କେଜିରୁ ପିଜି ମାଗଣା ଶିକ୍ଷା: ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାପନ ବଡ଼ ଚ୍ୟାଲେଞ୍ଜ, କାର୍ଯ୍ୟକାରିତା ହେବନି ସହଜ

ବ୍ରହ୍ମପୁର, ୨୭/୦୮: କେଜିରୁ ପିଜି ମାଗଣା ଶିକ୍ଷାଦାନ ଯୋଜନାର କାର୍ଯ୍ୟକାରୀ ପାଇଁ ଆରମ୍ଭ ହୋଇଛି ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା । ଅବଶ୍ୟ ଏହା ଏବେ ପୂର୍ଣ୍ଣାଙ୍ଗ ରୂପରେ ନହୋଇ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଛି । ଏହାର ସଫଳତା ଆଧାରରେ ଆସନ୍ତା ଦୁଇ ମାସ ଭିତରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବେ ବୋଲି ବିଭାଗୀୟ ସୂଚନା । ପ୍ରଶ୍ନଉଠେ ଯେ, ଗଞ୍ଜାମ ଜିଲ୍ଲାର କଲେଜ ଓ ବିଶ୍ୱବିଦ୍ୟାଳୟର ୫ରୁ ୬ ହଜାର ଅଧ୍ୟାପକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥିତ ହୋଇପାରିନଥିବା ବେଳେ ୩୦ ହଜାର ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ତଦାରଖ, ନିୟନ୍ତ୍ରଣ କିଭଳି ହେବ? ମାଗଣା ଶିକ୍ଷାଦାନ ଯୋଜନା କାର୍ଯ୍ୟକାରୀ ପାଇଁ ଉଚ୍ଚଶିକ୍ଷା ବିଭାଗ ଏ ନିଷ୍ପତ୍ତି ନେଇଛି ସତ ହେଲେ କଲେଜରେ ଏଥିପାଇଁ ଭିତ୍ତିଭୂମି ବନ୍ଦୋବସ୍ତ, ପରିଚାଳନା, ପରବର୍ତ୍ତୀ ରକ୍ଷଣାବେକ୍ଷଣ ଓ ଯୋଜନାର କାର୍ଯ୍ୟାନ୍ୱୟନ ଏତେଟା ସହଜ ହେବନି ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଏବେ ଗଞ୍ଜାମ ଜିଲ୍ଲାରେ ୬୮ ଡିଗ୍ରୀ କଲେଜ ଓ ଦୁଇଟି ବିଶ୍ୱବିଦ୍ୟାଳୟ ରହିଛି । ସର୍ବାଧିକ କଲେଜ ଅନୁଦାନପ୍ରାପ୍ତ ତାଲିକାଭୁକ୍ତ । ୨୩ଟି କଲେଜ ୪୮୮ ବର୍ଗର, ୧୯ଟି କଲେଜ ୬୨୨ ବର୍ଗର ଏବଂ ଅବଶିଷ୍ଟ ୨୦ଟି ସେଲ୍ଫ ଫାଇନାନ୍ସ ଡିଗ୍ରୀ କଲେଜ । ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ୨୦୧୮ରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ ହୋଇଥିଲା । ବର୍ଷେ ଠିକ୍ଠାକ୍ ଚାଲିବା ପରେ କୋଭିଡ୍ କାରଣରୁ ଦୁଇ ବର୍ଷ ଏହା ବନ୍ଦ ରହିଥିଲା । ୨୦୨୨ରୁ ବାୟୋମେଟ୍ରିକ୍ କାର୍ଯ୍ୟକ୍ଷମ ପାଇଁ କୁହାଯାଇଥିଲେ ମଧ୍ୟ ଅନେକ କଲେଜ ନିୟମିତ ଉପସ୍ଥାନ ଦାଖଲ କରୁନଥିଲେ । ସେହିଭଳି ଚାଲିଆସୁଥିଲା । ଦୁଇ ମାସ ପୂର୍ବରୁ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ବାୟୋମେଟ୍ରିକ୍ ଉପସ୍ଥାନକୁ ନେଇ କଠୋର ଅଭିମୁଖ୍ୟ ଦେଖାଇଥିଲେ । ଯାହା ଫଳରେ ଚାରି ବର୍ଷ ଅବ୍ୟବସ୍ଥିତ ଭାବେ ଚାଲିଥିବା ବାୟୋମେଟ୍ରିକ୍ ବ୍ୟବସ୍ଥା ଟ୍ରାକ୍କୁ ଫେରିଥିବା ଜଣାଯାଇଛି। ୫ରୁ ୬ ହଜାର ଅଧ୍ୟାପକ ଓ କର୍ମଚାରୀଙ୍କୁ ବ୍ୟବସ୍ଥିତ କରାଯାଇପାରୁନଥିବାବେଳେ ଏବେ ୩୦ ହଜାର ଛାତ୍ରଛାତ୍ରୀଙ୍କୁ କିଭଳି ଏ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଭାଗ ପାଇଁ ଏହାର କାର୍ଯ୍ୟକାରିତା କଷ୍ଟକର ହେବ ବୋଲି କୁହାଯାଉଛି ।
ସୌଜନ୍ୟ ପ୍ରମେୟ




