କ ଇଲାକାରେ ପ୍ରବେଶ କରି ସମ୍ବଳର ବ୍ୟବହାର ତାଙ୍କ ପହୁଞ୍ଚ ଭିତରକୁ ଆସେ; ସଶକ୍ତୀକରଣ ଦୃଢ଼ତର ହୁଏ ଯେତେବେଳେ ପୁରୁଷଙ୍କ...

ଲଙ୍ଗ୍‌ୱେଙ୍କ ଅନୁସାରେ ମହିଳାଙ୍କର ସଶକ୍ତୀକରଣ ଆରମ୍ଭ ହୁଏ ଯେତେବେଳେ ସେମାନେ ପୁରୁଷଙ୍କ ଇଲାକାରେ ପ୍ରବେଶ କରି ସମ୍ବଳର ବ୍ୟବହାର ତାଙ୍କ ପହୁଞ୍ଚ ଭିତରକୁ ଆସେ; ସଶକ୍ତୀକରଣ ଦୃଢ଼ତର ହୁଏ ଯେତେବେଳେ ପୁରୁଷଙ୍କ ସହିତ ନାରୀଙ୍କର ସମାନ ଅଧିକାର ସମ୍ବନ୍ଧରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି ହୁଏ; ସମ୍ବଳର ବ୍ୟବହାରରେ ନାରୀମାନେ ଯେତେବେଳେ ପୁରୁଷମାନଙ୍କ ସହିତ ତାଳ ଦେଇ ଅଂଶଗ୍ରହଣ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସଶକ୍ତୀକରଣରେ ଆହୁରି ବୃଦ୍ଧି ଘଟିଥାଏ।

‘‘କିପରି ମହିଳାମାନଙ୍କୁ ୧,୫୦୦ ଟଙ୍କା ଲେଖାଏଁ ଦାନ ଦ୍ବାରା ଭାରତର ଅନ୍ୟତମ ସର୍ବାଧିକ ଧନୀ ରାଜ୍ୟରେ ଏକ ନିର୍ବାଚନରେ ବିଜୟ ହାସଲ କରାଗଲା।’’ ଏହା ହେଉଛି ଏକ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ସମ୍ବାଦ ସଂସ୍ଥା ସଦ୍ୟସମାପ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ସମ୍ବନ୍ଧରେ ବହନ କରିଥିବା ଅନୁଶୀଳନର ଶିରୋନାମା। ଭାରତ ସହିତ ପରିଚିତ ଥିବା ତଥା ପରିଚିତ ନ ଥିବା ଯେ କୌଣସି ପାଠକ/ପାଠିକାଙ୍କ ମନରେ ଏହି ଶିରୋନାମା ଭାରତୀୟ ନାରୀମାନଙ୍କ ସମ୍ବନ୍ଧରେ ଯେଉଁ ଧାରଣା ସୃଷ୍ଟି କରୁଥିବ, ତାହାକୁ ସମ୍ମାନଜନକ ବୋଲି କୁହାଯାଇପାରିବ ନାହିଁ।
ବିଦେଶୀ ପାଠକପାଠିକାମାନେ ସହଜରେ ବୁଝିପାରିବା ପାଇଁ ସାମ୍ବାଦିକ ଜଣକ ଏହି ରାଶିକୁ ଡଲାର୍ ଆକାରରେ ପ୍ରକାଶ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ଶାସନ କ୍ଷମତାରେ ଥିବା ‘ବିଜେପି’ ଦଳ ସେ ରାଜ୍ୟର ଅସ୍ବଚ୍ଛଳ ବର୍ଗର ମହିଳାମାନଙ୍କୁ ମାସିକ ୧୮ ଡଲାର୍ ଲେଖାଏଁ ହାତଟେକା ନଗଦ ଅର୍ଥ ପ୍ରଦାନ କରି ସେ ନିର୍ବାଚନରେ ଏକ ‘‘ଭୂ-ସ୍ଖଳନ ବିଜୟ’’ ହାସଲ କରିଛି। ତୁଳନା ସହଜ ହେବା ନିମିତ୍ତ ଏଠାରେ କହିରଖିବା ଉଚିତ ହେବ ଯେ ଆମେରିକାରେ ଏକ ‘ବର୍ଗର୍’ (ବିଭିନ୍ନ ପ୍ରକାର ପୁରଭର୍ତ୍ତି ପାଉଁରୁଟି, ଯାହା ହେଉଛି ଏକ ସାଧାରଣ ଜଳଖିଆ)ର ଦାମ୍ ହେଉଛି ପ୍ରାୟ ଏତିକି- ୧୮ ଡଲାର୍ ପାଖାପାଖି। ଏହି ଖବରଟି ପଢ଼ି ଜଣେ ଆମେରିକୀୟ ପାଠକ ନିଶ୍ଚିତ ରୂପେ ହତବାକ୍ ହୋଇଯାଉଥିବ ଯେ ପୃଥିବୀର ବୃହତ୍ତମ ସକ୍ରିୟ ଗଣତନ୍ତ୍ର ତଥା ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ମାସକୁ ମାତ୍ର ଗୋଟିଏ ଲେଖାଏଁ ବର୍ଗର୍ ଦେଇ ମହିଳାମାନଙ୍କର ଭୋଟ୍‌କୁ ହାତେଇ ହୋଇଥାଏ।
ତେବେ ଭାରତୀୟ ଗଣତନ୍ତ୍ରର ଏଭଳି ଚିତ୍ରଣ ପାଇଁ ସଂପୃକ୍ତ ସାମ୍ବାଦିକଙ୍କୁ ଦୋଷ ଦେଇହେବ ନାହିଁ। ଖୋଦ୍ ବିଜୟୀ ‘ବିଜେପି’ ଦଳର ଛାମୁଅା ନେତାମାନେ ମଧ୍ୟ ସଗର୍ବରେ ଘୋଷଣା କରିବାରେ ଲାଗିଛନ୍ତି ଯେ ଏହି ୧,୫୦୦ ଟଙ୍କା ପ୍ରଦାନକାରୀ ‘ଲଡ୍‌କୀ ବହୀନ୍ ଯୋଜନା’ ଯୋଗୁଁ ହିଁ ସେମାନେ ମହାରାଷ୍ଟ୍ରରେ ଏଭଳି ଅଭୂତପୂର୍ବ ବିପୁଳ ବିଜୟ ହାସଲ କରିପାରିଛନ୍ତି। ସେମାନଙ୍କର ବିରୋଧୀ ପକ୍ଷ ମଧ୍ୟ ଏଥିରେ ଦ୍ବିମତ ନୁହନ୍ତି। ଦେଶର ସମସ୍ତ ରାଜନୈତିକ ଅନୁଶୀଳନକାରୀମାନେ ମଧ୍ୟ କେବଳ ମହାର‌ାଷ୍ଟ୍ର ନୁହେଁ, ନିକଟ ଅତୀତରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଅନ୍ୟ ରାଜ୍ୟମାନଙ୍କର ଉଦାହରଣ ଦେଇ ଏହି ମତବାଦକୁ ପରିପୁଷ୍ଟ କରିବାରେ ଲାଗିଛନ୍ତି। ଏହି ରାଜ୍ୟମାନେ ହେଲେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ ଆଦି।
ମହାରାଷ୍ଟ୍ରରେ ‘ଲଡ୍‌କୀ ବହୀନ୍ ଯୋଜନା’ ବାବଦରେ ସରକାରଙ୍କୁ ବାର୍ଷିକ ୪୬,୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବାକୁ ଯାଉଥିବା ବେଳେ ନୂତନ ସରକାର ଏହି ମାସିକ ଭତ୍ତାର ପରିମାଣକୁ ୨,୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶରେ କାର୍ଯ୍ୟକାରୀ ହୋଇଥିବା ‘ଲାଡ଼ଲୀ ବହନା ଯୋଜନା’ ମାଧ୍ୟମରେ ଯୋଗ୍ୟା ହିତାଧିକାରିଣୀମାନଙ୍କୁ ମାସିକ ୧,୨୫୦ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରାଯାଉଛି। ୨୦୨୪-୨୫ ବିତ୍ତ ବର୍ଷ ପାଇଁ ସେ ରାଜ୍ୟ ସରକାର ଏ ବାବଦରେ ପ୍ରାୟ ୧୯,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ସେ ରାଜ୍ୟରେ କାର୍ଯ୍ୟକାରୀ କରିଥିବା ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା ଅନୁସାରେ ଅନୁସୂଚିତ ଜାତି/ଜନଜାତି ବର୍ଗର ମହିଳାମାନଙ୍କୁ ମାସିକ ୧,୨୦୦ ଟଙ୍କା ଲେଖାଏଁ ନଗଦ ଭତ୍ତା ପ୍ରଦାନ କରୁଥିବା ବେଳେ ସାଧାରଣ ବର୍ଗର ମହିଳାମାନଙ୍କୁ ମାସିକ ୧,୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଛନ୍ତି। ସେ ରାଜ୍ୟ ସରକାର ଏଥିପାଇଁ ୨୦୨୪-୨୫ ବିତ୍ତ ବର୍ଷରେ ୧୪,୪୦୦ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ନବନିର୍ବାଚିତ ‘ବିଜେପି’ ସରକାର କାର୍ଯ୍ୟକାରୀ କରିଥିବା ‘ସୁଭଦ୍ରା ଯୋଜନା’ ଅନୁସାରେ ହିତାଧିକାରିଣୀମାନେ ପ୍ରତ୍ୟେକ ଦୁଇଟି କିସ୍ତିରେ ବର୍ଷକୁ ୧୦,୦୦୦ ଟଙ୍କା ଲେଖାଏଁ ଭତ୍ତା ପାଇବେ। ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହିପରି ମୋଟ ୫୦,୦୦୦ ଟଙ୍କା ସହାୟତା ଲାଭ କରିବେ। ରାଜ୍ୟ ସରକାର ୨୦୨୪-୨୫ ବିତ୍ତ ବର୍ଷରେ ଏଥିପାଇଁ ୧୦,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ ବର୍ଷ କର୍ଣ୍ଣାଟକରେ କଂଗ୍ରେସ ସରକାର ଆରମ୍ଭ କରିଥିବା ‘ଗୃହଲକ୍ଷ୍ମୀ ଯୋଜନା’ ଅନୁସାରେ ସେ ରାଜ୍ୟରେ ‘ବିପିଏଲ୍’ ପରିବାରମାନଙ୍କର ମହିଳା ମୁଖ୍ୟମାନଙ୍କୁ ମାସିକ ୨,୦୦୦ ଟଙ୍କା ଲେଖାଏଁ ନଗଦ ଭତ୍ତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେ ରାଜ୍ୟ ସରକାର ଏ ବାବଦରେ ୨୦୨୪-୨୫ ବିତ୍ତ ବର୍ଷ ପାଇଁ ପ୍ରାୟ ୨୯,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେଇଭଳି ଝାଡ଼ଖଣ୍ଡରେ ‘ମୟା ସମ୍ମାନ ଯୋଜନା’ ମାଧ୍ୟମରେ ସରକାର ହିତା‌ଧିକାରିଣୀମାନଙ୍କୁ ମାସିକ ୧,୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ଯାଉଥିବା ବେଳେ ହରିୟାଣାରେ ଏହି ଭତ୍ତାର ପରିମାଣ ହେଉଛି ୨,୧୦୦ ଟଙ୍କା। ଦେଶର ଦଶଟି ରାଜ୍ୟରେ ବର୍ତ୍ତମାନ ମହିଳାମାନଙ୍କୁ ଏହିପରି ଭତ୍ତା ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ଅଥବା କାର୍ଯ୍ୟକାରୀ ହେବାକୁ ଯାଉଛି।
ମହିଳା ମତଦାତାମାନଙ୍କର ସମର୍ଥନ ହାସଲ କରିବା ପାଇଁ ଦେଶର ସବୁ କିସମର ରାଜନୈତିକ ଦଳମାନେ ଅବଲମ୍ବନ କରିବାକୁ ଆରମ୍ଭ କରିଥିବା ଏହି ନଗଦ ଭତ୍ତା ପ୍ରଦାନ କୌଶଳକୁ ଏକ ସମ୍ମାନଜନକ ରୂପ ପ୍ରଦାନ କରିବା ନିମିତ୍ତ ରାଜନୈତିକ ଦଳମାନଙ୍କ ଠାରୁ ଆରମ୍ଭ କରି ସରକାର ଓ ମନ୍ତବ୍ୟକାରମାନଙ୍କ ପର୍ଯ୍ୟନ୍ତ ଏହାକୁ ମହିଳା ସଶକ୍ତୀକରଣ ଉଦ୍ୟମର ଏକ ଅଂଶ ରୂ‌େପ ଉପସ୍ଥାପିତ କରୁଛନ୍ତି। ଏହା ନିଶ୍ଚିତ ଯେ ସରକାରମାନେ କରୁଥିବା ଉପରେ ଦର୍ଶାଯାଇଥିବା ଭଳି ବିଶାଳ ବ୍ୟୟ ଯୋଗୁଁ ଅର୍ଥନୈତିକ ଦୁର୍ବଳ ବର୍ଗର କୋଟି କୋଟି ମହିଳା କିଛି କିଛି କ୍ରୟ ଶକ୍ତିର ଅଧିକାରିଣୀ ହୋଇପାରୁଛନ୍ତି, ଯାହା ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଯଦି ସଶକ୍ତୀକରଣ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ରାଜନୈତିକ ଦଳ ଓ ସରକାରମାନଙ୍କୁ ସ୍ବୀକାର କରିବାକୁ ହେବ ଯେ ମହିଳା ସଶକ୍ତୀକରଣ ଅଭିଯାନରେ ଏଭଳି ଭତ୍ତା ବଣ୍ଟନ ହେଉଛି ଦୁର୍ବଳତମ ପଦକ୍ଷେପ।
ନାରୀ ସଶକ୍ତୀକରଣ ପରିସରରେ ବ୍ୟାପକ ଭାବରେ ଅନୁସୃତ ଏକ ସଂରଚନା (‘ଫ୍ରେମ୍‌ୱର୍କ’) ହେଉଛି ପ୍ରଖ୍ୟାତ ମହିଳା ବିକାଶ ବିଶେଷଜ୍ଞା ସାରା ଲଙ୍ଗ୍‌ୱେଙ୍କ ଦ୍ବାରା ପ୍ରସ୍ତୁତ ‘ଏମ୍ପାୱାର୍‌ମେଣ୍ଟ୍ ଫ୍ରେମ୍‌ୱର୍କ’। ଏହି ‘ସଶକ୍ତୀକରଣ ଫ୍ରେମ୍‌ୱର୍କ’ର ସବା ତଳ ପାହାଚରେ ଅବସ୍ଥିତ ଥାଏ ‘ୱେଲ୍‌ଫେଆର୍’ (ମଙ୍ଗଳ), ତା’ ଉପରକୁ ‘ଆକ୍‌‌େସସ୍’ (ପହୁଞ୍ଚ), ତା’ ଉପରକୁ ‘କନ୍‌ସିଏଣ୍ଟାଇଜେସନ୍’ (ସଚେତନତା ସୃଷ୍ଟି), ତା’ ଉପରକୁ ‘ପାର୍ଟିସିପେସନ୍’ (ଭାଗୀଦାରି) ଓ ଶୀର୍ଷରେ ଅବସ୍ଥିତ ଥାଏ ‘କଣ୍ଟ୍ରୋଲ୍’ (ନିୟନ୍ତ୍ରଣ)। ବୋଧହୁଏ ଏହାର ଅଧିକ ବ୍ୟାଖ୍ୟା ଅନାବଶ୍ୟକ ଯେ ଭତ୍ତା ବଣ୍ଟନ ଭଳି କୌଣସି ଉପାୟରେ ଯଦି ଜଣେ ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟେ, ତେବେ ତାଙ୍କର ପୁଷ୍ଟିସାଧନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟର ଯତ୍ନ ଓ ଗତିଶୀଳତା ପର୍ଯ୍ୟନ୍ତରେ ଉନ୍ନତି ଘଟିଥାଏ ବା ଲଙ୍ଗ୍‌ୱେଙ୍କ ଭାଷାରେ କହିଲେ ତାଙ୍କର ମଙ୍ଗଳ ସାଧନ ହୋଇଥା‌ଏ। କିନ୍ତୁ ଏହାଦ୍ବାରା ସଂପୃକ୍ତ ମହିଳାଙ୍କର କୌଣସି ସଶକ୍ତୀକରଣ ଘଟି ନ ଥାଏ। ଲଙ୍ଗ୍‌ୱେଙ୍କ ଅନୁସାରେ ମହିଳାଙ୍କର ସଶକ୍ତୀକରଣ ଆରମ୍ଭ ହୁଏ ଯେତେବେଳେ ସେମାନେ ପୁରୁଷଙ୍କ ଇଲାକାରେ ପ୍ରବେଶ କରି ସମ୍ବଳର ବ୍ୟବହାର ତାଙ୍କ ପହୁଞ୍ଚ ଭିତରକୁ ଆସେ; ସଶକ୍ତୀକରଣ ଦୃଢ଼ତର ହୁଏ ଯେତେବେଳେ ପୁରୁଷଙ୍କ ସହିତ ନାରୀଙ୍କର ସମାନ ଅଧିକାର ସମ୍ବନ୍ଧରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି ହୁଏ; ସମ୍ବଳର ବ୍ୟବହାରରେ ନାରୀମାନେ ଯେତେବେଳେ ପୁରୁଷମାନଙ୍କ ସହିତ ତାଳ ଦେଇ ଅଂଶଗ୍ରହଣ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସଶକ୍ତୀକରଣରେ ଆହୁରି ବୃଦ୍ଧି ଘଟିଥାଏ। ମହିଳା ସଶକ୍ତୀକରଣ ଶୀର୍ଷରେ ପହଞ୍ଚି ସଂପୂର୍ଣ୍ଣ ହୋଇଥାଏ, ଯେତେବେଳେ ସମ୍ବଳର ମାଲିକାନାରୁ ଆରମ୍ଭ କରି ତା’ର ଉପଯୋଗ ପର୍ଯ୍ୟନ୍ତ ପୁରୁଷଙ୍କ ସହିତ ସମାନ ଭାବରେ ମହିଳାମାନଙ୍କ ନିୟନ୍ତ୍ରଣାଧୀନ ହୋଇଥାଏ।
ଘୋର କ୍ଷୋଭର କଥା ଯେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତରେ ନାରୀମାନଙ୍କୁ ଏପରି ବହୁଳ ସଂଖ୍ୟାରେ କେବଳ ସଶକ୍ତୀକରଣ ସଂରଚନାର ସବା ତଳ ପାହାଚରେ ସ୍ଥାପନ କରିବା ପାଇଁ ‌େଦଶ ସାରା ସରକାରଙ୍କୁ ଏଭଳି ଭତ୍ତା ବଣ୍ଟନ କରିବାକୁ ପଡୁଛି, ଯାହାକୁ ରାଜନୈତିକ ଦଳମାନେ ମହିଳା ଭୋଟ୍ ସଂଗ୍ରହ କରିବାକୁ ଏକ ଲୋଭନୀୟ ଥୋପ ରୂପେ ବ୍ୟବହାର କରୁଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.