Breaking News

ତୁଳସୀ ଓ ତୁଳସୀ

ତୁଳସୀ ବିଷ୍ଣୁବଲ୍ଲଭା। ଏ ସଂପର୍କରେ ଅନେକ ଉପାଖ୍ୟାନ ଆମ ଶାସ୍ତ୍ର, ପୁରାଣରେ ଅଛି। କିନ୍ତୁ ତୁଳସୀ ମଧ୍ୟ ଯେ ବଳଦେବବଲ୍ଲଭା, ତାହା ଏକ ସ୍ଥାନୀୟ ପୁରାଣ ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ରେ ବର୍ଣ୍ଣିତ ହୋଇଛି।

ତୁଳସୀ ବିଷ୍ଣୁବଲ୍ଲଭା। ଏ ସଂପର୍କରେ ଅନେକ ଉପାଖ୍ୟାନ ଆମ ଶାସ୍ତ୍ର, ପୁରାଣରେ ଅଛି। କିନ୍ତୁ ତୁଳସୀ ମଧ୍ୟ ଯେ ବଳଦେବବଲ୍ଲଭା, ତାହା ଏକ ସ୍ଥାନୀୟ ପୁରାଣ ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ରେ ବର୍ଣ୍ଣିତ ହୋଇଛି। ସେହି ଅନୁସାରେ, ଶ୍ରୀ‌ବଳଦେବଜିଉ ବିରାଜମାନ କରୁଥିବା କେନ୍ଦ୍ରାପଡ଼ାର ନାଆଁ ହୋଇଛି ‘ତୁଳସୀ କ୍ଷେତ୍ର’।
‘ବ୍ରହ୍ମବୈବର୍ତ୍ତ ପୁରାଣ’ ଅନୁସାରେ, ତୁଳସୀ ଥି‌େଲ ଗୋଲୋକଧାମରେ ଶ୍ରୀରାଧାଙ୍କର ଏକ ସଖୀ। ଦିନେ ତାହାଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ଅନ୍ତରଙ୍ଗ ହେବା ଦେଖି, ଶ୍ରୀରାଧା ତାଙ୍କୁ ମର୍ତ୍ତ୍ୟଲୋକରେ ମନୁଷ୍ୟ ରୂପେ ଜନ୍ମଗ୍ରହଣ କରିବାପାଇଁ ଅଭିଶାପ ଦେଲେ। ସେଥିରେ ବ୍ୟାକୁଳ ହୋଇ ସେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିବାରୁ, ମର୍ତ୍ତ୍ୟର ମାନବୀ ହେ‌େଲ ମଧ୍ୟ, ସେ ତପସ୍ୟା ବଳରେ ତାଙ୍କର ଅଂଶପ୍ରାପ୍ତ ହେବେ ବୋଲି ଶ୍ରୀକୃଷ୍ଣ ତାଙ୍କୁ ଆଶ୍ବାସନା ଦେଲେ। ତାହା ଫଳରେ ସେ ଶ୍ରୀକୃଷ୍ଣଙ୍କ ଅଙ୍ଗସଂଭୂତ ସୁଦାମାଙ୍କର ପତ୍ନୀ ହୋଇଥିଲେ। ସୁଦାମା ଶଙ୍ଖଚୂଡ଼ ନାମକ ଦାନବ ରୂପେ ଜନ୍ମଗ୍ରହଣ କରି ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ।

ଶଙ୍ଖଚୂଡ଼ ବଧ ପାଇଁ ବିଷ୍ଣୁ ତୁଳସୀଙ୍କର ସତୀତ୍ବ ହରଣ କରିବା ଫଳରେ, ସେହି କାରଣରୁ ବିଷ୍ଣୁ ଶାଳଗ୍ରାମ ଶିଳା ହେଲେ ଏବଂ ତୁଳସୀ ବୃକ୍ଷ ରୂପେ ତାଙ୍କର ପ୍ରିୟା ହେଲେ। ତୁଳସୀ ମଧ୍ୟ ବିଷ୍ଣୁଙ୍କର ପ୍ରିୟା ରୂପେ ତାଙ୍କର ସମସ୍ତ ପୂଜାର ଅଂଶ ହେଲେ। କିନ୍ତୁ ‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ରେ ବର୍ଣ୍ଣିତ ତୁଳସୀ ଏ ତୁଳସୀଠାରୁ ଭିନ୍ନ। ଏହା ଅନୁସାରେ, ତୁଳସୀ ଥିଲେ କନ୍ଦରାସୁରର ରୂପବତୀ ଓ ଗୁଣବତୀ କନ୍ୟା। ଉତ୍ପୀଡ଼କ କନ୍ଦରାସୁରକୁ ବଧ କରିବା ପରେ ଶ୍ରୀବଳଦେବ ତାହାଙ୍କୁ ବିବାହ କରିଥିଲେ। ଫଳରେ ସେହି କ୍ଷେତ୍ରର ନାମ ତୁଳସୀକ୍ଷେତ୍ର ହେଲା।

‘ତୁଳସୀକ୍ଷେତ୍ର ମାହାତ୍ମ୍ୟ’ ଅନୁସାରେ, ଶ୍ରୀବଳଦେବ ତୁଳସୀଙ୍କୁ ବିବାହ କରିଥିଲେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀରେ। ତାହାପରେ ତୁଳସୀଙ୍କ ସହିତ ସେ ସେଠାରେ ଅବସ୍ଥାନ କଲେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସେହି କ୍ଷେତ୍ରର ପ୍ରତିଷ୍ଠା ହେଲା। ତୁଳସୀଙ୍କୁ ବିବାହ କରିବା ଫଳରେ ‘ରେବତୀ ରମଣ’ ଶ୍ରୀବଳଦେବ  ହୋଇଥିଲେ ‘ତୁଳସୀବଲ୍ଲଭ’। ସେହି କ୍ଷେତ୍ର ‘ତୁଳସୀକ୍ଷେତ୍ର’ ରୂପେ ପ୍ରସିଦ୍ଧ ହୋଇଥିଲା।
-ଅସିତ ମହାନ୍ତି

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.