Breaking News

ତେଜସ୍ବୀଙ୍କ ମାମଲା ଥାନାକୁ ଗଲା

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର) ଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ପାଟନାର ଏକ ଥାନାରେ ଅଭିଯୋଗ କରାଯାଇଛି।

 ତେଜସ୍ବୀଙ୍କ ମାମଲା ଥାନାକୁ ଗଲା

 

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର) ଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ପାଟନାର ଏକ ଥାନାରେ ଅଭିଯୋଗ କରାଯାଇଛି। ତେଜସ୍ବୀଙ୍କ ପାଖରେ ଥିବା ଏକ ନକଲି ଭୋଟର ପରିଚୟପତ୍ରକୁ ସେ ତଦନ୍ତ ପାଇଁ ହସ୍ତାନ୍ତର କରିବାକୁ ନିର୍ବାଚନ କମିସନ ଗତକାଲି ନିର୍ଦ୍ଦେଶ ଦେବା ସହ ଏନେଇ ତାଙ୍କୁ ନୋଟିସ୍‌ ଜାରି ପରେ ଆଜି ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। ଦୀଘା ଥାନାରେ ତେଜସ୍ବୀଙ୍କ ବିରୋଧରେ ଅଭିଯୋଗ ଦାଏର ହୋଇଛି।

ଜଣେ ସ୍ଥାନୀୟ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ତେଜସ୍ବୀଙ୍କୁ କିଭଳି ଦୁଇଟି ଭୋଟର ପରିଚୟପତ୍ର ଜାରି ହେଲା ତାହାର ତଦନ୍ତ ପାଇଁ ଆବେଦନ କରାଯାଇଛି। ଅଭିଯୋଗକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। କାରଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କର ହିଁ ଏହା ଉପରେ ନିଷ୍ପତ୍ତି ନେବା କ୍ଷମତା ରହିଛି। ନିର୍ବାଚନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯଦି ନିର୍ଦ୍ଦେଶନାମା ଆସେ ତା’ହେଲେ ତେଜସ୍ବୀଙ୍କ ବିରୋଧରେ ଏତଲା ରୁଜୁ ହୋଇପାରେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ତେଜସ୍ବୀଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର ଥିବାକୁ ନେଇ ରାଜନୀତି ସରଗରମ ହୋଇଛି। ତେଜସ୍ବୀ ଯେଉଁ ଭୋଟର୍‌ ଆଇଡି ଦେଖାଇ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌ କରିଥିଲେ ତାହା ନକଲି ବୋଲି ଜଣାପଡ଼ିଥିବାରୁ ତେଜସ୍ବୀଙ୍କ ଅଡ଼ୁଆ ବଢ଼ିଛି। ଏଥିପାଇଁ ତେଜସ୍ବୀଙ୍କୁ ନିର୍ବାଚନ କମିସନ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ମାମଲାରେ ଦୀଘା ନିର୍ବାଚନମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରଦର୍ଶିତ ଇପିଆଇସିର ବିବରଣୀ ଦେବାକୁ କହିଛନ୍ତି।

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.