Breaking News

ତୈଳ ଓ ଗ୍ୟାସ୍‌ ସନ୍ଧାନ ପାଇଁ ବିସ୍ଫୋରଣ: ଘର ଫାଟିଲା

ତୈଳ ଓ ଗ୍ୟାସ୍‌ ସନ୍ଧାନ ପାଇଁ ଡିନାମାଇଟ୍‌ରେ ଭୂତଳ ବିସ୍ଫୋରଣ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ତରସ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗାଁରେ କେତେକ ବ୍ୟକ୍ତିଙ୍କ ଘରକାନ୍ଥ ଫାଟି ଯାଇଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯିବା ସହିତ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ରାଜକନିକା: ତୈଳ ଓ ଗ୍ୟାସ୍‌ ସନ୍ଧାନ ପାଇଁ ଡିନାମାଇଟ୍‌ରେ ଭୂତଳ ବିସ୍ଫୋରଣ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ତରସ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗାଁରେ କେତେକ ବ୍ୟକ୍ତିଙ୍କ ଘରକାନ୍ଥ ଫାଟି ଯାଇଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯିବା ସହିତ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ଗାଁ ଲୋକ  ସଂପୃକ୍ତ କମ୍ପାନିର ଗାଡ଼ି ଆଗରେ ଶୋଇ କ୍ଷତିପୂରଣ ଦାବି କରିବା ସହିତ ପ୍ରଶାସନର ଅନୁମତିପତ୍ର ମାଗିଥିଲେ। ମାତ୍ର କମ୍ପାନି କର୍ତ୍ତୃପକ୍ଷ ତାହା ଦେଖାଇପାରି ନ ଥିବା ଜଣାପଡ଼ିଛି।

ଗୁଆଳିରେ ଉତ୍ତେଜନା
କ୍ଷତିପୂରଣ ଦାବି କରି କମ୍ପାନି ଗାଡ଼ି ଆଗରେ ଶୋଇଲେ ଗ୍ରାମବାସୀ
ପ୍ରଶାସନର ଅନୁମତିପତ୍ର ଦେଖାଇ ପାରିଲେନି କମ୍ପାନି କର୍ତ୍ତୃପକ୍ଷ

ସୂଚନା ମୁତାବକ, ଅଏଲ୍‌ ଇଣ୍ଡିଆ ଓ ଓଏନ୍‌ଜିସିର ଷ୍ଟିକର୍‌ ମରାଯାଇଥିବା ଗାଡ଼ିରେ କେତେକ ବ୍ୟକ୍ତି ଆସି ରାଜକନିକା ଅଞ୍ଚଳରେ ତୈଳ ଓ ଗ୍ୟାସ୍‌ ସନ୍ଧାନ କରାଯାଉଥିବା ଦର୍ଶାଇ ସର୍ଭେ କରୁଛନ୍ତି। ସେମାନେ ଲୋକମାନଙ୍କୁ ନ ଜଣାଇ ଧାନ ବିଲରେ ୭୦ମିଟର ପର୍ଯ୍ୟନ୍ତ ଗାତ କରି ଡିନାମାଇଟ୍‌ରେ ବିସ୍ଫୋରଣ କରୁଛନ୍ତି।  ଶନିବାର ସନ୍ଧ୍ୟା ୫ଟାରେ ତରସ ପଞ୍ଚାୟତ ଗୁଆଳି ଗାଁର ବୈତରଣୀ ନଦୀକୂଳ ଓ ଗାଁର କିଛି ବିଲରେ ବିସ୍ଫୋରଣ ଯୋଗୁଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିଯୋଗୁଁ ଘର ଥରିବା ସହିତ କାନ୍ଥ ଫାଟିଯାଇଥିଲା। ଭୟରେ ଲୋକମାନେ ଘରୁ ବାହାରକୁ ପଲାଇ ଆସିଥିଲେ ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଗ୍ରାମର ବିଜୟ ବେହେରା, ପ୍ରମୋଦ ନାୟକ, ସୁବାସ ମାଝୀ, ନିରାକାର ନାୟକ ପ୍ରମୁଖଙ୍କ ଘର କାନ୍ଥ ଫାଟିଯାଇଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୨ଟାରେ ଗ୍ରାମକୁ ଯାଇଥିବା କମ୍ପାନିର ଗାଡ଼ି ଆଗରେ କ୍ଷତିଗ୍ରସ୍ତ ଲୋକମାନେ ଶୋଇଯାଇ କ୍ଷତିପୂରଣ ଦାବି କରିଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବିନା ଅନୁମତିରେ ଲୋକଙ୍କ ଜମିରେ ବିସ୍ଫୋରଣ କରାଯିବା ନେଇ ଗାଡ଼ିରେ ଥିବା କମ୍ପାନିର ମ୍ୟାନେଜର୍‌ ଦିଲ୍ଲୀପ ସ୍ୱାଇଁଙ୍କୁ ଗ୍ରାମବାସୀ ପ୍ରଶ୍ନ କରିବା ସହିତ ପ୍ରଶାସନର ଅନୁମତିପତ୍ର ମାଗିଥିଲେ। ମ୍ୟାନେଜର୍‌ ଶ୍ରୀ ସ୍ବାଇଁ କହିଥିଲେ ଯେ ଅଏଲ୍‌ ଇଣ୍ଡିଆ କମ୍ପାନିର କାମ ତେଲେଙ୍ଗାନାର ଆଲଫଜି ଅଫ୍‌ସୋର୍ସ କମ୍ପାନି ନେଇଛି। ବର୍ତ୍ତମାନ ତାଙ୍କ ପାଖରେ କାଗଜପତ୍ର ନାହିଁ ବୋଲି ସେ ଦର୍ଶାଇବା ସହିତ କ୍ଷତିପୂରଣ ଦିଆଯିବ ବୋଲି କହି ସେଠାରୁ ଚାଲିଯାଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ସେଠାରେ କାମ ବନ୍ଦ ରହିଥିବା ସୂଚନା ମିଳିଛି।

ଏ ସମ୍ପର୍କରେ କମ୍ପାନିର ମ୍ୟାନେଜର୍‌ ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୯୦ ସ୍ଥାନରେ ବ୍ଲାଷ୍ଟିଂ କରାଯିବାର ମ୍ୟାପ୍‌ ରହିଛି। ଏବେସୁଦ୍ଧା ୨୦ଟି ସ୍ଥାନରେ ବ୍ଲାଷ୍ଟିଂ ସରିଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ, ଶନିବାର କନିକା ତହସିଲ୍‌ ଅଞ୍ଚଳର ୧୧ଟି ସ୍ଥାନରେ ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି। ତେବେ ଓଏନ୍‌ଜିସି ସିଧାସଳଖ ସର୍ଭେ ନ କରି ଭିତରକନିକା ଅଭୟାରଣ୍ୟ ସହ ସଂଯୁକ୍ତ ଅଞ୍ଚଳରେ ଆଉଟ୍‌ସୋର୍ସିଂ ଏଜେନ୍ସିକୁ ଦାୟିତ୍ୱ ଦେବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି କନିକା ପ୍ରଶାସନ ଓ ଜିଲ୍ଲାପାଳ ଏଥିନେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.